ଭୁବନେଶ୍ବର: ନିଶା ମାଫିଆଙ୍କ ଉପରେ ପାହାର ପାଇଁ କମିସନରେଟ୍‌ ପୁଲିସ ଅଣ୍ଟାଭିଡ଼ିଛି। ଏଥିପାଇଁ ଆଜି ନିଶା ବିରୋଧୀ ଚଢ଼ଉ ପାଇଁ ଅପରେସନ୍‌ ‘ ପ୍ରହାର’ ଆରମ୍ଭ ହୋଇଛି। ପ୍ରଥମ ଦିନରେ କମିସନରେଟ୍‌ ପୁଲିସର ‘ପ୍ରହାର’ ଟିମ୍‌ ଦୁଇ ଥାନା ଅଞ୍ଚଳରେ ଚଢ଼ଉ କରି ୩ ନିଶା ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ଇନ୍‌ଫୋସିଟି ଥାନା ଚିର୍‌ଗିଲାଟୋଲା ବସ୍ତିର ସେକ୍‌ ମୌସମ ଓ ଛୋଟୁ ମଣ୍ଡଳ। ‌ଉଭୟଙ୍କଠାରୁ ୪୫ ଗ୍ରାମ ବ୍ରାଉନ୍‌ସୁଗାର୍‌, ଗୋଟିଏ ବନ୍ଧୁକ, ୪ରାଉଣ୍ଡ ଗୁଳି ଓ ମୋବାଇଲ୍‌ ଜବତ କରାଯାଇଛି।

Advertisment

ସେହିପରି ନୂଆପଲ୍ଲୀ ଥାନା ପୁଲିସ ନୂଆପଲ୍ଲୀ ଶିଶୁମନ୍ଦିର ଅଞ୍ଚଳର ସାବିତ୍ରୀ ବେହେରା(୫୩)ଙ୍କୁ ଗିରଫ କରି ତାଙ୍କଠାରୁ ୧୧୦ ପ୍ୟାକେଟ୍‌ ଗଞ୍ଜେଇ ସିଗାରେଟ୍‌ ଜବତ କରିଛି। ଏନେଇ ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଯୋଗଦେଇ ଅପରେସନ୍‌ର ମୁଖ୍ୟ ଉଦ୍ଦେଶ୍ୟ ସହ ଅପରାଧିଙ୍କୁ ଦମନ ଉପରେସୂଚନା ଦେଇଛନ୍ତି।
ସୂଚନା ମୁତାବକ, ବହୁଦିନ ହେବ ମୌସମ ଓ ଛୋଟୁ ମିଶି ନିଶା କାରବାର କରୁଥିବା ‘ପ୍ରହାର’ ଟିମ୍‌କୁ ସୂଚନା ମିଳିଥିଲା। ଯୋଜନା ମୁତାବକ ସୋମବାର ସାଢ଼େ ୧ଟା ସମୟରେ ଇନ୍‌ଫୋସିଟି ଥାନା ପୁଲିସ ଚିର୍‌ଗିଲାଟୋଲା ବସ୍ତିରେ ଥିବା ମୌସମର ଘରେ ଚଢ଼ଉ କରି ପ୍ରଥମେ ସୌସମ ଓ ଛୋଟୁକୁ ଗିରଫ କରିଥିଲା। ଚଢ଼ଉ ବେଳେ ଘରୁ ବନ୍ଧୁକ, ଗୁଳି ଓ ବ୍ରାଉନ୍‌ସୁଗାର୍‌ ମିଳିଥିଲା। ସେହିପରି ଆଜି ଦିନ ୧ଟା ସମୟରେ ନୂଆପଲ୍ଲୀ ଥାନା ପୁଲିସ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନିକଟ ପଡ଼ିଆରେ ଚଢ଼ଉ କରି ସାବିତ୍ରୀଙ୍କୁ ଗିରଫ କରି ତାଙ୍କଠାରୁ ୧୦୦ ପ୍ୟାକେଟ୍‌ ଗଞ୍ଜେଇ ସିଗାରେଟ୍‌ ଜବତ କରିଥିଲା। ମୌସମ ନାଁରେ ଇନ୍‌ଫୋସିଟି ଥାନାରେ ୬ଟି, ମହିଳା ଓ ଖାରବେଳନଗର ଥାନାରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରହିଛି। ସେହିପରି ଛୋଟୁ ନାଁରେ ଇନ୍‌ଫୋସିଟି ଥାନାରେ ୩ଟି ଅପରାଧିକ ମାମଲା ରହିଛି। ତେବେ ସାବିତ୍ରୀ ନାଁରେ ନୂଆପଲ୍ଲୀ ଥାନାରେ ୨ଟି ମାମଲା ରହିଛି। ୩ ନିଶା ମାଫିଆଙ୍କୁ ଜେରା ପରେ କୋର୍ଟଚାଲାଣ କରାଯାଇଛି।

ଅନ୍ୟପଟେ ଏହି ଟିମ୍‌ ଗଠନ ପଛର ମୁଖ୍ୟ ଉଦେଶ୍ୟ ସହରରୁ ନିଶା ମାଫିଆଙ୍କୁ ମୂଳପୋଛ କରିବା। ବିଶେଷକରି ଶିକ୍ଷାନୁଷ୍ଠାନ ଓ ଆଖପାଖ ଅଞ୍ଚଳରେ ଯେଭଳି କୌଣସି ନିଶାଦ୍ରବ୍ୟ ବିକ୍ରି ନହୁଏ ତାହା ଉପରେ ତୀକ୍ଷ୍ଣ ନଜର ରଖିବା। ଏଥିପାଇଁ ପ୍ରତି ଜୋନ୍‌ର ଏସିପିଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ଟିମ୍‌ରେ ଏସ୍‌ଟିଏଫ୍‌, ଏନ୍‌ସିବି, ଅବକାରୀ ଓ ବିଏମ୍‌ସିକୁ ସାମିଲ କରାଯାଇଛି।