ଦୋକାନ ମାଲିକଙ୍କ ସହ ପ୍ରଶାସନର ଆଲୋଚନା: ପ୍ରଥମେ କ୍ଷତିପୂରଣ, ପରେ ଉଚ୍ଛେଦ

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ସ୍ଥିତିବାନ ଜମିରେ ଦୋକାନ କରିଥିବା ମାଲିକଙ୍କ ସହ ଆଜି ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ଅତିରିକ୍ତ ବିଏମ୍‌ସି କମିସନର ଅବନୀ ପଟ୍ଟନାୟକ ଜମି ଅଧିଗ୍ରହଣ ପାଇଁ ସେମାନଙ୍କ ସହ ଆଲୋଚନା କରିଛନ୍ତି। ଆଇନ ଅନୁଯାୟୀ, ଜମିର ବଜାର ମୂଲ୍ୟରେ ଟଙ୍କା ଦେବା, ଘରର ମୂଲ୍ୟ ପ୍ରଦାନ କରିବା, ଆବଶ୍ୟକସ୍ଥଳେ ଦୋକାନ ଘର ଯୋଗାଇବା, ବାସହରାଙ୍କୁ ଥଇଥାନ କରିବା ସହ ଜମି ମୂଲ୍ୟର ଅଧିକ ଶତକଡ଼ା ୧୦ରୁ ୧୫ ଭାଗ ପ୍ରଦାନ କରିବା ପାଇଁ ଜମି ମାଲିକମାନେ ଦାବି ଉପସ୍ଥାପନ କରିଛନ୍ତି। ଯେଉଁମାନେ ଦୋକାନରୁ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି, ସେମାନଙ୍କୁ ସଙ୍ଗେ ସଙ୍ଗେ ଥଇଥାନ କରିବାକୁ ସେମାନେ ଦାବି କରିଥିଲେ। ଏନେଇ କିଛି ବ୍ୟବସାୟୀଙ୍କ ସହ ଯୁକ୍ତିତର୍କ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ବିଏମ୍‌ସି ଅତିରିକ୍ତ କମିସନର ଶ୍ରୀ ପଟ୍ଟନାୟକ କହନ୍ତି ଜମି ମାଲିକଙ୍କର ବହୁ ଦାବି ରହିଛି। ତେବେ କିଛି ଦାବି ପୂରଣ କରିବା ପାଇଁ ଚେଷ୍ଟା କରୁଛୁ। ଦୁଇ ଦିନ ମଧ୍ୟରେ ଏ ନେଇ ବିଏମ୍‌ସି କମିସନରଙ୍କ ପାଖରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ସରକାର ସ୍ଥିତିବାନ ମାଲିକଙ୍କୁ ଠିକଣା ଅନୁଯାୟୀ ପ୍ରଥମେ କ୍ଷତିପୂରଣ ଦେବା ପରେ ଦୋକାନ ଉଚ୍ଛେଦ କରାଯିବାକୁ ବ୍ୟବସାୟୀମାନେ କହିଛନ୍ତି। ଅନ୍ୟପଟେ ସେବାୟତ ଓ ଏକାମ୍ର ମୁରବି ମହାମଞ୍ଚ ପକ୍ଷରୁ ସମାନ ଦାବି ରଖାଯାଇଛି। ଏପରି ନ ହେଲେ ସହଯୋଗ କରାଯିବ ନାହିଁ ବୋଲି ମହାମଞ୍ଚ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର