ଭୁବନେଶ୍ବର : ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ, ବନ୍ଧୁକ, ଗୁଳି, ଖଣ୍ଡା ଓ ମୋବାଇଲ୍‌ ଜବତ

ମୁଖ୍ୟ ଫେରାର, ଥାନାରେ ଏକାଧିକ ମାମଲା

ଭୁବନେଶ୍ବର/ପୁରୁଣା ଭୁବନେଶ୍ବର : କୋଭିଡ୍‌-୧୯ ମୁକାବିଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଜାରି ରହିଛି। ସମଗ୍ର ରାଜଧାନୀ ପୁଲିସ ନଜରରେ ରହିଛି। ଏଭଳି ସ୍ଥିତିରେ ରାଜଧାନୀର ଜଟଣୀ-ସୁନ୍ଦରପଦା ରାସ୍ତାର ପଞ୍ଚୁପଲ୍ଲୀ ନିକଟ ଏକ ଅନ୍ଧାରିଆ ପରିତ୍ୟକ୍ତ ଚାଳ ଘରେ ବସି ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଜଣ କୁଖ୍ୟାତ ଅପରାଧୀ ଧରା ପଡ଼ିଛନ୍ତି। ଦୀର୍ଘ ଦିନ ହେବ ଏମାନଙ୍କୁ ପିଛା କରୁଥିବା କମିସନରେଟ୍‌ ପୁଲିସର କ୍ୟୁଏଟି(କୁଇକ୍‌ ଆକ୍ସନ ଟିମ୍‌)କୁ ଏହି ସଫଳତା ମିଳିଛି।

ଏୟାରଫିଲ୍ଡ ଥାନା ପୁଲିସ ସହାୟତାରେ ସେମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ୩ଟି ଖଣ୍ଡା, ଗୋଟିଏ ଲୁହା ଛଡ଼, ୪ଟି ମୋବାଇଲ ଫୋନ୍‌, ୭ହଜାର ୫ଶହ ନଗଦ ଟଙ୍କା ସହ ଲଙ୍କାଗୁଣ୍ଡ ଓ ଅନ୍ୟାନ୍ୟ ଡକାୟତି ପାଇଁ ଆବଶ୍ୟକ ସାମଗ୍ରୀ ଜବତ କରାଯାଇଛି। ତେବେ ଫାଙ୍କା ଗୁଳିଚାଳନା କରି ମୁଖ୍ୟ ଅଭିଯୁକ୍ତ ଫେରାର ହେବାକୁ ସକ୍ଷମ ହୋଇଛି। ଅଭିଯୁକ୍ତ ଉପରେ ନଜର ରଖାଯାଇଛି, ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି। ଗିରଫ ୫ ଜଣଙ୍କ ସହ ଫେରାର ଅଭିଯୁକ୍ତ ନାମରେ ଏୟାରଫିଲ୍ଡ ଓ ତମ‌ାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏହି ଅପରାଧ ତାଲିକାରେ ଦାଦାବଟି ଆଦାୟ ସହ ଭଡ଼ାଟିଆ ଗୁଣ୍ଡା, ହତ୍ୟା ଉଦ୍ୟମ, ଡକାୟତି, ଅପହରଣ ପ୍ରଭୃତି ରହିଛି।

ସମସ୍ତ ଅଭିଯୁକ୍ତ ପଞ୍ଚୁପଲ୍ଲୀ ଗ୍ରାମର। ସେମାନେ ହେଲେ, ଅନିଲ ପ୍ରଧାନ ଓରଫ ବାବୁ, ଅମିର ଜୟସିଂହ, ସୁକାନ୍ତ ଭାରିମଲ୍ଲ, କାଶୀନାଥ ସାମନ୍ତରାୟ ଓ ପ୍ରେମାନନ୍ଦ ଭାରିମଲ୍ଲ ଓରଫ ତମ୍ପ।

ସୂଚନା ମୁତାବକ, ପଞ୍ଚୁପଲ୍ଲୀ ନିକଟରେ ଜଣେ ବ୍ୟକ୍ତିଙ୍କର ଏକ ଜାଗା ଥିଲା। ସେ ଜଣେ ଯୁବକକୁ ଧରମପୁଅ କରି ଘରେ ରଖିଥିଲେ। ହେଲେ ଧରମପୁଅ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ଏଣୁ ସେ ନିଜ ଜମିବାଡ଼ି ଜ୍ବାଇଁ ନାମରେ କରି ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଧରମ ପୁଅ ଆସି ଜମି ତା’ର ବୋଲି ଦାବି କରିଥିଲା। ଝିଅ ଜ୍ବାଇଁଙ୍କୁ ଧମକ ଦେବା ସହ ନକଲି କାଗଜପତ୍ର ପ୍ରସ୍ତୁତ କରି ବିଲ୍ଡରକୁ ବିକ୍ରି କରି ଦେଇଥିଲା। ତିନିଦିନ ତଳେ ଏହି ଜାଗାକୁ ଦଖଲ ନେବାପାଇଁ ବିଲ୍ଡର ଆସିଥିଲା। କିନ୍ତୁ ଦଖଲ ନେଇ ପାରିନଥିଲା। ଏଣୁ ସେ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଭଡ଼ାଟିଆ ଗୁଣ୍ଡାଙ୍କୁ ଆଣିଥିଲା। ଏମାନେ ଜାଗା ଉପରେ ପହଞ୍ଚି ବନ୍ଧୁକ ଫୁଟାଇ ଆତଙ୍କ ସୃଷ୍ଟି କରିବା ସହ ଖଣ୍ଡା, ଭୁଜାଲି ଦେଖାଇ ସମ୍ପୃକ୍ତ ଝିଅଜ୍ବାଇଁଙ୍କୁ ତୁରନ୍ତ ଜାଗା ଖାଲି କରିବାକୁ ଚେତାବନୀ ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଚାଲି ଯାଇଥିଲେ। ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରୁଥିଲା। ଏହା ପଛରେ କୁଖ୍ୟାତ ଅପରାଧୀମାନେ ରହିଥିବାରୁ ତଦନ୍ତ ଭାର କ୍ୟୁଏଟି ନେବା ସହ ଏମାନଙ୍କ ଉପରେ ନଜର ରଖିଥିଲା। ଆଜି ସେମାନେ ସେହି ଜାଗା ପାଖାପାଖି ଏକାଠି ବସି ମଦ୍ୟପାନ କରିବା ସହ ଯୋଜନା କରୁଥିବା ବେଳେ ଧରା ପଡ଼ିଥିଲେ।

ସମ୍ବନ୍ଧିତ ଖବର