ଏମ୍‌ସରେ ସୁସ୍ଥ ହେଲେଣି ସିଜୋଫ୍ରେନିଆରେ ପୀଡ଼ିତ ୫ ରୋଗୀ

୧୬-୩୦ ବର୍ଷୀୟଙ୍କ ମଧ୍ୟରେ ଲକ୍ଷଣ ଅଧିକ

ଭୁବନେଶ୍ବର: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ। ଯାହା ଜଣେ ବ୍ୟକ୍ତିର ବ୍ୟବହାର ଏବଂ ଚିନ୍ତା କରିବା ଶକ୍ତିକୁ ପ୍ରଭାବିତ କରିପାରେ। ୧୬ରୁ ୩୦ ବର୍ଷୀୟ ପୁରୁଷଙ୍କ ମଧ୍ୟରେ ଏହା ଅଧିକ ଚିହ୍ନଟ ହୁଏ ବୋଲି କହିଛନ୍ତି ଏମ୍‌ସ ମାନସିକ ରୋଗ ବିଭାଗର ଅତିରିକ୍ତ ପ୍ରଫେସର ବିଶ୍ବରଞ୍ଜନ ମିଶ୍ର। ଦୁଇ ବର୍ଷ ମଧ୍ୟରେ ଏମ୍‌ସର ମନସ୍ତତ୍ବ ବିଭାଗରେ ଏହି ରୋଗର ଶିକାର ୪ରୁ୫ ଜଣ ଚିକିତ୍ସିତ ହୋଇ ସୁସ୍ଥ ହେବା ସହିତ ସ୍ବାଭାବିକ ଜୀବନ ବିତାଉଛନ୍ତି। ଏମ୍‌ସ ଡାକ୍ତରଙ୍କ ଅନୁସାରେ, ଜଣେ ସିଜୋଫ୍ରେନିଆ ରୋଗୀ ବାସ୍ତବିକତାକୁ ଅନୁଭବ କରିପାରେ ନାହିଁ।

ଏପରିକି ସେମାନେ ଯାହା ଶୁଣନ୍ତି, ଶୁଙ୍ଘନ୍ତି ଏବଂ ଦେଖନ୍ତି ତାହା ପ୍ରକୃତରେ ହୋଇ ନଥାଏ। କାଳ୍ପନିକ ଶବ୍ଦ ଶୁଣିବା ଏହି ରୋଗୀଙ୍କ ଠାରେ ସବୁଠାରୁ ସାଧାରଣ ଲକ୍ଷଣ। ଅନେକ କ୍ଷେତ୍ରରେ ସିଜୋଫ୍ରେନିଆ ରୋଗୀଙ୍କୁ ଅନୁଭବ ହୁଏ ସେ ବିପଦରେ ଅଛନ୍ତି। କିନ୍ତୁ ପ୍ରକୃତରେ ଏହା ହୋଇନଥାଏ। ତାଙ୍କର ଏଭଳି ଭାବନା ତାଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏଥିଯୋଗୁଁ ପରିବାର ଠାରୁ ଦୂରେଇ ଯାଆନ୍ତି। ସିଜୋଫ୍ରେନିଆ ରୋଗୀ କୌଣସି କାର୍ଯ୍ୟରେ ଏକାଗ୍ର ରହିପାରନ୍ତି ନାହିଁ କି ମନେ ରଖି ପାରନ୍ତି ନାହିଁ। ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ଏହାର ସମାଧାନ ହୋଇପାରେ।

ଏଥିଯୋଗୁଁ ଏହି ରୋଗର ଲକ୍ଷଣ ରୋଗୀ ଚିହ୍ନିବା ଉଚିତ। ଭାରତରେ ଏକ ହଜାର ଜନସଂଖ୍ୟାର ୩ ଜଣ ସିଜୋଫ୍ରେନିଆ ରୋଗୀ ଅଛନ୍ତି। ଏହି ରୋଗୀ ଗୁରୁତର ହୋଇ ପଡ଼ିଲେ ଅନ୍ୟର କ୍ଷତି ମଧ୍ୟ କରିପାରନ୍ତି। ଏଥିପାଇଁ ରୋଗର ସ୍ଥିତି ଅନୁଯାୟୀ ସେମାନଙ୍କ ଚିକିତ୍ସା କରାଯିବା ଉଚିତ। ସିଜୋଫ୍ରେନିଆର ଶିକାର ଅନେକ ରୋଗୀ ରାସ୍ତାରେ ବୁଲୁଥାଆନ୍ତି। ସେମାନଙ୍କ ଚିକିତ୍ସା ସହିତ ସାମାଜିକ ସଙ୍ଗଠନ ଜରିଆରେ ଥଇଥାନ କରାଯିବା ଉଚିତ। ଏମ୍‌ସ ଓପିଡିକୁ ଏଭଳି ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥାଆନ୍ତି।

ସମ୍ବନ୍ଧିତ ଖବର