କିଡ୍‌ନି ବାହାନାରେ ସାଢ଼େ ୫ ଲକ୍ଷ ଚଳୁ, ଯୁବକ ଗିରଫ

ଭୁବନେଶ୍ବର: କିଡ୍‍ନି ଦେବାକୁ କହି ଜଣେ ବରିଷ୍ଠ ନାଗରିକଙ୍କଠାରୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ନୂଆପଲ୍ଳୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ହିମାଂଶୁ ଭୁଷଣ ନନ୍ଦ। ଅଭିଯୋଗ ଅନୁସାରେ ନୂଆପଲ୍ଲୀ ଏନ୍‍-୩/୭୧ରେ ରହୁଥିବା ପ୍ରତାପଚନ୍ଦ୍ର ମିଶ୍ରଙ୍କର ଦୁଇଟି କିଡ୍‍ନି ଖରାପ ହୋଇଯାଇଛି। କିଡ୍‍ନି ପାଇଁ ପରିବାର ଲୋକେ ବିଭିନ୍ନ ବ୍ୟକ୍ତିଙ୍କୁ ଫୋନ୍‌ ଜରିଆରେ ଯୋଗାଯୋଗ କରିଥିଲେ। ୨୦୧୯ ମସିହାରେ ଅଭିଯୁକ୍ତ ହିମାଂଶୁ ପ୍ରତାପଙ୍କ ଘରକୁ ଆସିଥିଲା। କିଡ୍‍ନି ଯୋଗାଇ ଦେବାକୁ କହି ୫ ଲକ୍ଷ ୫୦ ହଜାର ଦାବି କରିଥିଲା। ପ୍ରତାପଙ୍କ ପରିବାର ଲୋକେ ରାଜି ହୋଇ ତାକୁ ଟଙ୍କା ଦେଇଥିଲେ। ମାତ୍ର ଟଙ୍କା ନେବା ପରେ ହିମାଂଶୁ ଆଉ ଧରାଛୁଆଁ ଦେଇନଥିଲା। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ୍‌ ଚଳାଇଥିଲା। କିନ୍ତୁ ହିମାଂଶୁ ଫେରାର୍‌ ହୋଇ ଯାଇଥିଲା। ତେବେ ପୁଲିସ ତା ମୋବାଇଲ ଫୋନ୍‌ ନମ୍ବରକୁ ଟ୍ରାକିଂ କରି କରି ଶେଷରେ ଆଜି ତାକୁ ଠାବ କରିବା ସହ ଗିରଫ କରିଥିଲା।

ସମ୍ବନ୍ଧିତ ଖବର