ବାଣୀବିହାରରେ ମାଡ଼ୁଛି କରୋନା, ୨୪ ଘଣ୍ଟାରେ ୫ ଛାତ୍ର ଆକ୍ରାନ୍ତ

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି, ମହଙ୍ଗା ପଡ଼ିବନି ତ ଆନ୍ଦୋଳନ?

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମାଡ଼ି ଚାଲିଛି କରୋନା। ଗୋଟିଏ ପରେ ଗୋଟିଏ ବିଭାଗକୁ ଡେଉଁଛି। ଗତକାଲି ସାମାଜିକ ବିଜ୍ଞାନ ବିଭାଗ ଜଣେ ଛାତ୍ର କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବିଭାଗୀୟ କର୍ତୃପକ୍ଷ ମିଡ୍‌-ସେମିଷ୍ଟାର ପରୀକ୍ଷାକୁ ବାତିଲ୍‌ କରିଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା ନ କରିବାକୁ କହିଥିଲେ। ଏହାର ୨୪ ଘଣ୍ଟା ନ ବିତୁଣୁ କ୍ୟାମ୍ପସରୁ ଆଉ ୫ ଜଣ ଆକ୍ରାନ୍ତ ବାହାରିଛନ୍ତି। ରସାୟନ ବିଜ୍ଞାନ ବିଭାଗରୁ ଦୁଇ ଜଣ ଆକ୍ରାନ୍ତ ବାହାରିଥିବା ବେଳେ ଏମ୍‌ସିଏ ଓ ଅର୍ଥନୀତି ବିଭାଗରୁ ଜଣେ ଲେଖାଏ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ‌ଦୁଇ ଦିନ ତଳେ କ୍ୟାମ୍ପସ ଭିତରେ ଓ ବାହାରେ ହୋଇଥିବା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନର ନେତୃତ୍ବ ନେଉଥିବା କେତେଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତେଣୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରଛାତ୍ରୀ ବି ଆକ୍ରାନ୍ତ ହୋଇପାରନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ଛାତ୍ରଛାତ୍ରୀ ଓ ପ୍ରଫେସରଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହଷ୍ଟେଲ ତଥା ଛାତ୍ରାବାସ ବନ୍ଦ ନ କରିବା ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଉ ‌ସେହି ଛାତ୍ରାବାସରୁ ଜଣଙ୍କ ପରେ ଜଣେ ଆକ୍ରାନ୍ତ ବାହାରୁଛନ୍ତି। ଗୋପବନ୍ଧୁ ଛାତ୍ରାବାସରୁ ଇତିମଧ୍ୟରେ ଦୁଇ ଜଣ ଆକ୍ରାନ୍ତ ବାହାରି ସାରିଛନ୍ତି। ଅର୍ଥନୀତି ଓ ଏମ୍‌ସିଏ ବିଭାଗରୁ ଚିହ୍ନଟ ହୋଇଥିବା ଦୁଇ ଜଣ ଛାତ୍ର ଗୋପବନ୍ଧୁ ଛାତ୍ରାବାସର ବୋଲି ଜଣାପଡ଼ିଛି। ଗତକାଲି ସାମାଜିକ ବିଜ୍ଞାନ ବିଭାଗରୁ ଚିହ୍ନଟ ହୋଇଥିବା ଛାତ୍ର ଜଣକ ମଧୁସୂଦନ ଛାତ୍ରାବାସର ହୋଇଥିବା ସୂଚନା ମିଳିଛି। ଇତିମଧ୍ୟରେ ଜଣେ ଆକ୍ରାନ୍ତ ଛାତ୍ର ନିଜ ଘରକୁ ପଳାଇ ଯାଇଛନ୍ତି। ଉକ୍ତ ଛାତ୍ର ଜଣକ ଯିବା ସମୟରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିବେ ସେମାନେ ବି ଆକ୍ରାନ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି।

ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ମିଡ୍‌-ସେମିଷ୍ଟାର ପରୀକ୍ଷାରେ କୌଣସି ପରିବର୍ତନ କରିନାହାନ୍ତି। ବରଂ ନିର୍ଦ୍ଧାରିତ ସମୟରେ ପରୀକ୍ଷା ସାରିବାକୁ ସମସ୍ତ ବିଭାଗୀୟ ମୁଖ୍ୟ ଓ ପ୍ରଫେସରମାନଙ୍କୁ ନିର୍ଦେଶ ଦିଆଯାଇଛି। ପରୀକ୍ଷା ପୂର୍ବରୁ ବିଭାଗଗୁଡ଼ିକ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କାନିଂ କରିବେ। ପିଜି କାଉନସିଲ୍‌ ପକ୍ଷରୁ ଏଥିପାଇଁ ସ୍କାନର ଯୋଗାଇ ଦିଆଯାଉଛି। ଯଦି କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଅନିଚ୍ଛା ପ୍ରକାଶ କରିବେ ‌ତେବେ ବିଭାଗୀୟ ମୁଖ୍ୟମାନେ ପରବର୍ତୀ ସମୟରେ ବିକଳ୍ପ ବ୍ୟବସ୍ଥା ଯଥା ଆସାଇନ୍‌ମେଣ୍ଟ, ଅନ୍‌ଲାଇନ୍‌ ଟେଷ୍ଟ କରିପାରିବେ। ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଛି। ପରୀକ୍ଷା ଲାଗି ଅଧିକ ସଂଖ୍ୟକ ରୁମ୍‌ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କର କୋଭିଡ୍‌ ଲକ୍ଷଣ ରହିଛି କିମ୍ବା ଆକ୍ରାନ୍ତ ହୋଇଛନ୍ତି ସେମାନେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେବାକୁ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ବସନ୍ତ କୁମାର ମଲ୍ଲିକ କହିଛନ୍ତି।

ଅନ୍ୟପକ୍ଷରେ ବାଣୀବିହାରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୬ ବର୍ଷୀୟ ପୁରୁଷ ହୋଇଥିବା ବେଳେ ୩୫ ବର୍ଷୀୟ ମହିଳା ଓ ୨୭ ବର୍ଷୀୟ ପୁରୁଷ ରହିଛନ୍ତି। ଏମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟ ଷ୍ଟାଫ୍‌ ଅଛନ୍ତି କି ନାହିଁ ସେନେଇ ବିଏମ୍‌ସି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ଚେତିନାହାନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ
ସଂକ୍ରମଣ ବଢ଼ୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଚେତିନାହାନ୍ତି। ଯେକୌଣସି ପ୍ରକାରେ ମିଡ୍‌-ସେମିଷ୍ଟାର ପରୀକ୍ଷା କରିବାକୁ ନି‌ଷ୍ପତ୍ତି ନେବା ପରେ ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନେ ବିରୋଧ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ପରୀକ୍ଷା ଅପେକ୍ଷା ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କ କଥା କର୍ତୃପକ୍ଷ ଚିନ୍ତା କରୁଛନ୍ତି। ହେଲେ ଯେଉଁ ପ୍ରଫେସରମାନେ ପରୀକ୍ଷା ପରିଚାଳନା କରିବେ ସେମାନେ କିଭଳି ସୁରକ୍ଷିତ ରହିବେ ସେକଥା ଭାବୁ ନାହାନ୍ତି। ଏହି ପରୀକ୍ଷାର ଗୁରୁତ୍ବ ନ ଥିବାରୁ ଅନ୍‌ଲାଇନ୍‌ରେ ବି କରିହେବ। ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଅନିଚ୍ଛା ପ୍ରକାଶ କରୁଥିବା ବେଳେ କର୍ତୃପକ୍ଷ କାହିଁକି ଜିଦ ଧରୁଛନ୍ତି ତାହା ଜଣାପଡ଼ୁ ନାହିଁ।

ସମ୍ବନ୍ଧିତ ଖବର