ଭୁବନେଶ୍ୱର : ୫ କୁଖ୍ୟାତ ଡକାୟତ ଗିରଫ, ୨ ଫେରାର୍‌

ଗହଣା, ଖଣ୍ଡା, ଭଡ଼ା ବାଇକ୍‌, ମୋବାଇଲ୍‌ ଓ ଲାପ୍‌ଟପ ଜବତ

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ୍‌ପାଟ କରି ଆତଙ୍କ ‌ଖେଳାଇ ଦେଇଥିବା ଏକ ଡକାୟତ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କଟକ ଟାଙ୍ଗୀର ସ୍ୱାଗତ ବିଶ୍ୱାଳ, ଖଣ୍ଡଗିରି ଡୁମୁଡ଼ୁମାର ସ୍ୱାଭିମାନ ଦାସ, ଲକ୍ଷ୍ମୀସାଗର ଥାନା ଝାରପଡ଼ାର ସୂର୍ଯ୍ୟକାନ୍ତ ମଙ୍ଗରାଜ, ମଞ୍ଚେଶ୍ୱରର ପ୍ରେମ ନିବେଦନ ସାହା ଓ ନୂଆପଲ୍ଲୀ ଆଇଆର୍‌ସି ଭିଲେଜର ସ୍ମୁତି ରଞ୍ଜନ ମଣ୍ଡଳ। ପୁଲିସ ସେମାନଙ୍କଠାରୁ ୨୨୫ ଗ୍ରାମର ସୁନା ଅଳଙ୍କାର(ସୁନାଚେନ୍‌, ବ୍ରେସ୍‌ଲେଟ୍‌, ମୁଦି), ୩ଟି ଭଡ଼ା ବାଇକ୍‌, ଖଣ୍ଡା(ଦକ୍ଷିଣୀ କଟୁରି), ମୋବାଇଲ୍‌ ଫୋନ୍‌, ଲାପ୍‌ଟପ ଜବତ କରିଛି। ଏହି ଗ୍ୟାଙ୍ଗ୍‌ର ଆଉ ୨ ଜଣ ଡକାୟତ ଫେରାର ଅଛନ୍ତି ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନାନୁସାରେ, ଏହି ଗ୍ୟାଙ୍ଗ୍‌ ଖଣ୍ଡଗିରିରୁ ଫୁଲନଖରା ଓ ପୁରୀ ବାଇପାସ୍‌ରୁ ଧଉଳି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ କରନ୍ତି। ପଥଚାରୀଙ୍କୁ ଆକ୍ରମଣ କରି ଡକାୟତି କରନ୍ତି। ବିଳମ୍ବିତ ରାତିରେ ସହର ଭିତରେ ପଥଚାରୀଙ୍କୁ ଲୁଟ୍‌ କରୁଥିଲେ। ଏହି ଗ୍ୟାଙ୍ଗ୍‌କୁ ଧରିବା ପାଇଁ ବର୍ଷେ ହେଲା କମିସନରେଟ୍‍ ପୁଲିସ ଉଦ୍ୟମ କରୁଥିଲେ ମଧ୍ୟ ସେମାନେ ପୁଲିସକୁ ନାକେଦମ କରିଥିଲେ। ବଡ଼ କଥା ହେଉଛି ଏହି ଗ୍ୟାଙ୍ଗ୍‌ ନକଲି ଆଧାର କାର୍ଡ ବଳରେ ଭଡ଼ାରେ ବାଇକ୍‌ ଓ କାର୍‌ ନେଇ ଅପରାଧ ଘଟାଉଥିଲେ। ଫଳରେ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନଥିଲା। ଏମିତିକି ସେମାନେ ଭଡ଼ାରେ ନେଉଥିବା ବାଇକ୍‌ ଫେରାଉନଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍‌ର ମୁଖିଆ ହେଉଛି ଝାରପଡ଼ାର ସୂର୍ଯ୍ୟକାନ୍ତ ମଙ୍ଗରାଜ ଓରଫ୍ ଗେଡ଼ା। ତେବେ ଗ୍ୟାଙ୍ଗ୍‌ରେ ନୂଆ କରି ଯୋଗ ଦେଇଥିବା ସ୍ମୃତି ମଣ୍ଡଳ ଥିଲା ଭୟଙ୍କର। ସେ ମାରଣାସ୍ତ୍ରରେ ଆକ୍ରମଣ କରିବାରେ ମାହିର୍‌ ଥିବା ଜଣାପଡ଼ିଛି।

ସୂଚନାନୁସାରେ ବିଏମ୍‌ସିରେ ସୁଇପର ସୁପରଭାଇଜର ଭାବେ କାମ କରୁଥିବା କେନ୍ଦୁଝରର ସଞ୍ଜୟ ସାହୁ ଗତ ମାର୍ଚ୍ଚ ୧୪ ତାରିଖ ଭୋର୍‌ ସମୟରେ କେଶୁରାରୁ ଅଫିସ ଆସୁଥିଲେ। ପୁରୀ ବାଇପାସ୍‌ରେ ଏହି ଗ୍ୟାଙ୍ଗ୍‌ ତାଙ୍କୁ ମାଡ଼ ମାରି ଟଙ୍କା, ସୁନା, ମୋବାଇଲ ନେଇ ଯାଇଥିଲେ। ସେହିଭଳି ଗୀତା ଇଞ୍ଜିନିୟରିଂ କଲେଜର ଜଣେ କର୍ମଚାରୀ ଗତ ୪ ତାରିଖରେ ରସୁଲଗଡ଼ସ୍ଥିତ ଭଡ଼ାଘରକୁ ଫେରୁଥିବାବେଳେ ଜୟଦେବ ବିହାର ଛକ ନିକଟରେ ଏହି ଡକାୟତମାନେ ତାଙ୍କୁ ଆକ୍ରମଣ କରି ଲାପ୍‌ଟପ ଓ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିଲେ। ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ପ୍ରଥମେ ସ୍ମୃତି ମଣ୍ଡଳକୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର