୧୨ରୁ ଚଳାଚଳ କରିବ ୫ଟି ଅନ୍ତଃରାଜ୍ୟ ଟ୍ରେନ୍‌, ୧୦ରୁ ସଂରକ୍ଷଣ କେନ୍ଦ୍ର ଓ ଆଇଆରସିଟିସି ୱେବ୍‌ସାଇଟରେ ବୁକିଂ

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ୧୨ ତାରିଖରୁ ୫ଟି ଅନ୍ତଃରାଜ୍ୟ ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ଆସନ୍ତା ୧୦ ତାରିଖଠାରୁ ବୁକିଂ ଆରମ୍ଭ ହେବ। ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ଦୈନିକ ସ୍ୱତନ୍ତ୍ର ଟ୍ରେନ(୦୮୪୨୫/୦୮୪୨୬) ଭୁବନେଶ୍ୱରରୁ ସନ୍ଧ୍ୟା ୭ଟା ୫୫ରେ ଛାଡ଼ିବ ଓ ୧୩ ତାରିଖରୁ ଅପରାହ୍‌ଣ ୪ଟା ୧୦ରେ ଦୁର୍ଗଠାରୁ ଛାଡ଼ିବ। ରାୟଗଡ଼ା ଦେଇ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ (୦୮୫୧୮/୦୮୫୧୭) ବିଶାଖାପାଟଣାରୁ ସନ୍ଧ୍ୟା ୮ଟା ୫ରେ ଓ ୧୩ ତାରିଖଠାରୁ କୋର୍ବାରୁ ଅପରାହ୍ଣ ୪ଟା ୧୦ରେ ଛାଡ଼ିବ। ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ(୦୮୪୦୫/୦୮୪୦୬) ଆସନ୍ତା ୧୬ ତାରିଖରୁ ଭୁବନେଶ୍ୱରରୁ ପ୍ରତି ବୁଧବାର ସନ୍ଧ୍ୟା ୬ଟା ଓ ସେପ୍ଟେମ୍ବର ୧୮ରୁ ଅହମ୍ମଦାବାଦରୁ ପ୍ରତି ଶୁକ୍ରବାର ସନ୍ଧ୍ୟା ୬ଟା ୪୦ରେ ଛାଡ଼ିବ। ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀ ଦ୍ବି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୨୬୬୪/୦୨୬୬୩) ଆସନ୍ତା ୧୫ରୁ ତିରୁଚିରାପଲ୍ଲୀରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଅପରାହ୍‌ଣ ୪ଟା ୨୦ରେ ଓ ସେପ୍ଟେମ୍ବର ୧୬ରୁ ହାଓଡ଼ାରୁ ପ୍ରତି ଗୁରୁବାର ଓ ରବିବାର ଅପରାହ୍‌ଣ ୪ଟା ୧୦ରେ ଛାଡ଼ିବ।

ଗୌହାଟୀ-ବେଙ୍ଗାଲୁରୁ-ଗୌହାଟୀ ତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍‌ (୦୨୫୦୯/୦୨୫୧୦) ୧୩ ତାରିଖରୁ ଗୌହାଟୀରୁ ପ୍ରତି ରବିବାର, ସୋମବାର, ମଙ୍ଗଳବାର ଦିନ ସକାଳ ୬ଟା ୨୦ରେ ଛାଡ଼ିବ ଏବଂ ସେପ୍ଟେମ୍ବର ୧୬ରୁ ବେଙ୍ଗାଲୁରୁ କେଣ୍ଟରୁ ପ୍ରତି ବୁଧବାର, ଗୁରୁବାର ଓ ଶୁକ୍ରବାର ରାତି ୧୧ଟା ୪୦‌‌‌ରେ ଛାଡ଼ିବ। ଉକ୍ତ ଟ୍ରେନ୍‌ଗୁଡ଼ିକ ଲାଗି ଉଭୟ ରେଳବାଇ ସଂରକ୍ଷଣ କେନ୍ଦ୍ର ଓ ଆଇଆରସିଟିସି ୱେବ୍‌ସାଇଟରୁ ଟିକେଟ ଉପଲବ୍ଧ ହେବ। କେବଳ ସଂରକ୍ଷିତ ଯାତ୍ରୀମାନେ ଟ୍ରେନରେ ଯାଇପାରିବେ। ପୂର୍ବରୁ ଚାଲୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ମୁମ୍ବାଇ, ଭୁବନେଶ୍ୱରରୁ ହାଓଡ଼ା/ସିଆଲଦା ସ୍ୱତନ୍ତ୍ର ଟ୍ରେନ ପୂର୍ବ ନିର୍ଧାରିତ ସମୟାନୁଯାୟୀ ଚଳାଚଳ କରିବ।

ସମ୍ବନ୍ଧିତ ଖବର