ଭୁବନେଶ୍ବର : ଦିନ ଦି’ପହରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ଅବସରପ୍ରାପ୍ତ ବିଚାରପତି ଓ ତାଙ୍କ କାର୍ ଚାଳକଙ୍କୁ ଆକ୍ରମଣ କରି ସୁନା ଚେନ୍ ଛଡ଼ାଇ ନେଇଥିବା ମାମଲାରେ ଖାରବେଳନଗର ଥାନା ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନିକଟସ୍ଥ ମସ୍ଜିଦ୍ କଲୋନିରେ ରହୁଥିବା ସେକ୍ ମୁନିରାଲ୍ ଓରଫ୍ ମାନି (୧୯), ସେକ୍ ସିକନ୍ଦର ଓରଫ୍ ଉଜ୍ବଳା (୨୨), ଅବ୍ଦୁଲ ମୁତାଲିଫ୍ (୨୩), ସେକ୍ ରୁଲାମିନ୍ ଓରଫ୍ ଛୋଟୁ (୧୯), ସଂଜୀବ ବେହେରା (୨୩)। ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ ଲୁଟ୍ ହୋଇଥିବା ବିଚାରପତିଙ୍କ ଚେନ୍ ଜବତ କରାଯାଇଛି। କୁଖ୍ୟାତ ଲୁଟେରା ସଂଜୀବ ହିଁ ଏହି ଗ୍ୟାଙ୍ଗ୍ ତିଆରି କରି ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍ପାଟ୍ କରୁଥିଲା। ଆଜି ସଂଜୀବ ସମେତ ଗ୍ୟାଙ୍ଗ୍ର ସଦସ୍ୟମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୂଯାୟୀ ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ବିଚାରପତି ତାଙ୍କ ଏସି ପାଇଁ ଏକ ସ୍ପେୟାର୍ ପାର୍ଟସ କିଣିବା ପାଇଁ ଗତକାଲି ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ମାଳିସାହିସ୍ଥିତ ସ୍କ୍ରାପ୍ ଗୋଦାମକୁ ଆସିଥିଲେ। ଗୋଦାମ ନିକଟରେ ପହଞ୍ଚିବା ପରେ ସେଠାରେ ଥିବା ସଂଜୀବ ଓ ତା’ର ସହଯୋଗୀମାନେ ତାଙ୍କ କାର୍କୁ ଘେରି ଯାଇଥିଲେ। ଚାଳକ ଓ ବିଚାରପତି କାର୍ ଭିତରୁ ବାହାରିବା ମାତ୍ରେ ସେମାନେ ତାଙ୍କ ବେକରୁ ସୁନା ଚେନ୍କୁ ଟାଣି ନେଇଥିଲେ। କାର୍ ଚାଳକ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ ଓ କାର୍କୁ ପିଟି ଭାଙ୍ଗି ପକାଇଥିଲେ। ଦୁର୍ବୃତ୍ତମାନେ ପଳାଇବା ପରେ ବିଚାରପତି ଖାରବେଳନଗର ଥାନାକୁ ଫୋନ୍ କରିଥିଲେ। ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଘଟଣା ସଂପର୍କରେ ବୁଝିଥିଲା ଏବଂ ତୁରନ୍ତ ଏକ ସ୍ବତନ୍ତ୍ର ଟିମ୍ ଲୁଟେରାମାନଙ୍କୁ ପିଛା କରି ନିକଟସ୍ଥ ମସ୍ଜିଦ୍ କଲୋନିର ଏକ ଘରୁ ସେମାନଙ୍କୁ ଉଠାଇ ନେଇଥିଲା।
ଉଲ୍ଲେଖଯୋଗ୍ୟ ଯେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଅନେକ ଅପରାଧରେ ସଂପୃକ୍ତ ଥିବା ସଂଜୀବ ବିରୋଧରେ କେବଳ ଖାରବେଳନଗର ଥାନାରେ ଲୁଟ୍, ରାହାଜାନି, ଡକାୟତି, ଚୋରି ଭଳି ୧୩ଟି ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Judge.jpg)