ଭୁବନେଶ୍ବର : ରାଜଧାନୀରେ ଥିବା ଫିସଫେଡ୍ କାର୍ଯ୍ୟାଳୟରେ ହେବ ଫିସଫେଡ୍ ଟାୱାର। ୫ମହଲାରୁ ଅଧିକ ଆକର୍ଷଣୀୟ ବିଲ୍ଡିଂ ନିର୍ମାଣ ହେବ। ନୂତନ ବିଲ୍ଡିଂରେ ମତ୍ସ୍ୟଜୀବୀଙ୍କ ମାର୍କେଟିଂଠାରୁ ଆରମ୍ଭ କରି ଲଜିଷ୍ଟିକ୍ ସହାୟତା ଦିଆଯିବ। ଆସନ୍ତା ୩ବର୍ଷ ମଧ୍ୟରେ ଏହି ନୂତନ ବିଲ୍ଡିଂ ନିର୍ମାଣ ହେବ ବୋଲି ଜଣାପଡ଼ିଛି।
ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଟକ ରୋଡ୍ରେ ଥିବା ଫିସଫେଡ୍ର ୧.୬୬ ଏକର ଜାଗା ରହିଛି। ଏଥିରେ ଫିସଫେଡ୍ କାର୍ଯ୍ୟାଳୟ ଚାଲୁଥିବା ବେଳେ କିଛି ଅଂଶ ଖାଲି ରହିଛି। ସେହିପରି ଦୀର୍ଘଦିନରୁ ବନ୍ଦ ହୋଇ ପଡ଼ିଥିବା ବରଫ କଳ ଜାଗାକୁ ମଧ୍ୟ ଏଥିରେ ସାମିଲ କରାଯିବ। ଏହାକୁ ମିଶାଇ ନୂତନ ବିଲ୍ଡିଂ ନିର୍ମାଣ ହେବ। ଏହି ବିଲ୍ଡିଂରେ ସ୍ବତନ୍ତ୍ରଭାବେ କନଫରେନ୍ସ ହଲ ସହିତ ମତ୍ସ୍ୟଜୀବୀଙ୍କ ପାଇଁ ବାଣିଜ୍ୟ ୟୁନିଟ୍ ରହିବ। ଏହି ୟୁନିଟ୍ରେ ଜାଲ, ଡଙ୍ଗା ଓ ବୋଟ୍ ବିକ୍ରି ହେବ। ଯାହାଫଳରେ ମତ୍ସ୍ୟଜୀବୀ ସିଧାସଳଖ ଏଠାରୁ ଆବଶ୍ୟକ ଜିନିଷ କିଣିପାରିବ। ଏହାସହ ଗୋଟିଏ ମହଲାରେ ସ୍ବତନ୍ତ୍ରଭାବେ ଏକ ବିଶ୍ବସ୍ତରୀୟ ଆକ୍ବାରିୟମ୍ ପ୍ରତିଷ୍ଠା ହେବ। ଲୋକମାନେ ଏହାର ଅନୁଭୂତି ଏଠାରେ ନେଇ ପାରିବେ।
କିଛିଦିନ ପୂର୍ବରୁ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଟାୱାର ନିର୍ମାଣ ପାଇଁ ୩୬ମାସର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆସନ୍ତା କିଛିମାସ ମଧ୍ୟରେ ଏନେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଫିସ୍ଫେଡର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଅଭିନବ ଢଙ୍ଗରେ ଏହି ବିଲ୍ଡିଂ ନିର୍ମାଣ କରାଯିବ। ଗୋଟିଏ ଛାତ ତଳେ ମତ୍ସ୍ୟଜୀବୀଙ୍କୁ ମାର୍କେଟିଂରୁ ଆରମ୍ଭ କରି ଲଜିଷ୍ଟିକ୍ ସହାୟତା ଯୋଗାଇ ଦିଆଯିବ। ଯାହାଫଳରେ ଏଥିରୁ ସଂସ୍ଥାକୁ ମୋଟା ଅଙ୍କର ରାଜସ୍ବ ଆସିପାରିବ। ଏହି ଟାୱାରର ମୁଖ୍ୟ ଆକର୍ଷଣ ରହିବ ଆକ୍ବାରିୟମ୍। ୫ରୁ ୮ମହଲା ବିଶିଷ୍ଟ ନିର୍ମାଣ ହେବାକୁ ଥିବା ଏହି ଟାୱାର ଆସନ୍ତା ୨୦୨୨/୨୩ ମସିହା ବେଳକୁ କାର୍ଯ୍ୟକ୍ଷମ ହେବ ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।
ମୁଖ୍ୟ ଆକର୍ଷଣ ସାଜିବ ବିଶ୍ବସ୍ତରୀୟ ଆକ୍ବାରିୟମ୍, ଫ୍ୟାକ୍ଟ୍ରି ହଜି ଗଲାଣି, ରୋଡ୍ ବଞ୍ଚିଛି
କଟକ ରୋଡ୍ ବୁଦ୍ଧେଶ୍ବରୀ ମନ୍ଦିର ସମ୍ମୁଖରେ ରହିଛି ଆଇସ୍ ଫ୍ୟାକ୍ଟ୍ରି ରୋଡ୍। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସେଠାରେ ଏକ ସାଇନ୍ ବୋର୍ଡ ମରାଯାଇଛି। ମାତ୍ର ସେଠାରେ ପହଞ୍ଚିବା ପରେ ବରଫ କଳର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିବ ନାହିଁ। ଦୀର୍ଘଦିନ ପୂର୍ବରୁ ଏହା ବନ୍ଦ ହୋଇ ଯାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ବହୁବର୍ଷ ପୂର୍ବରୁ ସେଠାରେ ରାଜ୍ୟ ସରକାରଙ୍କ ଦ୍ବାରା ବରଫ କଳ ପ୍ରତିଷ୍ଠା କରାଯାଇଥିଲା। ହେଲେ ଏହି ବରଫ କଳ ବନ୍ଦ ହେବାରୁ ୧୪/୧୫ବର୍ଷ ବିତିଲାଣି। ଏବେ ସେଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ଦୁଇ ମହଲା କୋଠା ରହିଛି। କୋଠା ଭାଙ୍ଗିରୁଜି ଯାଇଥିବା ବେଳେ ଚାରିଆଡ଼େ ଗଛ ମାଡ଼ି ଗଲାଣି। କୋଠାକୁ ଦେଖିଲେ କେହି କେବେ ବିଶ୍ବାସ କରିପାରିବ ନାହିଁ ସେଠାରେ ଦିନେ ବରଫ ପ୍ରସ୍ତୁତ ହେଉଥିଲା ବୋଲି। ହେଲେ ଆଜି ବି ଏହି ରୋଡ୍ ଆଇସ୍ ଫ୍ୟାକ୍ଟ୍ରି ରୋଡ୍ ଭାବେ ପରିଚିତ ହେଉଛି। ତେବେ ଏହି ବିଲ୍ଡିଂକୁ ଭାଙ୍ଗି ଆଗାମୀ ଦିନରେ ଫିସଫେଡ୍ ଟାୱାର ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି।
ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଦ୍ଧେଶ୍ବରୀ ମନ୍ଦିର ସମ୍ମୁଖ, ବ୍ରହ୍ମପୁର, ବାଲୁଗାଁ, ଚନ୍ଦ୍ରଭାଗା, ଚାନ୍ଦବାଲି ଓ ଚାନ୍ଦିପୁରରେ ବରଫ କଳ ପ୍ରତିଷ୍ଠା କରାଯାଇଥିଲା। ତେବେ ବିଦ୍ୟୁତ୍ ଦର ବଢ଼ିବା ଯୋଗୁଁ ଗୋଟିଏ ପରେ ଗୋଟିଏ ବରଫ କଳ ବନ୍ଦ ହୋଇଯାଇଥିଲା। ଏବେ ରାଜ୍ୟ ସରକାରଙ୍କ ଅଧୀନରେ କୌଣସି ବରଫ କଳ ଚାଲୁ ନାହିଁ। ରାଜ୍ୟରେ ଘରୋଇ ସଂସ୍ଥାମାନେ ବରଫ ତିଆରି କରୁଛନ୍ତି। ଖୋର୍ଧା ଓ ବାଲୁଗାଁ ଅଞ୍ଚଳରୁ ଏବେ ବରଫ ରାଜଧାନୀକୁ ଆସୁଛି। ୮୦ କେଜିର ବରଫ ସାଢ଼େ ୩ଶହରୁ ଅଧିକ ଟଙ୍କା ପଡ଼ୁଛି। ତେବେ ନିକଟରେ ବାତ୍ୟା ଯୋଗୁଁ ରାଜଧାନୀକୁ ବରଫ ଆସିବା ଏକପ୍ରକାର ବନ୍ଦ ହୋଇଯାଇଥିଲା। ସାଧାରଣ ଦିନମାନଙ୍କ ଅପେକ୍ଷା ଏହି ସମୟରେ ବରଫ ଚଢ଼ା ଦରରେ ବିକ୍ରି ହୋଇଥିଲା। ବରଫ ଅଭାବରୁ ଅଧିକାଂଶ ମାଛ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିଲେ।