ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଷ୍ଟାଣ୍ଡିଂ କମିଟିର ପ୍ରଥମ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ୪ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକର ପ୍ରଥମ ଦିନରେ ଯୋଜନା ଓ ଉନ୍ନୟନ ଷ୍ଟାଣ୍ଡିଂ କମିଟି ଏବଂ ଅଭିଯୋଗ ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଯୋଜନା ଓ ଉନ୍ନୟନ ଷ୍ଟାଣ୍ଡିଂ କମିଟି ବୈଠକ ଅଧ୍ୟକ୍ଷ ଶ୍ରୀଧର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାର୍କିଂ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଅଧ୍ୟକ୍ଷ ଶ୍ରୀ ଜେନା କହିଛନ୍ତି, ବିଲଡର୍‌ମାନେ ଆପାର୍ଟମେଣ୍ଟରେ ପାର୍କିଂ କରିବେ କହି ଅନୁମୋଦନ ନେଉଥିଲେ ବି ପରବର୍ତ୍ତୀ ସମୟରେ ପାର୍କିଂ କରୁନାହାନ୍ତି। ଅନୁଧ୍ୟାନ ବେଳେ ପାର୍କିଂ ପାଇଁ ସେମାନଙ୍କ ଜାଗା ନ ଥିବା ଦେଖିବାକୁ ମିଳୁଛି। ଆପାର୍ଟମେଣ୍ଟଗୁଡ଼ିକର ଗାଡ଼ି ରାସ୍ତାରେ ପାର୍କିଂ ହେଉଛି। ଏଥର ପାର୍କିଂ ଜାଗା ନ ଥିଲେ ଆପାର୍ଟମେଣ୍ଟ କରିବାକୁ ଅନୁମତି ମିଳିବନି। ଯେଉଁମାନେ ଯେତେ ମହଲା କୋଠା କରିବେ, ସେତିକି ମହଲା ପାଇଁ ପର୍ଯ୍ୟାପ୍ତ ପାର୍କିଂର ଜାଗା ପ୍ରଥମ ଦେଖାଇବେ। ସ୍ଥିତି ଅନୁଧ୍ୟାନ ପରେ ଆପାର୍ଟମେଣ୍ଟ ନିର୍ମାଣକୁ ଅନୁମତି ମିଳିବ। ଯେଉଁ ସଂସ୍ଥାର ଜାଗା ନ ଥିବ,  ତାଙ୍କୁ ଅନୁମତି ମିଳିବନି। ଏହାକୁ କଡ଼ାକଡ଼ି ପାଳନ କରାଯିବ। ସେହିଭଳି ଆପାର୍ଟମେଣ୍ଟର ସ୍ବେରେଜ୍‌ ସଂଯୋଗ ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି। 

Advertisment

୪ହଜାର ଭତ୍ତା ଅନୁମୋଦନ ପାଇଁ ସରକାରଙ୍କୁ ଚିଠି
ଆଜି ୩ କମିଟିର ବୈଠକ

ଅଭିଯୋଗ ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟି ବୈଠକ ଅଧ୍ୟକ୍ଷ ବିନୟିନୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭତ୍ତା ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀମତୀ ଜେନା କହିଛନ୍ତି, ଭତ୍ତା ଅପେକ୍ଷାରେ ଆବେଦନ ସଂଖ୍ୟା ବଢ଼ି ଚାଲିଥିଲେ ବି ସେହି ଅନୁସାରେ ଭତ୍ତା ପ୍ରଦାନ କରାଯାଉନି। ପ୍ରତି ୱାର୍ଡରେ ପ୍ରତି ମାସରେ ୨ଜଣ ଲେଖାଏ ହିତାଧିକାରୀଙ୍କୁ ଭତ୍ତା ଯୋଜନାରେ ସାମିଲ୍ କରାଯାଉଛି। ନିୟମାନୁଯାୟୀ, ଭତ୍ତା ତାଲିକାରୁ ବାଦ୍ ପଡ଼ୁଥିବା ହିତାଧିକାରୀ ଜାଗାରେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ କରାଯାଉଛି। ଏହା ଅନେକ ସମସ୍ୟା ସୃଷ୍ଟି କରୁଛି। ଏଣୁ ରାଜ୍ୟ ସରକାରଙ୍କୁ ଆଉ ୪ହଜାର ଭତ୍ତା ଅନୁମୋଦନ କରିବାକୁ ଚିଠି ଲେଖାଯାଇଛି। ଏ ଦିଗରେ ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ସେହିଭଳି ରାସନ୍ କାର୍ଡଜନିତ ସମସ୍ୟା ଦୂର ଉପରେ ନଜର ରଖିବାକୁ ଅଧିକାରୀଙ୍କୁ କୁହାଯାଇଛି। ବୈଠକ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ସହ ଯୋଜନା, ଯୋଗାଣ ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଜୁଲାଇ ୧୬ରେ ଜନସ୍ବାସ୍ଥ୍ୟ, ବିଜୁଳି, ଜଳଯୋଗାଣ, ଡ୍ରେନେଜ୍ ଓ ପରିବେଶ ଷ୍ଟାଣ୍ଡିଂ କମିଟି, ଶିକ୍ଷା, ରିକ୍ରିଏସନ୍ ଓ ସଂସ୍କୃତି ଷ୍ଟାଣ୍ଡିଂ କମିଟି ଏବଂ ଲାଇସେନ୍ସ ଓ ଅପିଲ୍ ଷ୍ଟାଣ୍ଡିଂ କମିଟି, ୧୭ ତାରିଖରେ ପବ୍ଲିକ୍ ୱାର୍କସ ଷ୍ଟାଣ୍ଡିଂ କମିଟି, ୧୮ ତାରିଖରେ ଟ୍ୟାକ୍ସେସନ୍, ଫାଇନାନ୍ସ ଓ ଆକାଉଣ୍ଟ୍ସ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହେବ।