କୁଆଖାଇରେ ବୁଡ଼ି ମତ୍ସ୍ୟଜୀବୀ ନିଖୋଜ

ଜାଲ ଓ ମାଛ ଜବତ

ବାଲିଅନ୍ତା : ପହିଲି ରଜର ମାହୋଲ ଭିତରେ ସମସ୍ତେ ହସଖୁସିରେ ମସଗୁଲ୍‌ ଥିବା ବେଳେ ଆଜି ବାଳକାଟି ଫାଣ୍ଡି ଅଧୀନ ଗଡ଼କଣ୍ଟୁଣିଆ ନିକଟସ୍ଥ କୁଆଖାଇ ନଦୀରେ ଏକ ଅଘଟଣ ଘଟିଛି। ଭୋର୍‌ ସମୟରେ ଦୁଇ ପୁଅଙ୍କ ସହ କୁଆଖାଇରୁ ମାଛ ଧରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ନଦୀରେ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ବାଲିଅନ୍ତା ଦମକଳ କେନ୍ଦ୍ର ସେବା କର୍ମଚାରୀ, ଓଡ୍ରାଫ ଟିମ୍‌ ପହଞ୍ଚି ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନାହିଁ। ପୂର୍ବାହ୍ନରେ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ନିଖୋଜ ବ୍ୟକ୍ତିଜଣଙ୍କ ହେଲେ, ବାଲିପାଟଣା ଥାନା ସୋମଣାଶାସନ ପଞ୍ଚାୟତ ଅଧୀନ ଚିତ୍ତଳପୁର ଗ୍ରାମର ଶେଖ୍ ଜଲାଲଉଦ୍ଦିନ୍‌ (୫୫)।

ପୁଲିସ ସୂଚନା ଅନୁଯାୟୀ, ଶେଖ୍ ଜଲାଲଉଦ୍ଦିନ୍‌ ମାଛ ବ୍ୟବସାୟ କରି ପରିବାର ଚଳାନ୍ତି। ଆଜି ପହିଲି ରଜ ଆମିଷବାରି ହୋଇଥିବାରୁ ମାଛ ବିକ୍ରି କରି ଭଲ ଦି’ ପଇସା ରୋଜଗାର ହେବ ବୋଲି ଆଶା ରଖିଥିଲେ। ତେଣୁ ଗଡ଼କଣ୍ଟୁଣିଆସ୍ଥିତ କୁଆଖାଇ ନଦୀର ଗଭୀର ଜଳରେ ଗତକାଲିଠାରୁ ଫାସି ଜାଲ ଟାଙ୍ଗିଥିଲେ। ଜାଲରେ ଭଲ ମାଛ ବି ପଡ଼ିଥିଲା। ଆଜି ଭୋର୍‌ରେ ସେ ବଡ଼ପୁଅ ଶେଖ୍ ଗୋଲାମ(୨୩) ଓ ସାନ ପୁଅ ଶେଖ୍ ଇସମାଇଲ(୨୧)ଙ୍କ ସହ ମାଛ ଧରିବାକୁ ଗଲା ବେଳେ ଏହି ଅଘଟଣ ଘଟିଥିଲା। ପାଣି ଭିତରେ ବୁଡ଼ି ଜଲାଲଉଦ୍ଦିନ୍‌ ଜାଲ ଟାଣୁଥିବା ବେଳେ ପାଣି ସୁଅରେ ଭାସି ଯାଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ବଡ଼ ପୁଅ ଗୋଲାମଙ୍କ କହିବାନୁଯାୟୀ, ସେ ଓ ତାଙ୍କ ସାନଭାଇ ଇସ୍‌ମାଇଲ ଖେପା ପକାଇ ମାଛ ଧରୁଥିଲେ। ଜଲାଲଉଦ୍ଦିନ୍‌ କିଛି ଦୂରରେ ବାଲିବନ୍ଧ ରାସ୍ତା ଉପରେ ବସିଥିଲେ। ପାଣିରେ ବୁଡ଼ି ତାଙ୍କ ନିକଟକୁ ଆସୁଥିବା ବେଳେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଦୁଇଭାଇ ଚିତ୍କାର କରି ତାଙ୍କୁ ଡାକିଥିଲେ, ଏପରିକି ପାଣିରେ ବୁଡ଼ି ବହୁ ସମୟ ଧରି ଖୋଜାଖୋଜି ବି କରିଥିଲେ। ହେଲେ ତାଙ୍କର ପତ୍ତା ମିଳି ନଥିଲା। ଏପଟେ ଖୋଜାଖୋଜି କରିବା ଭିତରେ ରାତି ପାହି ଯାଇଥିଲା। ତେଣୁ ଦୁଇ ଭାଇ ସ୍ଥାନୀୟ ଲୋକଙ୍କ ସହାୟତା ଲୋଡ଼ିଥିଲେ। ଖବର ପାଇ ବାଲିଅନ୍ତା ଥାନା ଓ ଅଗ୍ନିଶମ ସେବା କେନ୍ଦ୍ର ସେଠାରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। କିନ୍ତୁ ଶେଷ ଖବର ମୁତାବକ, ସଂଧ୍ୟା ସୁଦ୍ଧା ଅଗ୍ନିଶମ କେନ୍ଦ୍ର ସେବା କର୍ମଚାରୀ ଏବଂ ଓଡ୍ରାଫ ଟିମ୍‌ ଜଲାଲଉଦ୍ଦିନ୍‌ଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇନଥିବା ଜଣାଯାଇଛି। ଏଭଳି ଦୁଃଖଦ ଘଟଣା ବାଲିଅନ୍ତା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଘଟଣାସ୍ଥଳରୁ ପୁଲିସ୍‌ ୧୫କେଜି ମାଛ ଓ ଜାଲ ଜବତ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର