ଟ୍ରକ୍‌ ପଛରେ ପିଟି ହେଲା ଇନୋଭା, ୫ ଆହତ

ଭୁବନେଶ୍ବର : ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧ଟାବେଳେ ନୂଆପଲ୍ଲୀସ୍ଥିତ ହୋଟେଲ କ୍ରାଉନ୍‌ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ଇନୋଭା ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଇନୋଭାରେ ଥିବା ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଜଣକ ଅବସ୍ଥା ସଂକଟାପନ୍ନ ଅଛି। ସେମାନଙ୍କ ପରିଚୟ ମିଳିପାରିନାହିଁ। ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି। ଦୁର୍ଘଟଣାଗ୍ରସ୍ତ ଇନୋଭାଟି ଭାଙ୍ଗି ଚୂରମାର୍‌ ହୋଇଯାଇଛି।

ସୂଚନାନୁସାରେ ଏକ ନୂଆ ଇନୋଭା ଗାଡ଼ିରେ ଏହି ଯୁବକମାନେ ଭୁବନେଶ୍ବରରୁ ପୁରୀ ଯାଉଥିଲେ। ସେମାନେ ବାଣୀବିହାର ଦିଗରେ ଯାଇ କ୍ରାଉନ୍‌ ହୋଟେଲ ନିକଟରେ ପହଞ୍ଚିଥିବାବେଳେ ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକ ମାଛ ବୋଝେଇ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲେ। ଇନୋଭାର ବେଗ ଏତେ ଥିଲା ଯେ ଗାଡ଼ିର ସମ୍ମୁଖ ଭାଗ ପୂରା ଛିନ୍‌ଛତ୍ର ହୋଇଯାଇଥିଲା। ଏମିତିକି ଇଞ୍ଜିନ ବାହାରି ଗାଡ଼ିରୁ ଅଲଗା ହୋଇ ଯାଇଥିଲା। ଫଳରେ ଇନୋଭା ଚାଳକ ଓ ଆଗରେ ବସିଥିବା ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନେ ସଂଜ୍ଞାହୀନ ହୋଇପଡ଼ିଥିଲେ। ପଛରେ ବସିଥିବା ୩ ଯୁବକ ମଧ୍ୟ କ୍ଷତବିକ୍ଷତ ହୋଇଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା ଓ ପିସିଆର୍‌ ଯୋଗେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ସମ୍ବନ୍ଧିତ ଖବର