ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଥମ, ଅନ୍‌ଲାଇନ୍‌ରେ ପଞ୍ଜୀକରଣ, ପ୍ରେସ୍‌କ୍ରିପ୍‌ସନ୍‌

ଭୁବନେଶ୍ବର: ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ହେବ ଡିଜିଟାଲ। ନାମ ପଞ୍ଜୀକରଣ କରିବା ପରେ ଆଉ ରସିଦ୍‌ ମିଳିବନି। ଅନ୍‌ଲାଇନ୍‌ରେ ପଞ୍ଜୀକରଣ ହୋଇ ନମ୍ବର ମିଳିବ। ନମ୍ବର ଅନୁସାରେ ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ ଜରିଆରେ ରୋଗୀଙ୍କୁ ଡକରା ଆସିବ। ଡାକ୍ତର ରୋଗୀ ଦେଖିବା ପରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବେ। ଅନ୍‌ଲାଇନ୍‌ରେ ହିଁ ପ୍ରେସ୍‌କ୍ରିପ୍‌ସନ୍‌ ଫାର୍ମାସିଷ୍ଟ ପାଖରେ ପହଞ୍ଚିବ। ସେଠାରେ ଔଷଧ ମିଳିବା ପରେ ପ୍ରେସ୍‌କ୍ରିପ୍‌ସନ୍‌ ପ୍ରିଣ୍ଟ କରି ରୋଗୀକୁ ଧରାଇ ଦିଆଯିବ। ବିଏମ୍‌ସି ଅଞ୍ଚଳରେ ଏଭଳି ବ୍ୟବସ୍ଥା ପ୍ରଥମଥର ପାଇଁ ଆରମ୍ଭ ହୋଇଛି। ଘାଟିକିଆ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥାକୁ କମିସନର ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଧ୍ୟାନ କରିଛନ୍ତି।

ପାଇଲଟ୍‌ ପ୍ରକଳ୍ପ ଭାବରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ସଫଳ ହେଲେ ପ୍ରତ୍ୟେକ ସହରାଞ୍ଚଳ ପ୍ରାଥମିକ ଓ ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା କରାଯିବ। ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ‘ପେପରଲେସ୍‌’ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଏହାଛଡ଼ା କୌଣସି ପରୀକ୍ଷା କରିବାକୁ ଥିଲେ ତାହାର ରିପୋର୍ଟ ମଧ୍ୟ କମ୍ପ୍ୟୁଟରରେ ଡାକ୍ତରଙ୍କ ପାଖରେ ପହଞ୍ଚିବ। ଔଷଧ ଆଣିବା ପରେ ଯେଉଁ ପ୍ରିଣ୍ଟ ବାହାରିବ, ସେଥିରେ ରୋଗର ବିବରଣୀ ସହ ଔଷଧ ଓ ପରୀକ୍ଷାର ସମସ୍ତ ବିବରଣୀ ରହିଥିବ। ପରେ ଯେବେ ବି ରୋଗୀ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିବ, ତାଙ୍କର ସ୍ବାସ୍ଥ୍ୟସମ୍ବନ୍ଧୀୟ ରେକର୍ଡ ଡାକ୍ତରଖାନାରେ ଉପଲବ୍ଧ ହେଉଥିବ। ଆଗାମୀ ଦିନରେ ବିଏମ୍‌ସି ଅଞ୍ଚଳରେ ଥିବା ୨୨ ୟୁପିଏଚ୍‌ସି ଓ ୪ୟୁସିଏଚ୍‌ସିରେ ଏଭଳି ପେପରଲେସ୍‌ ବ୍ୟବସ୍ଥା ହେବ ବୋଲି ଅତିରିକ୍ତ ସହରାଞ୍ଚଳ ସ୍ବାସ୍ଥ୍ୟାଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର