ଭୁବନେଶ୍ବର : ରାଜଧାନୀରେ ଭିଆଇପି ଅଞ୍ଚଳରେ ଘନଘନ ସିନ୍ଧିଚୋରି କରି ପୁଲିସ ଆଖିରୁ ନିଦ ହଜେଇ ଦେଇଥିବା କୁଖ୍ୟାତ୍ ଚିତ୍ତ ଗ୍ୟାଙ୍ଗ୍କୁ ଶେଷରେ ଠାବ କରିଛି କମିସନରେଟ୍ ପୁଲିସ। କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିଥିବା ଏହି ୫ ଜଣିଆ ଗ୍ୟାଙ୍ଗ୍ର ସଦସ୍ୟମାନେ ହେଲେ ଦଳର ମୁଖିଆ ତଥା ଏୟାରପୋର୍ଟ ଥାନା ଭୀମପୁର ଅଞ୍ଚଳର ଚିତ୍ତରଂଜନ ଦଳେଇ ଓରଫ୍ ଚିତ୍ତ(୩୦), ସୁକାନ୍ତ ନାୟକ ଓରଫ୍ ପୁଅ(୩୪), ଶାସ୍ତ୍ରୀନଗର ଅଞ୍ଚଳର ମିଲୁ ବେହେରା(୩୯), ରାଜା ମହାଳିକ(୨୦) ଏବଂ ସାଲିଆସାହି ଅଞ୍ଚଳର ଗଗନ ରେଡ୍ଡୀ ଓରଫ୍ ଜି. ଗଗନ(୩୦)। ପୁଲିସ ସେମାନଙ୍କଠାରୁ ସୁନା ଚେନ୍, ମୁଦି, ଦୁଇଟି ଟିଭି, ଗୋଟିଏ କମ୍ପ୍ୟୁଟର, ଗୋଟିଏ ଅଟୋ ରିକ୍ସା, ଗୋଟିଏ ସ୍କୁଟି, ଗୋଟିଏ ସୁନା ପଦକ, ୮ଟି ବ୍ରୋଞ୍ଜ ପଦକ, ୫ଟି ରୁପା ପଦକ, କ୍ୟାମେରା, ୧୦ଟି ଗ୍ୟାସ୍ ସିଲିଣ୍ଡର ଏବଂ ଚୋରି ସମୟରେ ବ୍ୟବହୃତ ମାରଣାସ୍ତ୍ରଗୁଡ଼ିକୁ ଜବତ କରିଛି। ଜବତ ୧୪ଟି ଯାକ ପଦକ ବିଶିଷ୍ଟ ହକି ଖେଳାଳି ପ୍ରବୋଧ ତିର୍କୀଙ୍କର ବୋଲି ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍ର ଆଉ କିଛି ସଦସ୍ୟ ଫେରାର୍ ଥିବା ଜଣାପଡ଼ିଛି ଏବଂ ସେମାନଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଜାରି ରହିଛି।
କେମିତି ଧରାପଡ଼ିଲେ
ଗତ କିଛି ଦିନ ହେଲା କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଘନଘନ ସିନ୍ଧି ଚୋରି ହେବା ନେଇ ଅଭିଯୋଗ ହେଲା। ଗତ ଡିସେମ୍ବର ୩୧ ତାରିଖ ରାତିରେ ଗଙ୍ଗନଗର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘର ତାଲା କାଟି ସିନ୍ଧିଚୋରମାନେ କଳାକନା ବୁଲାଇଦେଇଥିଲେ। ସେହିପରି ଜାନୁଆରି ୧୨ରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ୟୋତି ମିଶ୍ରଙ୍କ ଘରୁ ସିନ୍ଧିଚୋରି ହେଲା। ଗତ ୨୧ ତାରିଖରେ ହକି ତାରକା ପ୍ରବୋଧ ତିର୍କୀଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇଥିଲେ। ସରକାରୀ କ୍ବାର୍ଟର୍ସ ଓ ଭିଆଇପି ଅଞ୍ଚଳରୁ ଏମିତି ବାରମ୍ବାର ଚୋରି ହେବା ନେଇ ଅଭିଯୋଗ ହେବା ପରେ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ତେଣୁ ଏହି ସିନ୍ଧିଚୋର ଗ୍ୟାଙ୍ଗ୍କୁ ତୁରନ୍ତ ଠାବ କରିବାକୁ ଏକ ସ୍ବତନ୍ତ୍ର ଟିମ୍ ଲାଗିପଡ଼ିଥିଲା। ଉପରୋକ୍ତ ତିନିଟି ଯାକ ଲୁଟ୍ ସମାନ ଢ଼ଙ୍ଗର ହୋଇଥିବାରୁ ଏହା ଗୋଟିଏ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍ର କାଣ୍ଡ ବୋଲି ଜଣାପଡ଼ିଥିଲା। ଏଣେ ବିଭିନ୍ନ ସିସିଟିଭି ଫୁଟେଜ୍ରୁ ପୁଲିସ କେତେକଙ୍କ ଫଟୋକୁ ଦେଖିଥିଲେ ବି ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନଥିଲା। ତେବେ ଏହା ଭିତରେ ମୁଖିଆ ଚିତ୍ତ ଦଳେଇ ପ୍ରସଙ୍ଗ ପୁଲିସକୁ ବଡ଼ ସୁରାକ୍ ଯୋଗାଇ ଦେଇଥିଲା। ଗତ କିଛି ଦିନ ତଳେ ସର୍ତ୍ତମୂଳକ ଜାମିନ ପାଇ କୁଖ୍ୟାତ ଚିତ୍ତ ଜେଲ୍ରୁ ଫେରିଥିଲା। ଦୈନିକ ଥାନାରେ ହାଜିରା ଦେଉଥିଲା। ମାତ୍ର ହକି ଖେଳାଳି ପ୍ରବୋଧଙ୍କ ଘରୁ ଚୋରି ହେବା ପରେ ହଠାତ୍ ସେ ଗାଏବ୍ ହୋଇଯାଇଥିଲା। ତେଣୁ ପୁଲିସର ସନ୍ଦେହ ହୋଇଥିଲା ଏବଂ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରଥମେ ତାକୁ ଗିରଫ କରିଥିଲା। ଏହା ପରେ ସେ ସବୁ ସତ ମାନିଥିଲା।
ଶହେରୁ ଅଧିକ ମାମଲା
ଏହି ଲୁଟେରା ଗ୍ୟାଙ୍ଗ୍ର ଚେର ରାଜଧାନୀ ବାହାରକୁ ବି ଲମ୍ବିଛି। ପୁଲିସ ସୂଚନାନୁସାରେ କମିସନରେଟ୍ ପୁଲିସ ଥାନାକୁ ବାଦ୍ଦେଲେ ରାଜ୍ୟର ବିଭିନ୍ନ ଥାନାରେ ଏହି ଗ୍ୟାଙ୍ଗ୍ ନାଁରେ ଶହେରୁ ଅଧିକ ମାମଲା ରହିଛି। ଏମାନେ କିଛି ଦିନ ରାଜଧାନୀରେ ସିନ୍ଧିଚୋରି କରିବା ପରେ ବାହାରକୁ ପଳାନ୍ତି। ଦିନ ବେଳା ବୁଲି ବୁଲି ରେକି କରନ୍ତି ଏବଂ ରାତିରେ ତାଲା କାଟି ଘରେ କଳାକନା ବୁଲାଇ ଦିଅନ୍ତି। ଏମାନେ ଘରୁ ସବୁ ଦାମୀ ଜିନିଷ ଅଟୋରେ ଲଦି ବୋହିନେଇ ପାର୍ ହୋଇଯାଆନ୍ତି।