ସି’ଫୁଡ୍‌ ପାର୍କରେ ଖୋଲିଲା ପ୍ରଥମ ଚିଙ୍ଗୁଡ଼ି କାରଖାନା : ବାର୍ଷିକ ୫ ଶହ କୋଟିର କାରବାର, ୨.୫ ହଜାର ଲୋକଙ୍କୁ ନିଯୁକ୍ତି

ଖଣ୍ଡଗିରି : ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଡେରାସସ୍ଥିତ ମେଗା ସି’ଫୁଡ୍‌ ପାର୍କରେ ପ୍ରଥମ ଚିଙ୍ଗୁଡ଼ି କାରଖାନା ଖୋଲିଛି। ବି-ଓ୍ଵାନ୍‌ ବିଜିନେସ୍‌ ହାଉସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏହି କାରଖାନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ବାର୍ଷିକ ୫ ଶହ କୋଟି ଟଙ୍କାର କାରବାର କରିବାକୁ ଥିବା ଏହି ଚିଙ୍ଗୁଡ଼ି ପ୍ରୋସେସିଂ ୟୁନିଟ୍‌ରେ ପ୍ରତ୍ୟକ୍ଷଭାବେ ୫ଶହ ଲୋକ ନିଯୁକ୍ତି ପାଇବାକୁ ଥିବାବେଳେ ପ୍ରାୟ ୨ ହଜାରରୁ ଅଧିକ ଲୋକ ପରୋକ୍ଷଭାବେ ନିଯୁକ୍ତି ସୁଯୋଗ ପାଇବେ ବୋଲି କୁହାଯାଇଛି। ସେହିଭଳି ଏହି ଉଦ୍ୟୋଗ ଯୋଗୁଁ ଓଡ଼ିଶାର ଚିଙ୍ଗୁଡ଼ି ଚାଷୀମାନେ ଅଧିକ ଲାଭବାନ୍‌ ହେବା ସହ ଅଧିକରୁ ଅଧିକ ଚିଙ୍ଗୁଡ଼ି ଉତ୍ପାଦନ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଉଦ୍ୟୋଗପତି ଭବତୋଷ ସାହୁଙ୍କ ସୂଚନାନୁସାରେ ୨.୩୨ ଏକର ଜମିରେ ଗଢ଼ି ଉଠିଥିବା ଏହି ପ୍ଲାଣ୍ଟରେ ସ୍ଥାନୀୟ ଲୋକଙ୍କୁ ଯୋଗ୍ୟତା ଭିତ୍ତିରେ ନିଶ୍ଚୟ ନିଯୁକ୍ତି ମିଳିବ। ଏଠାରୁ ଆମେରିକା, କାନାଡ଼ା, ଚୀନ୍‌, ଭିଏତ୍‌ନାମ୍‌, ଜାପାନ ଓ ୟୁରୋପିଆନ୍‌ ଦେଶସମୂହକୁ ପ୍ରୋସେସିଂ ଚିଙ୍ଗୁଡ଼ି ରପ୍ତାନୀ କରାଯିବ ବୋଲି ସେ କହିଥିଲେ। ଚିଲିକା ସମେତ ପୂର୍ବ ଓଡ଼ିଶାର ଭଦ୍ରକ, ଧାମରା, ବାଲେଶ୍ୱର ଆଦି ଅଞ୍ଚଳରେ ବ୍ୟାପକ ଚିଙ୍ଗୁଡ଼ି ଚାଷୀଙ୍କୁ ତାଙ୍କ ଉଦ୍ୟୋଗ ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଇଡ୍‌କୋ ମାଧ୍ୟମରେ ଜମି ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଉଦ୍ୟୋଗପତିମାନଙ୍କୁ ଉତ୍ସାହିତ କରିଥିବାରୁ ଶ୍ରୀ ସାହୁ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ଇଡ୍‌କୋ ସୁପରିଟେଣ୍ଡିଂ ଇଂଜିନିୟର ଡ.