ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ସ୍ବାଭିମାନ ଓ ସ୍ପନ୍ଦନ। ସେ ମାନବଦେହୀ। ତାଙ୍କର ଦୈନନ୍ଦିନ ନୀତିକାନ୍ତି, ଅଣସର ନୀତି ଆଦି ଏହା ପ୍ରତିପାଦିତ କରୁଛି। ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପଡ଼ିବା, ଅଣସରକାଳୀନ ଗୁପ୍ତନୀତି ବେଳେ ଓଷ ଲାଗି, ଚେରମୂଳି ସେବନ ପରେ ଜ୍ୱରରୁ ସୁସ୍ଥ ହେବା, ସବୁଥିରେ ଦିବ୍ୟତା ଭରି ରହିଛି। ଭାବରେ ଡାକିଲେ, ସେ ଜବାବ ଦିଅନ୍ତି ବୋଲି ଭାବବିହ୍ବଳ କଣ୍ଠରେ କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଭାବ ଓ ଅନୁଭୂତିର କଥା କହିବା ବେଳେ ଶ୍ରୀମତୀ ପାଢ଼ୀଙ୍କ ଆଖି ଛଳଛଳ ହୋଇଯାଇଥିଲା। 

Advertisment

ପ୍ରଥମ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ମନ୍ଦିର ସମୂହ ସମ୍ମେଳନ
ଅନୁଭୂତିର କଥା କହିବା ବେଳେ କାନ୍ଦି ପକାଇଲେ ବାଚସ୍ପତି
ଯୋଗଦେଲେ ଦେଶ ବିଦେଶର ଜଗନ୍ନାଥ ମନ୍ଦିର ଟ୍ରଷ୍ଟି, ପୂଜକ
ପ୍ରଦର୍ଶିତ ହେଲା ଶ୍ରୀଜଗନ୍ନାଥଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

ଭୁବନେଶ୍ୱର ବୁଦ୍ଧମନ୍ଦିରରେ ଆଜି ପ୍ରଥମ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ମନ୍ଦିର ସମୂହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ ଶ୍ରୀଜଗନ୍ନାଥଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ୮୦ରୁ ଅଧିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏଥିରେ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଶ୍ରୀମତୀ ପାଢ଼ୀ କହିଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ବିଶ୍ବାସ ଓ ଭରସାର ସଂସ୍କୃତି। ଆମ କାୟ, ମନ, ବାକ୍ୟରେ ଶ୍ରୀଜଗନ୍ନାଥ ଅଛନ୍ତି। ସାଧାରଣ ଲୋକଙ୍କ ପାଖରେ ଜଗନ୍ନାଥ ସଂସ୍କୃତିକୁ ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ଏହି ସମ୍ମିଳନୀକୁ ବାଚସ୍ପତି ପ୍ରଶଂସା କରିଥିଲେ। ଅନୁଷ୍ଠାନ ପକ୍ଷରୁ ରାଜଧାନୀରେ ଶ୍ରୀଜଗନ୍ନାଥଙ୍କର ଏକ ସଂଗ୍ରହାଳୟ ଖୋଲିବାକୁ ବାଚସ୍ପତିଙ୍କ ନିକଟରେ ଦାବି ହୋଇଥିଲା। ଏ ସଂପର୍କରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଛତିଶଗଡ଼ର ରାୟପୁର ବିଧାୟକ ପୁରନ୍ଦର ମିଶ୍ର କହିଥିଲେ, ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଭାବରେ ଡାକିଲେ ଠାକୁର ଶୁଣିବେ। କଳିଯୁଗର ସାକ୍ଷାତ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ। ଭକ୍ତ ତାଙ୍କ ସହ ଅଝଟ ହୋଇ ଝଗଡ଼ା କରିଥାନ୍ତି। ୨୦୨୬ ମସିହାରେ ରାୟପୁରଠାରେ ତିନିଦିନ ଧରି ଦ୍ବିତୀୟ ସମ୍ମିଳନୀ ଆୟୋଜନ ହେବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ।

ସମ୍ମିଳନୀରେ ଭାରତ, ଆମେରିକା, ନାଇଜେରିଆ ସହ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଜଗନ୍ନାଥମନ୍ଦିରର ଟ୍ରଷ୍ଟି, ସଭାପତି, ପୂଜକମାନେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ବଡୁସୁଆର ନିଯୋଗର ବରିଷ୍ଠ ସେବକ ବିଶ୍ୱନାଥ ସାମନ୍ତରାଙ୍କୁ ପ୍ରତିଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ସେବା ରତ୍ନ ଉପାଧି’ରେ ସମ୍ମାନିତ କରାଯାଇଥିଲା। ଗବେଷକ ଡ.ଭାସ୍କର ମିଶ୍ରଙ୍କ ରଚିତ ‘ଶ୍ରୀଜଗନ୍ନାଥଙ୍କ ପୂଜା ପରମ୍ପରା’ର ହିନ୍ଦୀ ପୁସ୍ତକ ଓ ‘ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା ଓ ଐତିହ୍ୟ ଗ୍ରନ୍ଥ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉଦ୍‌ଘାଟନୀ ସଭାରେ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଭାରତ ସେବକ ସମାଜ ବୃନ୍ଦାବନ ଓ ଭୁବନେଶ୍ୱରର ମୁଖ୍ୟ ସ୍ବାମୀ ଜଗନ୍ନାଥ ନନ୍ଦ, ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହରାଜା, ମହନ୍ତ ଡ. ବିଜୟ ନାରାୟଣ ଦାସ, ମହନ୍ତ ଶୁଭାନନ୍ଦ ପୁରୀ, ନାଇଜେରିଆ ଜଗନ୍ନାଥ ମନ୍ଦିରର ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ, ବିଶାଖାପଟଣା ଜଗନ୍ନାଥ ମନ୍ଦିର ସଭାପତି ଜିତେନ୍ଦ୍ର କୁମାର ନାୟକ, ହଇଦ୍ରାବାଦ ଜଗନ୍ନାଥ ମନ୍ଦିର ସଭାପତି ବିଭୂତି ନାୟକ, ଅନୁଷ୍ଠାନର ଲୋକସଂପର୍କ ନିର୍ଦ୍ଦେଶକ ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ଗୁରୁକଲ୍ୟାଣ ମହାପାତ୍ର ଧନ୍ୟବାଦ ଦେଇଥିଲେ।