ବାରଙ୍ଗ/ତ୍ରିଶୂଳିଆ : ବାରଙ୍ଗ ଟ୍ରକ ମାଲିକ ସଂଘ ଗୃହରେ ତହସିଲ ପ୍ରଶାସନ ଓ ପୁଲିସ ପ୍ରଶାସନର ବେଆଇନ ଜରିମାନା ଆଦାୟ ପ୍ରତିବାଦରେ ୫ଟି ଟ୍ରକ ମାଲିକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବାରଙ୍ଗ ଟ୍ରକମାଲିକ ସଂଘର ସଭାପତି ବିଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖୋର୍ଦ୍ଧା, ବାରଙ୍ଗ, ବାଙ୍କୀ, କଟକ ସିଡିଏ ଓ ପ୍ରତାପନଗରୀ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଅଗାମୀ ଏକ ସପ୍ତାହ ମଧ୍ୟରେ ସରକାରଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଆଲୋଚନା କରାଯିବ, ସମାଧାନର ସୂତ୍ର ନ ବାହାରିଲେ ଗାଡ଼ି ଚଳାଚଳ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛି। ଯାହା ଦ୍ବାରା କଟକ ଓ ଭୁବନେଶ୍ବର ଦ୍ବୈତନଗରୀ ଆଖପାଖ ଅଞ୍ଚଳକୁ ଲଘୁ ଖଣିଜ ଦ୍ରବ୍ୟ ଯଥା: ବାଲି, ଗୋଡ଼ି ଓ ମୋରମ ଇତ୍ୟାଦି ପରିବହନ ଠପ୍ ହୋଇଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଲଘୁ ଖଣିଜ ଦ୍ରବ୍ୟ ପରିବହନ କ୍ଷେତ୍ରରେ ପୁଲିସ ଓ ତହସିଲ ପ୍ରଶାସନର ବେଆଇନ ଜରିମାନା ଆଦାୟରେ ଅତିଷ୍ଠ ହୋଇଥିବା ଗାଡ଼ି ମାଲିକମାନେ କିଭଳି ସ୍ଥାୟୀ ସମାଧାନର ବାଟ ପାଇପାରିବେ ସେ ନେଇ ବୈଠକରେ ଆଲୋଚନା କରି ନିଷ୍ପତ୍ତି ନିଆଯାଇଥିଲା। ବିଶେଷ କରି ବାଲି ପରିବହନ ପାଇଁ ସରକାରୀ ସ୍ବୀକୃତିପ୍ରାପ୍ତ ଘାଟରୁ ବାଲି ଆଣିବା ବେଳେ ଘାଟ ଲିଜଧାରୀମାନେ ସରକାରୀ ନିୟମ ମୁତାବକ ବାଲି ଗାଡ଼ି ମାନଙ୍କୁ ଟ୍ରାନ୍ଜିଟ ପାସ୍ ବା ୱାଇ ଫର୍ମ ଦେଉ ନଥିବାରୁ ତହସିଲଦାର ଓ ପୁଲିସ ଅଧିକାରୀ ମାନେ ବାଟରେ ଗାଡ଼ିକୁ ତଦନ୍ତ ଆଳରେ ଅଟକାଇ ହଜାର ହଜାର ଟଙ୍କାର ଜରିମାନା ଆଦାୟ କରୁଛନ୍ତି। ଜରିମାନା ଦେଇ ନପାରିଲେ ଗାଡ଼ି ଜବତ କରୁଛନ୍ତି।
ଏଠାରେ ପ୍ରକାଶ ଥାଉକି ଲଘୁ ଖଣିଜ ଦ୍ରବ୍ୟର ସୁପରିବହନ ପାଇଁ ଅତୀତରେ କେନ୍ଦ୍ରୀୟ ଜୋନ୍ ଆରଡିସି, ଖୋର୍ଦ୍ଧା କଟକ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଅବଗତ କରାଯାଇଥିଲା। ସେମାନେ ଏଯାବତ୍ କିଛି ନିଷ୍ପତ୍ତି ନେଇନାହାନ୍ତି। ଅନ୍ୟପକ୍ଷରେ ରାଜସ୍ବ ଅଧିକାରୀମାନଙ୍କୁ ରାଜ୍ୟ ସରକାର ଜରିମନା ଆଦାୟ ପାଇଁ ଟାର୍ଗେଟ୍ ଦେଉଥିବାରୁ ରାଜସ୍ବ ଅଧିକାରୀ ଓ ତହସିଲଦାର ମାନେ ପ୍ରତିଯୋଗିତା ଅଭିମୁଖ୍ୟ ରଖି ମୋଟା ଅଙ୍କରେ ଜରିମନା ଆଦାୟ କରୁଛନ୍ତି। ଏପରିକି ଗାଡ଼ି ମାଲିକମାନେ ବାଲି କ୍ରୟ କରିବା ପାଇଁ ସ୍ଥିରୀକୃତ ରୟାଲଟି ଦେଇ ଗାଡ଼ି ଚଳାଚଳ କରିବାକୁ ପ୍ରସ୍ତୁତ ଥିବାବେଳେ ଘାଟ ମାଲିକ ପ୍ରତି ଗାଡ଼ିକୁ ବାଲି ବିକ୍ରି ସମୟରେ ଟ୍ରାନ୍ଜିଟ୍ ପାସ ଦେଉ ନଥିବାରୁ ବାଲି ପରି ଅତ୍ୟାବଶକୀୟ ଲଘୁ ଖଣିଜ ଦ୍ରବ୍ୟର ପରିବହନରେ ବାଧା ସୃଷ୍ଟି ହେଉଛି। ବୈଠକରେ ସର୍ବସମ୍ମତି କ୍ରମେ ଏକ କମିଟି ଗଠନ କରାଯାଇ ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନର ସୂତ୍ର ବାହାର କରିବା ପାଇଁ ସ୍ଥିର ହୋଇଛି। ସରକାର ଯଦି ସହୃଦତାର ସହିତ ଟ୍ରକ ମାଲିକ ମାନଙ୍କର ନାର୍ଯ୍ୟ ଦାବିକୁ ନ୍ୟାୟୋଚିତ ଭାବେ ବିଚାର ନକରନ୍ତି ତେବେ ଆଗାମୀ ଦିନରେ ବୈଠକ ଡାକି ସମସ୍ତ ଗାଡ଼ି ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଟ୍ରକ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି। ବୈଠକରେ ବାରଙ୍ଗ ଟ୍ରକ୍ ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସହୁ, ଉପ ସଭାପତି ରମେଶ ଜେନା, ହୈମବତୀ ନନ୍ଦନ ଚକ୍ରବର୍ତ୍ତୀ, ସମ୍ପାଦକ କିଶୋର ବେହେରା, ଖୋର୍ଦ୍ଧା ସଭାପତି ପ୍ରଣବ ପରିଜା, ବାଙ୍କୀ ସଭାପତି ଅଜୟ ରାଉତ, ପ୍ରତାପ ନଗରୀ ସମ୍ପାଦକ ବଟକୃଷ୍ଣ ରାଉତ, ଅମୀୟ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ।