ପିସ୍‌ ଫର୍‌ ଅଲ୍‌ ପକ୍ଷରୁ ଦୀପାବଳି

ଭୁବନେଶ୍ୱର: ପିସ୍‌ ଫର୍‌ ଅଲ୍‌ ପକ୍ଷରୁ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ଦୀପାବଳି ପାଳିତ ହୋଇଛି। ଭିନ୍ନକ୍ଷମ ବା ଦୃଷ୍ଟହୀନ ପିଲାମାନଙ୍କୁ ଦୀପାବଳିରେ ସାଧାରଣ ପିଲାଙ୍କ ପରି ଆନନ୍ଦ ଅନୁଭବ ଦେବାକୁ ପିସ୍‌ ଫର୍‌ ଅଲ୍‌ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅତିଥି ଭାବେ ଜାତୀୟ ଯୁବ ପ୍ରକଳ୍ପର ମଧୁସୂଦନ ଦାସ, ଯୁବ ପ୍ରଯୋଜକ ବିଶ୍ୱଜିତ୍‌ ରଣା ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ନବକିଶୋର ସ୍ୱାଇଁ ପିଲାମାନଙ୍କୁ ଚକଲେଟ୍‌, ମିଠା କେକ୍‌ ବାଣ୍ଟିବା ସହ ଦୀପ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭ୍ୟ ସଭ୍ୟା ସସ୍ମିତା, ସରିତା, ବିଶ୍ୱଜିତ୍‌, ଗାୟତ୍ରୀ, ଅଭିଷେକ, ଏସ୍‌.କେ ଅସଦ୍‌, ଗୀତାଞ୍ଜଳି, ପଦ୍ମଲୋଚନ, ପୂର୍ଣ୍ଣିମା, ଜ୍ୟୋତ୍ସ୍ନା, ଆଦର୍ଶ, ମାନସ, ମାନସ, ସୁନିଲ୍‌, ଏସ୍‌.ଡି ମହାପାତ୍ର ଉପସ୍ଥିତ ଥିଲେ।

ଆଶ୍ରୟସ୍ଥଳୀରେ ଦୀପାବଳି

ବାସହୀନଙ୍କ ଗହଣରେ ଦୀପାବଳି ପାଳିତ ହୋଇଯାଇଛି। ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ରଙ୍ଗୋଲିରେ ଝୋଟି ପକାଇବା ସହ ଦୀପ ଓ ମହମବତି ଜାଳି ଦୀପାବଳି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ। ପରସ୍ପରକୁ ମିଠା ଖୁଆଇବା ସହ ନାଚଗୀତରେ ମସଗୁଲ ଅନ୍ତେବାସୀମାନେ ଦୀପାବଳିକୁ ଖୁବ୍‌ ଉପଭୋଗ କରିଥିଲେ। ପରିବାରଠୁ ଦୂରେଇ ଯାଇଥିଲେ ହେଁ ଆଶ୍ରୟସ୍ଥଳୀରେ ସେମାନେ ଏକ ନୂଆ ପରିବାର ସହ ଆନନ୍ଦର ପର୍ବ ପାଳିଥିଲେ। ବିଏମ୍‌ସି ଓ ବିକାଶ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଥିବା ଏହି ପର୍ବକୁ ବିକାଶ ଅନୁଷ୍ଠାନ ଅଧୀନ ଆଶ୍ରୟସ୍ଥଳୀ ଦ୍ୱୟର ପରିଚାଳକ ସୁଶାନ୍ତ କୁମାର ବେହେର ଓ କେ ସନ୍ତୋଷ ଗିରି ପରିଚାଳନା କରିଥିଲେ। ବିକାଶ’ର ସମ୍ପାଦକ ବିବେକାନନ୍ଦ ମିଶ୍ର ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିଥିଲେ। ବରମୁଣ୍ଡାର ବିଜୟ କୁମାର ବେହେରାଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଦୀପାବଳିରେ ବାଣ୍ଟିଲେ ପାଠ୍ୟଉପକରଣ

ଆନନ୍ଦର ପର୍ବ ଦୀପାବଳି ପରିପ୍ରେକ୍ଷୀରେ ଅନ୍ୟ ମୁହଁରେ ଖୁସି ବାଣ୍ଟିବା ପାଇଁ ୩୭ ନଂ ଓ୍ଵାର୍ଡ ଜଗନ୍ନାଥ ବସ୍ତିରେ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। ଓ୍ଵାର୍ଲ୍‌ଡ ଭିଜନର ଶିକ୍ଷା ବିକାଶ ବିଭାଗ ପକ୍ଷରୁ ବସ୍ତିରେ ୭୫ ଜଣ ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ସ୍ଥାନୀୟ କର୍ପୋରେଟର ନବକିଶୋର ବେହେରା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓ୍ଵାର୍ଲ୍‌ଡ ଭିଜନ୍‌ର ସଂଯୋଜିକା ପ୍ରତିମା ତାଣ୍ଡି, ମିତାଲି ପାତ୍ର, ବିଜେ ନିର୍ମଳା, ଜଗନ୍ନାଥ ବସ୍ତି ମହିଳା ଆରୋଗ୍ୟ ସମିତିର ସଭାପତି ଅହଲ୍ୟା ଦିଗାଲ୍‌ଙ୍କ ସମେତ ସମସ୍ତ କର୍ମକର୍ତା ଓ ବସ୍ତିବାସିନ୍ଦା ଉପସ୍ଥିତ ଥିଲେ। ସମସ୍ତ ବସ୍ତିବାସିନ୍ଦା ଉତ୍ସାହର ସହ ଏହି ମହନୀୟ କାର୍ଯ୍ୟକୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର