କାମରେ ଆସୁନି ବିଜୁ ଗ୍ରାମୀଣ ଆମିଷ ପିଣ୍ଡି

ଖଣ୍ଡଗିରି : ୨୦୨୦-୨୧ ଆର୍ଥିକ ବର୍ଷ‌ରେ ତମାଣ୍ଡୋ ବଜାରରେ ନିର୍ମାଣ ହୋଇଥିଲା ବିଜୁ ଗ୍ର‌ାମୀଣ ଆମିଷ ପିଣ୍ଡି। ଏଥିପାଇଁ ତମାଣ୍ଡୋ ପଞ୍ଚା‌ୟତ ପାଣ୍ଠିରୁ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ପିଣ୍ଡି ତିଆରି ହେବାକୁ ବର୍ଷେ ବିତି ଯାଇଥିଲେ ହେଁ ଏଯାବତ୍‌ ସେଠାରେ ବ୍ୟବସାୟ ଆରମ୍ଭ ହୋଇପାରିନାହିଁ। ଏବେ ବି ବ୍ୟବସାୟୀମାନେ ପୂର୍ବପରି ଜାତୀୟ ରାଜପଥ କଡ଼‌ରେ ବସି ବେପାର କରୁଛନ୍ତି। ଯେଉଁଠି ପିଣ୍ଡି ତିଆରି ହୋଇଛି, ତା’ ଆଗରେ ଥିବା ସରକାରୀ ଜମିକୁ ମାଡ଼ି ବସି ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିଥିବାରୁ ପିଣ୍ଡିକୁ ଯା’ ଆସ କରିବାରେ ସମସ୍ୟା ଉପୁଜିବ ଭାବି ବେପାରୀମାନେ ପିଣ୍ଡିକୁ ଯିବାକୁ ଉଚିତ ମଣୁନାହାନ୍ତି। ଫଳରେ ବ୍ୟବହାର ହୋଇ ନପାରି ପିଣ୍ଡିଗୁଡ଼ିକ ଏବେ ନଷ୍ଟ ହେବାକୁ ବସିଲାଣି। ଅନାବନା ଘାସଲତା ମାଡ଼ିଯିବା ସହ ଟିଣ ଛପର ସବୁ ଭାଙ୍ଗିରୁଜି ଗଲାଣି।

ସୂଚନାଯୋଗ୍ୟ, ଆଖପାଖରେ ଆଉ ବଡ଼ ଆମିଷ ବଜାର ନଥିବାରୁ ଏହି ମାର୍କେଟ୍‌ ଉପରେ ଆଖପାଖ କଳିଙ୍ଗ ବିହାର, ନାରଗୋଦା, ସିଜୁପୁଟ, ପାତ୍ରପଡ଼ା ଅଞ୍ଚଳର ବହୁ ଲୋକ ନିର୍ଭର କରନ୍ତି। କିନ୍ତୁ ମାର୍କେଟ୍‌ ପାଇଁ କୌଣସି ପିଣ୍ଡି ନ ଥିବାରୁ ବେପାରୀମାନେ ଜାତୀୟ ରାଜପଥ କଡ଼ରେ ବେପାର କରି ଆସୁଥିଲେ। ଏଥିଯୋଗୁଁ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ଏହାକୁ ଦୃଷ୍ଟିରେ ରଖି ଓ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଗତବର୍ଷ ଜାତୀୟ ରାଜପଥଠାରୁ ପାଖାପାଖି ୨୦୦ ମିଟର ଦୂରରେ ଏକ ଆମିଷ ପିଣ୍ଡି ନିର୍ମାଣ ହୋଇଥିଲା। କିନ୍ତୁ ସେଠାକୁ ଯାତାୟାତ ପାଇଁ ସୁବିଧା ନଥିବାରୁ ବେପାରୀ ସେଠାକୁ ଯିବାକୁ ମଙ୍ଗୁ ନାହାନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ପିଣ୍ଡି ନିର୍ମାଣ ହୋଇଥିଲା, ତାହା ସାଧିତ ହୋଇପାରୁନାହିଁ।
ଏ ସଂପର୍କରେ ତମାଣ୍ଡୋ ସରପଞ୍ଚ ଜଗମୋହନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ପଞ୍ଚାୟତ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା କାମରେ ନ ଆସିବା କ୍ଷୋଭର ବିଷୟ। ପିଣ୍ଡି ସମ୍ମୁଖରେ ସରକାରୀ ଜାଗାରୁ ଦୋକାନଗୁଡ଼ିକୁ ହଟାଗଲେ ଏ ସମସ୍ୟାର ସମାଧାନ ହୋଇପାରିବ।

ସମ୍ବନ୍ଧିତ ଖବର