ପୁରୁଣା ଭୁବନେଶ୍ୱର: ୧୯୫୧ ମସିହାରୁ ପୁରୁଣା ଭୁବନେଶ୍ବର ହାଟସାହିରେ ଜଗତଜନନୀ ମା’ ଦୁର୍ଗାଙ୍କ ସାର୍ବଜନୀନ ପୂଜା ହୋଇଆସୁଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାପାମାଆଙ୍କ ମନ୍ଦିର ନିକଟରେ ହେଉଥିବା ଏହି ପୂଜା ପ୍ରଥମେ ହର ପାର୍ବତୀ ପୂଜାରୁ ଆରମ୍ଭ ହୋଇଥିଲା। ପରେ ଏହା ମା’ ବନଦୁର୍ଗା ପୂଜା ଭାବେ ଅନୁଷ୍ଠିତ ହୋଇଆସୁଛି।

Advertisment

ନନ୍ଦ ଉତ୍ସବ ଦିନରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମାଟି ଅନୁକୂଳ ହୋଇ ଆସିଥାଏ। କାରିଗରମାନେ ମା’ଙ୍କ ମହିଷାମର୍ଦିନୀ ମୂର୍ତ୍ତି ଓ ପାର୍ଶ୍ୱ ଦେବଦେବୀଙ୍କ ପ୍ରତିମା ଗଢ଼ୁଛନ୍ତି। ଚଳିତ ବର୍ଷ ମୂର୍ତ୍ତି ଗଢ଼ା ପାଇଁ ୮୦ହଜାର ଟଙ୍କା ବ୍ୟୟ କରାଯିବ। ବିସର୍ଜନ ଶୋଭାଯାତ୍ରା ପାଇଁ ୭ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି। ସେହିପରି ସଙ୍କୁଡ଼ି ଭୋଗ ପାଇଁ ୧ଲକ୍ଷ ୫୦ହଜାର ଟଙ୍କାର ବ୍ୟୟ ବରାଦ ରହିଛି।  ଧୁମ୍‌ଧାମ୍‌ରେ ପାରମ୍ପରିକ ନୃତ୍ୟ ଓ ବାଜା ଓ ରୋଶଣିରେ ଭସାଣି ଉତ୍ସବ ଆୟୋଜିତ ହେବ। ମଣ୍ଡପ ନିକଟରେ ଲାଇଟ୍ ଗେଟ୍ ସହ ହାଟସାହି ମୁହଁରେ ବଡ଼ଗେଟ୍ କରାଯିବ। ଏଥର ପାରମ୍ପରିକ ବାଦ୍ୟ ସହ ବହ୍ମପୁରରୁ ପତକା, ବାଘ, ଘୋଡ଼ା, ବଗବଗୁଲି, ସୋନପୁରରୁ ଘଣ୍ଟ, ଜଟଣୀରୁ ମାଦଳ ବାଜା, ଜୁନାଗଡ଼ର ସିଂହ ବାଜା, ବ୍ୟାଣ୍ଡ୍‌ ପାର୍ଟି ଭସାଣି ଶୋଭାଯାତ୍ରାରେ ଦେଖିବାକୁ ମିଳିବ। ଏ ବର୍ଷର ମୁଖ୍ୟ ଆକର୍ଷଣ ହେବ ମଧ୍ୟପ୍ରଦେଶ ଉଜ୍ଜୟିନୀ ମହାକାଳେଶ୍ୱରର ଡମ୍ବରୁ, ଢୋଲ, ଘଣ୍ଟ ବାଦ୍ୟ ଆହୁରି ଅନେକ ପାରମ୍ପରିକ ବାଦ୍ୟ ପରିବେଷଣ କରାଯିବ। ସ୍ଥାନାଭାବ ପାଇଁ ଏଠାରେ ବିଶାଳ ତୋରଣ କରିବା ସମ୍ଭବ ହୋଇନଥାଏ। କିନ୍ତୁ ଡିଜିଟାଲ୍‌ ଲାଇଟ୍‌ ତୋରଣ ଏଠାରେ ବେଶ୍ ଚମତ୍କାର ହୋଇଆସୁଛି।  

ଏହି ପୂଜାରେ ମହାଷ୍ଟମୀ ଦିନ ସନ୍ଧି ପୂଜା ହୋଇଥାଏ। ପୀଠ ଭଳି ଏଠାରେ ମାଛ ଭୋଗ ଲାଗି ହେବା ବିଧି ରହିଛି। ସେଦିନ ଶ୍ରଦ୍ଧାଳୁମାନେ ସହସ୍ର ଦୀପ ପ୍ରଜ୍ଜ୍ବଳନ କରିଥା’ନ୍ତି। ଏହି ଦିନର ମା’ଙ୍କ ବିଶେଷ ପୂଜା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମେ। ମହାଷ୍ଟମୀରେ ମା’ଙ୍କୁ ଲାଗି ହୋଇଥିବା ଆମିଷ ଭୋଗକୁ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସମସ୍ତ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ। ଏଭଳି ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ସମ୍ମୁଖରେ ପୀଠ ସଦୃଶ ପୂଜାର୍ଚ୍ଚନା ଭଳି ନିଆରା ପ୍ରଥା ପାଇଁ ହାଟସାହି ସମଗ୍ର ଭୁବନେଶ୍ବରରେ ଏକ ସ୍ବତନ୍ତ୍ର ମାନ୍ୟତା ପାଇଛି। 

ବିଜୟ ମହାପାତ୍ର, ସମ୍ପାଦକ

ସ୍ଥାନୀୟ ଅଞ୍ଚଳର ଭାଇଚାରା ଯେପରି ବଜାୟ ରହିବ, ସେଥିପ୍ରତି ଦୃଷ୍ଟି ଦିଆଯିବ। ମାଆଙ୍କ ପୂଜା ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ତେଣୁ ସମସ୍ତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଦର୍ଶନ କିଭଳି ଭଲରେ ହେବ, ସେଥିପ୍ରତି କମିଟି ଓ ସ୍ବେଚ୍ଛାସେବୀମାନେ ସବୁବର୍ଷ ଭଳି ପ୍ରସ୍ତୁତ ହୋଇ ଅଛନ୍ତି। ପୁରୁଣା ଭୁବନେଶ୍ବରରେ ତୋରଣ ଓ ସାଜସଜ୍ଜା ଅପେକ୍ଷା ମା’ଙ୍କର ପୂଜା ବିଧି ଉପରେ ଅଧ‌ିକ ଗୁରୁତ୍ବ ଦିଆଯିବ। ମହାନବମୀରେ କୁଆଁରୀ ପୂଜା ଓ ସପ୍ତମୀ ଦିନ ସାହିର ବରିଷ୍ଠ ଓ କନିଷ୍ଠ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯିବ।  

ରାଜେନ୍ଦ୍ର କୁମାର ସମର୍ଥା, ସଭାପତି