ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଏକାଥରକେ ୫ ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ବଇଁଚୁଆ ପଞ୍ଚାୟତର ୪ ଜଣ ଅଙ୍ଗନବାଡ଼ି କର୍ମୀ ଓ ଜଣେ ଆଶା କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତୃଣମୂଳସ୍ତରର ଏହି କରୋନା ଯୋଦ୍ଧାମାନେ କରୋନା ଆକ୍ରାନ୍ତ ହେବା ପରେ ସେହି ପଞ୍ଚାୟତରେ କୋକୁଆ ଭୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ବଇଁଚୁଆ ପଞ୍ଚାୟତରେ ୪ ଜଣ ଅଙ୍ଗନବାଡ଼ି କର୍ମୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା। ଆଜି ଉକ୍ତ ପଞ୍ଚାୟତରେ ଜଣେ ଆଶା କର୍ମୀଙ୍କ ସ୍ବାବ୍ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ତାଙ୍କଠାରେ ଥଣ୍ଡା, କାଶ, ଗଳାବିନ୍ଧା ଭଳି କୌଣସି ଲକ୍ଷଣ ଦେଖା ଦେଇନଥିଲେ ମଧ୍ୟ ସ୍ବାବ୍ ପରୀକ୍ଷାରୁ ସେ କରୋନା ପଜିଟିଭ୍ ବୋଲି ଜଣା ପଡ଼ିଛି । ତେଣୁ ତାଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ କାର୍ଯ୍ୟରତ ଜଣେ ଲାବ୍ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ପକ୍ଷରେ ଏହି ବ୍ଲକ ଅନ୍ତର୍ଗତ ପ୍ରତାପଶାସନ ପଞ୍ଚାୟତରେ ୩ଜଣ ଅଙ୍ଗନବାଡ଼ି ସହାୟିକାଙ୍କ ସ୍ବାବ୍ ପରୀକ୍ଷାରୁ ସେମାନେ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି।
ବାଲିପାଟଣାରୁ ୧୧ ଚିହ୍ନଟ
ବାଲିପାଟଣା : ଆଜି ବାଲିପାଟଣା ବ୍ଲକରୁ ୧୧ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ମଝିହରା ପଞ୍ଚାୟତରୁ ୭ ଓ ଭାକରସାହି ପଞ୍ଚାୟତରୁ ୪ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଏମାନଙ୍କ ସ୍ବାବ୍ ନମୁନା ଯାଞ୍ଚ ରିପୋର୍ଟ ମିଳିବା ପରେ ଆଜି ସମସ୍ତ ସଂକ୍ରମିତଙ୍କୁ ନୀଳାଚଳ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ଗତ ୧୧ ତାରିଖରେ ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ୍ ବୋଲି ଚି଼ହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସି ଉକ୍ତ ପରିବାରର ୭ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ଗତ ୮ ତାରିଖରେ ଭାକରସାହି ପଞ୍ଚାୟତର ଜଣେ ବ୍ୟକ୍ତି ପଜିଟିଭ୍ ଚି଼ହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସି ୪ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୨୫ରୁ ଅଧିକ ବ୍ୟକ୍ତିଙ୍କ ସ୍ୱାବ୍ ପରୀକ୍ଷା କରାଯାଇଥିଲା ବୋଲି ମଝିହରା ସରପଞ୍ଚ ନାରାୟଣ ସାହୁ ସୂଚନା ଦେଇଛନ୍ତି।