ଭୁବନେଶ୍ବର: ଜଣେ ଓଡ଼ିଆ ମାଫିଆ ସହାୟତାରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ଆସି ଭୁବନେଶ୍ବରରେ ଡେରା ପକାଇଥିବା ୪ ବନ୍ଧୁକ ବେପାରୀଙ୍କୁ କାବୁ କରିଛି କମିସନରେଟ୍‌ ପୁଲିସ। ସେମାନେ ହେଲେ ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ପ୍ରବୀଣ କୁମାର ସିଂ(୪୦), ବାଲିଆ ଜିଲ୍ଲା ପକାଡି ଅଞ୍ଚଳର ଇନ୍ଦ୍ରଜିତ ସିଂ(୩୮), ଅଭିଷେକ ରାଜପୁତ(୩୧), ମଧ୍ୟପ୍ରଦେଶ ଭିନ୍ଦ୍‌ ଜିଲ୍ଲା ବାରାସୋ ଅଞ୍ଚଳର ରାଘବେନ୍ଦ୍ର ସିଂ(୨୮) ଓ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ସେକ୍‌ ସାକିଲ୍‌(୨୮)। ପୁଲିସ ସେମାନଙ୍କ ନିକଟରୁ ୪ଟି ସେମିଅଟୋମେଟିକ୍‌ ପିସ୍ତଲ, ଗୋଟିଏ ରିଭଲ୍‌ଭର୍‌, ଗୋଟିଏ ସିଙ୍ଗଲ୍‌ ସଟ୍‌ ପିସ୍ତଲ, ୧୮ ରାଉଣ୍ଡ ଗୁଳି, ଗୋଟିଏ କାର୍‌ ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ବନ୍ଧୁକ ବିକିବା ସହ ଅପରାଧୀଙ୍କୁ ଭଡ଼ାରେ ଦେଇ ଅର୍ଥ ଉପାର୍ଜନ କରୁଥିବା ଏହି ଗ୍ୟାଙ୍ଗ୍‌ ବହୁ ଦିନ ଧରି ଓଡ଼ିଶାରେ ବନ୍ଧୁକ ବେପାର ଚଳାଇଥିବା ଜଣାପଡ଼ିଛି। ତେଣୁ ଓଡ଼ିଶାର ବହୁ ଦୁର୍ଦ୍ଦାନ୍ତ ଅପରାଧୀ ଏହି ଗ୍ୟାଙ୍ଗ୍‌ର ସଂସ୍ପର୍ଶରେ ଥିବା ପୁଲିସ ସନ୍ଦେହ କରୁଛି। ଆଜି ପୁଲିସ‌ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିନଳୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ଓ ଡିସିପି ଜଗମୋହନ ମୀନା ଏହି ଗ୍ୟାଙ୍ଗ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି।  
ଏହି ଗ୍ୟାଙ୍ଗ୍‌ର ମୁଖିଆ ହେଉଛି ୟୁପିର ପ୍ରବୀଣ କୁମାର। ତା’ ବେପାରର ଚେର ୟୁପି, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ଲମ୍ବିଛି। ସେମାନେ ମଝିରେ ମଝିରେ ‌ଡେରା ବଦଳାଇ ଥା’ନ୍ତି। ଯେଉଁ ସହରରେ ଡେରା ପକାନ୍ତି, ତାହାର ଉପକଣ୍ଠରେ ଭଡ଼ାଘର କରି ରହନ୍ତି। ସେହି ରାଜ୍ୟର କୌଣସି ଅପରାଧୀକୁ ସହଯୋଗୀ ଭାବେ ପାଖରେ ରଖନ୍ତି ଏବଂ ବେପାର ଚଳାନ୍ତି। ପ୍ରାୟ ୩ମାସ ହେଲା ଏମାନେ ରାଜଧାନୀ ଉପକଣ୍ଠ ତଳଖେତା ଜଟଣୀ ଗେଟ୍‌ ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ଫଳରେ ଭୁବନେଶ୍ବର, ଜଟଣୀ ଓ ଖୋର୍ଦ୍ଧାର ଅପରାଧୀମାନଙ୍କ ସହ ଯୋଗାଯୋଗରେ ରହିବା ସୁବିଧା ହେଉଥିଲା। ଏଠାରେ ସାଲେପୁରର ଗୋଚାଲାଣକାରୀ ସେକ୍‌ ସାକିଲ୍‌ ଥିଲା ସେମାନଙ୍କ ସହଯୋଗୀ। ତଦନ୍ତରୁ ଜଣାପଡ଼ିଛି ଯେ ୟୁପି, ବିହାରରେ ଯେଉଁ ବନ୍ଧୁକ ୧୦ ହଜାର ଟଙ୍କା, ଓଡ଼ିଶାରେ ତାହା ୨୫ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ଆଜି ଜବତ ହୋଇଥିବା କିଛି ପିସ୍ତଲ ୫୦ ହଜାରରୁ ଅଧିକ ଟଙ୍କା ଦାମ୍‌ରେ ବିକ୍ରି ହୋଇଥା’ନ୍ତା। 
ଗତକାଲି ରାତିରେ ଏୟାର୍‌ପୋର୍ଟ ଥାନା ଅଞ୍ଚଳରେ ୨ଟି ବନ୍ଧୁକ ବିକ୍ରି ହେବ ବୋଲି ଡିଲ୍‌ ହୋଇଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସ୍ପେସାଲ୍‌ ସ୍କ୍ବାଡ୍‌ ଚଢ଼ଉ କରିଥିଲା। ଘଟଣାସ୍ଥଳକୁ କାର୍‌ରେ ୨ଟି ବନ୍ଧୁକ ଧରି ଆସିଥିବା ଅଭିଷେକ ଓ ଇନ୍ଦ୍ରଜିତ୍ ପୁଲିସ କବ୍‌ଜାକୁ ଆସିବା ପରେ ସ୍ପେସାଲ୍‌ ସ୍କ୍ବାଡ୍‌ ଯାଁଳା ତଳ‌ଖେତା ଜଟଣୀ ଗେଟ୍‌ ଅଞ୍ଚଳରେ ଚଢ଼ଉ କରି ମୁଖିଆ ପ୍ରବୀଣ ଓ ରାଘବେନ୍ଦ୍ରକୁ କାବୁ କରିଥିଲା। ସେହିଭଳି ରାତାରାତି ସ‌ାଲେପୁରରୁ ସାକିଲ୍‌କୁ ଗିରଫ କରାଯାଇଥିଲା।