ଭକ୍ତକବି ଦାସ କହିଲେ ଯେ ଏଠାରେ ଆଉ ୫ଜଣ ଉଦ୍ୟୋଗପତି ସେମାନଙ୍କ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ହୋଇଛନ୍ତି ଓ ବି-ଓ୍ଵାନ୍‌ ବିଜିନେସ୍‌ ହାଉସ୍‌ ପ୍ରଥମ ୟୁନିଟ୍‌ ପ୍ରତିଷ୍ଠା କରିବା ପରେ ସେମାନେ ଖୁବ୍‌ ଶୀଘ୍ର କାମ ଆରମ୍ଭ କରିବେ। ତେବେ ମୋଟ୍‌ ୧୫୨ ଏକର ଜମିରେ ନିର୍ମିତ ଏହି ପାର୍କରେ ୪୨ଟି ମତ୍ସ୍ୟ ଶିଳ୍ପ ପ୍ଲାଣ୍ଟ ପ୍ରତିଷ୍ଠା ହେବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଗଠିତ ଏହି ସି’ଫୁଡ୍‌ ପାର୍କର ଭିତ୍ତିଭୂମିର ଚୁଡ଼ାନ୍ତ ନିର୍ମାଣ କାମ ଜୋର୍‌ଦାର ଚାଲିଛି ବୋଲି ସେ କହିଥିଲେ। ପ୍ଲାଣ୍ଟର ନିର୍ବାହୀ ଅଧିକାରୀ ତଥାଗତ ତ୍ରିପାଠୀ ଓ ମ୍ୟାନେଜର୍‌ ପ୍ରଭାତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଛତାବର ଶିଳ୍ପାଞ୍ଚଳରେ ପ୍ରଥମ ଶିଳାନ୍ୟାସ

ଛତାବର ଶିଳ୍ପାଞ୍ଚଳରେ ମଧ୍ୟ ଆଜି ପ୍ରଥମ ଉଦ୍ୟୋଗର ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଛି। ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟର ଏକ ଘରୋଇ ଉଦ୍ୟୋଗ ‘ମନପସନ୍ଦ ବେଭେରେଜ୍‌ସ’ର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଛନ୍ତି। ପ୍ରାୟ ୮ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନିରେ ପ୍ରାୟ ୩ ଶହରୁ ଅଧିକ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ଅବସରରେ ଖୋର୍ଧା ଏଡିଏମ୍‌ ମନୋରଂଜନ ମଲ୍ଲିକ ଓ ଛତାବର ସରପଞ୍ଚ ମନସ୍ୱିନୀ ମିଶ୍ର ଡେଙ୍ଗ ଉପସ୍ଥିତ ଥିଲେ। ଛତାବର ଶିଳ୍ପାଞ୍ଚଳ ପାଇଁ ଇଡ୍‌କୋ ଦ୍ୱାରା ଅଧିଗ୍ରହଣ ହୋଇଥିବା ୧୦୦ ଏକର ଜମିରେ ଖୁବ୍‌ ଶୀଘ୍ର ଆହୁରି କିଛି ଉଦ୍ୟୋଗ ଗଢ଼ି ଉଠିବ ବୋଲି ଏଡିଏମ୍‌ ଶ୍ରୀ ମଲ୍ଲିକ କହିଥିଲେ। ସ୍ଥାନୀୟ ଲୋକଙ୍କ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଥିଲେ। ଶିଳ୍ପାଞ୍ଚଳ ପାଚେରି କଡ଼ରେ ଗହୀରକୁ ଲମ୍ବିଥିବା ରାସ୍ତାର ଉନ୍ନତିକରଣ ଓ ଏହି ଜମି ଅଧିଗ୍ରହଣ ପାଇଁ ଘର ହରାଉଥିବା ୫ଟି ଗରିବ ଆଦିବାସୀ ପରିବାରର ଥଇଥାନ ପାଇଁ ସରପଞ୍ଚ ଶ୍ରୀମତି ଡେଙ୍ଗ ଏଡିଏମ୍‌ଙ୍କ ଜରିଆରେ ଇଡ୍‌କୋ କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ସେହିଭଳି ଛତାବର ଗ୍ରାମର କିଛି ଲୋକ ଗ୍ରାମ୍ୟ ଜଙ୍ଗଲ ଜମିକୁ ଶିଳ୍ପାୟନ ନାଁରେ ଇଡ୍‌କୋ ବେଆଇନଭାବେ ଅଧିଗ୍ରହଣ କରିଛି ବୋଲି ଅଭିଯୋଗ କରି ଏଡିଏମ୍‌ଙ୍କୁ ଏକ ଦାବିପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର