ଜଟଣୀ: ଜଟଣୀ ବ୍ଲକ ପାତ୍ରପଡ଼ାସ୍ଥିତ ଜଗନ୍ନାଥପୁରରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ବଖରା ଚାଳଘର ଭସ୍ମ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଥିବା ବେଳେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ବସ୍ତା ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟ କିମ୍ବା ବାଡ଼ି ପଛରେ ଗଦା ହୋଇଥିବା କୁଟାରୁ ନିଆଁ ଲାଗି ବ୍ୟାପୀ ଯାଇଥିବା ଅଗ୍ନିଶମ ବିଭାଗ ସନ୍ଦେହ କରୁଛି। ଘଟଣାନୁଯାୟୀ, ସ୍ଥାନୀୟ ଜଟିଆଣୀ ମନ୍ଦିର ନିକଟରେ ଆଜି ମେଣ୍ଢା ଲଢେ଼ଇ ଉତ୍ସବ ଚାଲିଥିଲା। ମଧ୍ୟାହ୍ନ ସମୟରେ ଜଗନ୍ନାଥପୁର ଗ୍ରାମବାସୀ ଓ ଗ୍ରାମର ରାମଚନ୍ଦ୍ର ସାହୁଙ୍କ ପରିବାର ଲୋକେ ମେଣ୍ଢା ଲଢେ଼ଇ ଦେଖିବାକୁ ଯାଇଥିଲେ। ସେତେବେଳେ ଘରେ କେହି ଲୋକ ନଥିଲେ।
ପୋଡ଼ିଗଲା ବସ୍ତା ବସ୍ତା ଅମଳ ଧାନ
ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
ଏହି ସମୟରେ ହଠାତ୍ ରାମଚନ୍ଦ୍ରଙ୍କ ପ୍ରଥମ ବଖରାରେ ନିଆଁ ଲାଗିଯାଇଥିଲା। ପାଖ ଘରେ ଉପସ୍ଥିତ ଥିବା କିଛି ବୟସ୍କ ଲୋକ ଚିତ୍କାର କରିଥିଲେ ମଧ୍ୟ ଗ୍ରାମରେ ପୁରୁଷ ଲୋକ କେହି ନଥିବାରୁ ନିଆଁ ଲିଭାଇ ପାରି ନଥିଲେ। ଦେଖୁ ଦେଖୁ ନିଆଁ ଅନ୍ୟ ବଖରାକୁ ବ୍ୟାପୀଯାଇଥିଲା। ଆଖ ପାଖ ଅଞ୍ଚଳର କିଛି ଲୋକ ରୁଣ୍ଡ ହୋଇଥିଲେ ମଧ୍ୟ ନିଆଁର ପ୍ରକୋପ ଏତେ ଜୋର୍ରେ ଥିଲା ଯେ ପାଖକୁ ଯିବା ସମ୍ଭବ ହୋଇ ନଥିଲା। ଗ୍ରାମବାସୀ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ ୪୦ରୁ ଅଧିକ ବସ୍ତା ଅମଳ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ରାମଚନ୍ଦ୍ରଙ୍କ ପରିବାର ଏବେ ବେସାହାରା ହୋଇଯାଇଛନ୍ତି। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସରକାରୀ ଓ ବେସରକାରୀ ଭାବେ ତାଙ୍କୁ ସହଯୋଗ କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/11/LVQrJZqhK6FFTufqXWU2.jpg)