ଭୁବନେଶ୍ବର: ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ଆବହମାନ କାଳରୁ ରହିଯାଇଥିବା ପାଞ୍ଚଟି ଗାଁ ହଟିବ। ୫୬୫ ପରିବାର ଜଙ୍ଗଲ ବାହାରକୁ ସ୍ଥାନାନ୍ତରିତ ହେବେ। ବହୁ ପୁରୁଣା ଯୋଜନା ହୋଇଥିଲେ ହେଁ ପୁଣି ଥରେ ଏନେଇ ବନ ବିଭାଗ ଅଣ୍ଟା ଭିଡ଼ିଛି। ଜଙ୍ଗଲ ବାହାରେ ରାଜଧାନୀ ଉପକଣ୍ଠରେ ୬୦ ଏକର ଜମି ଚିହ୍ନଟ କରିବାକୁ ଭୁବନେଶ୍ବର ତହସିଲଦାରଙ୍କୁ ଅନୁରୋଧ କରାଯାଇଛି। ଯୋଜନାନୁସାରେ ପ୍ରତି ପରିବାରକୁ ୫ ଡେସିମିଲ ଜମି ସହ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। 

Advertisment

ନିଷ୍ପତ୍ତି ଅନୁଯାୟୀ ୧୮ ବର୍ଷ ଧରି ଜଙ୍ଗଲ ଭିତରେ ବସବାସ କରୁଥିବା ପରିବାରକୁ ଥଇଥାନ କରାଯିବ। ପୂର୍ବରୁ ଅଭୟାରଣ୍ୟ ଭିତରୁ ୧୧୮ ପରିବାରକୁ ସ୍ଥାନାନ୍ତର କରାଯାଇଛି। ବାକି ପରିବାରଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ଚନ୍ଦକା-ଦାରୁଠେଙ୍ଗ  ଭୁଆଶୁଣୀ ନିକଟ କୃଷ୍ଣନଗରରେ ଜମି ଚିହ୍ନଟ ହୋଇଥିଲା। ୧୯୯୯ ମସିହାରେ ଚିହ୍ନଟ ହୋଇଥିବା ଜମିର ସ୍ଥିତି ଏବେ କ’ଣ ରହିଛି, ତାହାର ହିସାବ ବନ ବିଭାଗ ନିକଟରେ ନାହିଁ। ତେଣୁ ଉକ୍ତ ଜମିର ସ୍ଥିତି ‌ବିଷୟରେ ଜଣାଇବାକୁ ତହସିଲଦାରଙ୍କୁ କୁହାଯାଇଛି।

ସ୍ଥାନାନ୍ତର‌ ହେବେ ୫୬୫ ପରିବାର
ମିଳିବ ୫ ଡେସିମିଲ ଜମି ଓ ୧୫ ଲକ୍ଷ ଟଙ୍କା
ଉପକଣ୍ଠରେ ୬୦ ଏକର ଜମି ‌ଖୋଜୁଛି ପ୍ରଶାସନ

ବହୁ ବର୍ଷ ହେଲା ଏହି ଜଙ୍ଗଲ ଭିତରେ ଢୋଲକାଠ, ଡାହାଣୀଗାଡ଼ିଆ, ବେହେଣ୍ଟାସାହି, ପିଠାଖିଆ ଓ ନୂଆକୂଅ ଏମିତି ପାଞ୍ଚ ପଡ଼ା ଏହି ଅଭୟାରଣ୍ୟ ଭିତରେ ରହିଛି। କାଠ କାଟି ବିକ୍ରି କରିବା, ପଶୁ ଶିକାର ଓ ଚାଷ କରିବା ଏହି ଲୋକମାନଙ୍କର ଜୀବିକା ଥିଲା। କାଠ କାଟିବା ଓ ପଶୁ ଶିକାର ଉପରେ କଟକଣା ଲାଗୁ ହେବା ପରେ ଏବେ ସେମାନଙ୍କ ଜୀବିକା କେବଳ ଚାଷରେ ହିଁ ସୀମିତ ରହିଛି। କିଛି ଲୋକ ଜଙ୍ଗଲ ବାହାରକୁ ଆସି ମେଣ୍ଢାଶାଳ, କଣ୍ଟାବାଡ଼, ଚନ୍ଦକା, ବାଙ୍କୀ ଓ ଡମପଡ଼ା ଅଞ୍ଚଳରେ ମୂଲ ମଜୁରି ଲାଗିବା ଦେଖାଯାଏ।

 ପିଲାମାନଙ୍କ ପାଠପଢ଼ା ସମସ୍ୟା ସହିତ ଏବେ ଜଙ୍ଗଲ ଭିତରେ ଚଳିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିବାରୁ ସେମାନେ ବାହାରକୁ ଆସିବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ଡିଏଫ୍‌ଓ ଶରତ ବେହେରା କହିଛନ୍ତି। ୨୦୨୧-୨୨ ପରଠାରୁ ଜଙ୍ଗଲ ଭିତର ଗାଁଗୁଡ଼ିକ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାର ପରିବାର ପିଛା ୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ ସହ ପୁନଃ ଥଇଥାନ ପାଇଁ ୧୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ସାତକୋଶିଆରୁ ସ୍ଥାନାନ୍ତର ହୋଇଥିବା ୯୬୩ ପରିବାରକୁ ଏହି ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ଶିମିଳିପାଳ, ହଦଗଡ଼ ଏବଂ ଦେବ୍ରିଗଡ଼ ଆଦି ଜଙ୍ଗଲରୁ ୨୦୨୩-୨୪ ମସିହାରେ ୨୭୦ ପରିବାର, ହସନାବାହଲରୁ ୮୮ ଏବଂ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅନ୍ତର୍ଗତ ଭୁର୍କୁଣ୍ଡି ଗାଁରୁ ୧୨୬ ପରିବାର ସ୍ଥାନାନ୍ତର ହୋଇଛନ୍ତି।