ଆଇଆଇଟିକୁ ଆସିଲେ ବି.ଟେକ୍‌ ଛାତ୍ରଛାତ୍ରୀ: ୨୬ରୁ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ବର: ୨୦୨୧-୨୨ ଶିକ୍ଷାବର୍ଷ ଲାଗି ଭୁବନେଶ୍ବର ଆଇଆଇଟିର ପ୍ରଥମବର୍ଷ ବି.ଟେକ୍‌ ଓ ଡୁଆଲ୍‌ ଡିଗ୍ରି ଛାତ୍ରଛାତ୍ରୀଙ୍କ ନାମଲେଖା ଶେଷ ହୋଇଛି। ଏଥିସହ କ୍ୟାମ୍ପ‌ସ୍‌ରେ ଯୋଗ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତବର୍ଷ ମୋଟ ୪୭୨ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ପ୍ରଥମ ଦୁଇ ଦିନରେ ୨୨୬ଜଣ କ୍ୟାମ୍ପସରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୧୮୨ଜଣ ଛାତ୍ର ଓ ୪୪ଜଣ ଛାତ୍ରୀ ରହିଥିବା ଆଇଆଇଟି କର୍ତୃପକ୍ଷ ସୂଚନା ଦେଇଛନ୍ତି। ମୋଟ ସିଟ୍‌ର ୨୦% ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ୯୦ଜଣ ନାମ ଲେଖାଇଛନ୍ତି। ସେହିପରି ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୯ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ବୋଲି ଜଣାପଡ଼ିଛି।

କରୋନା ସଂକ୍ରମଣକୁ ନଜରରେ ରଖି ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଠପଢ଼ା ଲାଗି ଅନ୍‌ଲାଇନ୍‌ ସୁବିଧା ଉପଲବ୍ଧ ହୋଇଛି। ସେମାନେ ଘରେ ରହି ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରିପାରିବେ। ବି.ଟେକ୍‌ର ୭ ଓ ଡୁଆଲ୍‌ ଡିଗ୍ରିର ୧୫ ଜଣ ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ଜନିତ ସମସ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ କାରଣ ଲାଗି ବିଳମ୍ବରେ କ୍ୟାମ୍ପସରେ ଯୋଗ ଦେବାକୁ ଅନୁରୋଧ କାରିଛନ୍ତି। ଅନ୍ୟମାନେ ବୁଧବାର ସୁଦ୍ଧା କ୍ୟାମ୍ପସରେ ଯୋଗଦେବେ ବୋଲି କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି। କ୍ୟାମ୍ପସରେ ରିପୋର୍ଟ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦% ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ବେଳେ ୨୭% ଆଶିଂକ ଓ ୨୩% ଆଦୌ ଟିକା ନେଇନାହାନ୍ତି।

ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର କହିଛନ୍ତି ଯେ ୧୮ବର୍ଷରୁ କମ୍ ବୟସର ଯେଉଁମାନଙ୍କ ଟିକାକରଣ ହୋଇନାହିଁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାରୀରିକ ଉପସ୍ଥିତି ସହ ଶିକ୍ଷା ପାଇଁ କ୍ୟାମ୍ପସ୍ ହଷ୍ଟେଲରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି। ପିଲାଙ୍କ ଟିକାକରଣକୁ ପ୍ରାଥମିକତା ଦେଇ କ୍ୟାମ୍ପସକୁ ଅତ୍ୟଧିକ ସୁରକ୍ଷିତ ରଖିଛୁ। ବର୍ତ୍ତମାନ ସମୟରେ କ୍ୟାମ୍ପସ କୋଭିଡ୍‌ମୁକ୍ତ ରହିଛି। ଏଭଳି କଟକଣାକୁ ଆପଣାଇ ଆମେ କ୍ୟାମ୍ପସକୁ ସୁରକ୍ଷା ରଖିପାରିବା। ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ଯତ୍ନ ଉପରେ ପ୍ରାଥମିକତା ଦେଉଛୁ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯେତେବେଳେ ସେମାନେ ଯୋଗ୍ୟତା ଅର୍ଜନ କରିବେ, ସେତେବେଳେ ସେମାନଙ୍କୁ ମଧ୍ୟ ଟିକାକରଣ କରାଯିବ। କ୍ୟାମ୍ପସରେ ଯୋଗଦେବା ପାଇଁ ଗତ ୭୨ଘଣ୍ଟା ମଧ୍ୟରେ ଆରଟିପିସିଆର୍‌ ଟେଷ୍ଟ ସହ ନେଗେଟିଭ୍‌ ରିପୋର୍ଟ ଦାଖଲକୁ ବାଧ୍ୟତାମୂଳକ କରାଯାଇଛି।

ଆଇଆଇଟି ଏକାଡେମିକ୍‌ ଆଫେୟାର୍ସ ଡିନ୍ ପିଆର ସାହୁ କହିଛନ୍ତି, ନୂତନ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆସନ୍ତା ୨୬ତାରିଖରୁ ଆରମ୍ଭ ହେବ। ପ୍ରଥମେ କିଛି ସପ୍ତାହ ପାଇଁ ଅନ୍‌ଲାଇନ୍ ମୋଡ୍ ଏବଂ ପରେ ହାଇବ୍ରିଡ୍ ମୋଡ୍ ଦ୍ବାରା କ୍ଲାସ କରାଯିବ। ୨୦୨୨ ଜୁନ୍‌ ସୁଦ୍ଧା ଛାତ୍ରଛାତ୍ରୀଙ୍କ ଏକାଡେମିକ୍‌ ଶିକ୍ଷାବର୍ଷ ଶେଷ କରିବା ଆମର ଲକ୍ଷ୍ୟ। ଛାତ୍ର ବ୍ୟାପାର ଡିନ୍‌ ପ୍ରଫେସର୍‌ ପିଭି ସତ୍ୟମ୍ କହିଛନ୍ତି ଯେ କୋଭିଡ୍‌ ସଂକ୍ରମଣ ରୋକିବାକୁ ଏକ ଟିମ୍‌ ଗଠନ ହୋଇଛି। ଯେଉଁଥିରେ ୱାର୍ଡେନ୍‌ ଶାନ୍ତନୁ ପାଲ୍‌ ମୁଖ୍ୟ ରହିଛନ୍ତି। ଏହି ଟିମ୍‌ରେ ମେଡିକାଲ ଅଫିସରଙ୍କ ସମେତ ବିଭିନ୍ନ ବିଭାଗ ମୁଖ୍ୟ ସାମିଲ ଅଛନ୍ତି। ଡିସେମ୍ବର ମାସରେ ୩ୟ ବର୍ଷ ବି.ଟେକ୍‌ ଛାତ୍ରଛାତ୍ରୀଙ୍କ କ୍ୟାମ୍ପସରେ ଶତପ୍ରତିଶତ ଉପସ୍ଥାନ ଦିଗରେ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର