ମିଠା ବ୍ୟବସାୟୀ ହତ୍ୟା ମାମଲା : ପୁରୀରୁ ୫ ଅଭିଯୁକ୍ତଙ୍କୁ ଉଠାଇଲା ପୁଲିସ

ସୁପାରି କିଲର୍‌ର ପତ୍ତା ମିଳୁନି, ସୁପାରି ପାଇଁ ଲକ୍ଷେ

ଭୁବନେଶ୍ୱର : ସାମନ୍ତରାପୁର ଛକ ମିଠା ଦୋକାନୀ ପ୍ରଭାକର ଓରଫ ଜମ୍ବୁ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍‌ ଥିବା ୫ଜଣଙ୍କୁ ପୁରୀରୁ ଗିରଫ କରାଯାଇଛି। ସେମାନେ ହେଲେ, ଶିଶୁପାଳଗଡ଼ ଦୋଳବେଡ଼ା ସାହି ବାସିନ୍ଦା ତଥା ବଳରାମ ସୁଇଟ୍ସ ମାଲିକ ବଳରାମ ବେହେରା(୭୪), ତାଙ୍କ ପୁଅ ଦିଲ୍ଲୀପ ବେହେରା ଓରଫ ଦିଲୁ, ଦିଲୁର ପତ୍ନୀ ସସ୍ମିତା ବେହେରା। ଏମାନଙ୍କୁ ପୁରୀ ସମୁଦ୍ରକୂଳ ଥାନା ରେଳବାଇ କଲୋନୀ ସରକାରୀ କ୍ୱାର୍ଟର ନଂ ୧୧୫-ବି’ ରୁ ଗିରଫ କରାଯାଇଛି। ସେହିଭଳି ଏମାନଙ୍କୁ ସେଠାରେ ଲୁଚାଇ ରଖିଥିବା ଅଭିଯୋଗରେ ପୁଲିସ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳର ବିଶ୍ୱଜିତ ବାରିକ ଓ ଭୀମଟାଙ୍ଗୀର ରଶ୍ମିରଞ୍ଜନ ବାରିକଙ୍କୁ ଗିରଫ କରିଛି। ଗତକାଲି ଦିଲ୍ଲୀପଙ୍କ ପୁଅ ରାଜକୁମାର କୋର୍ଟରେ ଆତ୍ମସମର୍ପଣ କରିଥିଲା। ତାକୁ ପୁଲିସ ରିମାଣ୍ଡରେ ଆଣିବ ବୋଲି କୋର୍ଟରେ ଆବେଦନ କରିଛି। ତେଣୁ ଏହି ହତ୍ୟାକାଣ୍ଡ ମାମଲାରେ ବଳରାମ ସୁଇଟ୍‌ସ ମାଲିକ ବଳରାମ ବେହେରାର ପୂରା ପରିବାରକୁ ପୁଲିସ ଗିରଫ କରିଛି। ମାତ୍ର ସୁପାରି କିଲର୍‌ ଏବେ ବି ଫେରାର୍ ରହିଛି।

ଏହି ଗିରଫଦାରୀ ପରେ ଜମ୍ବୁକୁ ହତ୍ୟା କରିଥିବା କାରଣ ସ୍ପଷ୍ଟ ହୋଇଛି। ଜମ୍ବୁ ଦୋକାନ ପାଇଁ ବଳରାମ ସୁଇଟ୍‌ସ ଦୋକାନର ବେପାର ମାନ୍ଦା ହୋଇଯାଇଥିଲା। ଜମ୍ବୁ ପୂର୍ବରୁ ବଳରାମ ଦୋକାନରେ ଥିଲେ ଓ ତାଙ୍କ ହାତ ତିଆରି ମିଠାର ବଜାର ଚାହିଦା ଥିଲା। କିନ୍ତୁ ବଳରାମ ଦୋକାନ ଛାଡ଼ି ନିଜେ ଛୋଟ ଦୋକାନଟିଏ କଲା ପରେ ଲୋକେ ବଳରାମ ଦୋକାନ ବାରଣ୍ଡା ମାଡ଼ି ନଥିଲେ। ଏହା ହିଁ ବଳରାମ ବେହେରା ପରିବାରକୁ କ୍ଷୁବ୍ଧ କରିଥିଲା। ମନା କରିବା ପରେ ବି ଜମ୍ବୁ ସାମନ୍ତରାପୁର ବଜାର ଛକ ନ ଛାଡ଼ିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ବଳରାମ ପରିବାର ଯୋଜନା କରିଥିଲେ। ଏକ ଲକ୍ଷ ଟଙ୍କା ସୁପାରି ଦେଇ ତାଙ୍କୁ ହତ୍ୟା କରାଯାଇଥିଲା।

ସୂଚନାଯୋଗ୍ୟ, କୋର୍ଟରେ ଆତ୍ମସମର୍ପଣ କରିଥିବା ବଳରାମଙ୍କ ନାତି ରାଜକୁମାର ନାମରେ ଲିଖିତ ଏତଲା ନଥିଲା। ହେଲେ ସେ ଆତ୍ମସମର୍ପଣ କଲା। ବରଂ ଅନ୍ୟ ଯେଉଁମାନେ ଏତଲା ଅନୁସାରେ ଅଭିଯୁକ୍ତ ଥିଲେ, ସେମାନେ ଲୁଚିଥିଲେ। ଏବେ ପୁଲିସ ଟାର୍ଗେଟ୍‌ରେ କେବଳ ସୁପାରି କିଲର୍‌। ଘଟଣାରେ ଦୁଇ ସୁପାରି କିଲର୍‌ ନିୟୋଜିତ ଥିବା ସୂଚନା ମିଳିଛି। ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ବ୍ରହ୍ମପୁରର ଉକ୍ତ ଦୁଇ ସୁପାରି କିଲରଙ୍କୁ ଏଥିପାଇଁ ୧ ଲକ୍ଷ ଟଙ୍କା ଦେବାକୁ ବଳରାମ ପରିବାର କଥା ଛିଣ୍ଡାଇଥିଲେ। ଅଗ୍ରିମ ବାବଦରେ ୫୦ହଜାର ଟଙ୍କା ବି ଦିଆଯାଇଥିଲା। ହତ୍ୟା କରିବା ପରେ ସେମାନେ ୫୦ ହଜାର ଟଙ୍କା ନେଇ ପାର୍ ହୋଇଯାଇଛନ୍ତି।

ଯୋଜନାନୁସାରେ, ସେମାନେ ଗତ ୧ ତାରିଖରେ ଜମ୍ବୁ ଦୋକାନ ଓ ଜମ୍ବୁକୁ ଦେଖି ଚାଲି ଯାଇଥିଲେ। ଖରାବେଳ ନିଛାଟିଆ ବଜାର ସାଧାରଣତଃ ନିଛାଟିଆ ରହୁଥିବାରୁ ସେମାନେ ସେହି ସମୟକୁ ପ୍ରସ୍ତୁତ ହୋଇ ଆସିଥିଲେ ଓ ୪ ତାରିଖ ଦିନ ଜମ୍ବୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ। ସେମାନେ ପେସାଦାର ଅପରାଧୀ ହୋଇଥିବାରୁ ଗିରଫ କରିବା ବିଳମ୍ବିତ ହେଉଥିବା ଜଣାପଡ଼ିଛି। ତେବେ ଦୁଇଟି ଟିମ୍‌ ପିଛା କରୁଛି ଓ ଖୁବ୍‌ ଶୀଘ୍ର ସେମାନେ ପୁଲିସ ଜାଲରେ ପଡ଼ିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର