ୱେବ୍‌ ପୋର୍ଟାଲ ନାଁରେ ଅପହରଣ ଓ ଟଙ୍କା ଆଦାୟର ପର୍ଦ୍ଦାଫାସ୍‌: ସାମ୍ବାଦିକା ସମେତ ୫ ବନ୍ଧା ହେଲେ

ମାଷ୍ଟରମାଇଣ୍ଡ୍ ରାଜ୍ ଓ ୩ ସହଯୋଗୀ ଫେରାର୍‌
ସାମ୍ବାଦିକାଙ୍କୁ ତଡ଼ିପାର୍ କରାଯିବ: ଡିସିପି

ଭୁବନେଶ୍ବର/ବାରଙ୍ଗ : ‘ତୁ ହେଲୁ ଆମର ୨୮ ନମ୍ବର ଶିକାର। ତୋରି ପାଇଁ ଆମର ଖଣିମାଲିକ ସହ ହୋଇଥିବା କୋଟିଏ ଟଙ୍କାର ଡିଲ୍ ବାତିଲ ହୋଇଗଲା। ତେଣୁ ତମେ ଦି’ଟା ୫ ଲକ୍ଷ ଲେଖାଏଁ ମୋଟ ୧୦ ଲକ୍ଷ ଦେଲେ ଏଠାରୁ ଛାଡ଼ ପାଇବ। ନଚେତ୍ ଏଠାରୁ ଯାଇପାରିବନି। ସେମିତିରେ ମାସକୁ ମାସ ଥାନାକୁ ମୁଁ ଲକ୍ଷଲକ୍ଷ ଟଙ୍କା ଦେଉଛି। ପୁଲିସ ମୋର କିଛି କହିପାରିବ ନାହିଁ।’

ଇଏ ‌କୌଣସି କ୍ରାଇମ୍‌ ଥ୍ରିଲର୍‌ ଚଳଚ୍ଚିତ୍ରର ସଂଳାପ ନୁହେଁ। ‘ଲାଇଭ୍ କଳିଙ୍ଗ ନିଉଜ୍’ ନାଁରେ ଏକ ୱେବ୍‌ପୋର୍ଟାଲ ଖୋଲି ‌ଲୋକଙ୍କୁ ଅପହରଣ କରି ନିର୍ଯାତନା ଦେଉଥିବା ଏବଂ ମୁଣ୍ଡଜାମିନ ରଖି ଲକ୍ଷଲକ୍ଷ ଟଙ୍କା ଆଦାୟ କରୁଥିବା ଏକ ଆପରାଧିକ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍ ରଘୁରାମ ସାହୁ ଓରଫ୍ ରାଜ ଏବଂ ତା’ର ସହଯୋଗୀ ସାମ୍ବାଦିକା ପ୍ରିୟମ୍ବଦା ନାୟକ ଓରଫ ଗୁଡ୍ଡିର ଧମକପୂର୍ଣ୍ଣ ବା‌ର୍ତ୍ତାଳାପର କିଛି ଅଂଶ। କିଛି ଦିନ ତଳେ ଏହି ଗ୍ୟାଙ୍ଗ୍‌ର ୧୦ରୁ ଅଧିକ ସଦସ୍ୟ ଜଣେ ଟ୍ରକ୍ ମାଲିକ ଓ ତା‌ଙ୍କ ସହଯୋଗୀକୁ ଅପହରଣ କରି ନେଇ ୨ ଦିନ କାଳ ଅକଥନୀୟ ନିର୍ଯାତନା ଦେବା ଏବଂ ବ୍ଲାକ୍‌ମେଲ୍ କରି ୧୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ସଂପୃକ୍ତ ସାମ୍ବାଦିକା ସମେତ ୫ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପୋର୍ଟାଲ ଲାଇଭ୍ କଳିଙ୍ଗ ନ୍ୟୁଜ୍‌ର ସାମ୍ବାଦିକା ପ୍ରିୟମ୍ବଦା ଓରଫ୍ ଗୁଡ୍ଡି, କ୍ୟାମେରାମ୍ୟାନ୍ ରାକେଶ, ସହଯୋଗୀ ଅବିନାଶ ପାତ୍ର, ସୁରକ୍ଷା କର୍ମୀ ମମତା ସାହୁ ଓ ସୋନୁ। ତେବେ ୱେ୍‌ ପୋର୍ଟାଲର ମାଲିକ ରାଜ୍‌ ଓ ୩ ସହଯୋଗୀମାନେ ଫେରାର୍ ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଥିବାବେଳେ ରାଜ ଓ ଗୁଡ୍ଡିଙ୍କୁ ତଡ଼ିପାର୍ କରିବ ବୋଲି ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ମାଡ଼ରେ ଲହୁଲୁହାଣ ପୂର୍ଣ୍ଣଚନ୍ଦ୍ର ସାହୁ

ଏମିତି ହୋଇଥିଲା ଅପହରଣ
ଅଗଷ୍ଟ ୨ ତାରିଖରେ କେନ୍ଦ୍ରାପଡ଼ାର ଜଣେ ଟ୍ରକ୍‌ ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ଖଣି କାରବାରରେ ଫାଇନାନ୍ସ ଯୋଗାଡ଼ ଲାଗି ଭୁବନେଶ୍ବରରେ କିଛି ଲୋକଙ୍କ ସହ ସାକ୍ଷାତ କରିବାକୁ ଆସିଥିଲେ। ଏଠାରେ ପୂର୍ଣ୍ଣଚନ୍ଦ୍ରଙ୍କ ସହ ପୂର୍ବରୁ ପରିଚିତ ଥିବା ପଶ୍ଚିମବଙ୍ଗ ଆସାନସୋଲ୍‌ର ଭିଗୁନାଥ ସିଂହଙ୍କର ଭେଟ ହୋଇଥିଲା ଏବଂ ସେ ତାଙ୍କୁ ଏଥିରେ ସହଯୋଗ କରିବେ ବୋଲି କହିଥିଲେ। ଭିଗୁନାଥ ତାଙ୍କୁ ବିଭିନ୍ନ ବ୍ୟକ୍ତିଙ୍କ ନିକଟକୁ ନେଇ ଦେଖା କରାଇଥିଲେ ମଧ୍ୟ ଆବଶ୍ୟକ ପରିମାଣର‌ରେ ଫାଇନାନ୍ସିଂ ଯୋଗାଡ଼ ହୋଇ ପାରି ନଥିଲା। ଶେଷରେ ଭିଗୁନାଥ ତାଙ୍କର ଜଣେ ସାଙ୍ଗ ରାମାନୁଜ ମିଶ୍ରଙ୍କ ସହଯୋଗରେ ରଘୁରାମ ସାହୁ ଓରଫ୍‌ ରାଜଙ୍କ ଠିକଣା ପାଇଥିଲେ ଏବଂ ଅଗଷ୍ଟ ୫ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କ ସହ ଯୋଗାଯୋଗ କରାଇଥିଲେ। ସେହିଦିନ ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ରାଜଙ୍କୁ ଭେଟିବାକୁ ଯାଇଥିବାବେଳେ ସେ ତାଙ୍କୁ ଗହଣା ବ୍ୟବସାୟୀ ସଂଜୟ ହଂସଙ୍କ ଖାସ୍ ଲୋକ ବୋଲି ପରିଚୟ ଦେଇଥିଲେ ଏବଂ ସଂଜୟ ହଂସଙ୍କୁ ଦେଖାକଲେ ୫୦ଲକ୍ଷ ଟଙ୍କା ଫାଇନାନ୍ସ ମିଳିବ ବୋଲି କହିଥିଲେ। ତେବେ ରାଜ ସେମାନଙ୍କୁ ଫସାଇବା ଲାଗି ଭିଗୁନାଥ ଓ ପୂର୍ଣ୍ଣଚନ୍ଦ୍ରଙ୍କୁ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ପେଟ୍ରୋଲ ପମ୍ପ ପାଖକୁ ଡକାଇଥିଲା। ଉଭୟ ସେଠାରେ ପହଞ୍ଚିବା ପରେ ରାଜ୍ ନିଜର କିଛି ସୁରକ୍ଷାକର୍ମୀଙ୍କୁ ପଠାଇ ସେମାନଙ୍କୁ ନିକଟସ୍ଥ ମାରୁତି ରେସଡେନ୍ସିକୁ ନେଇଯାଇଥିଲା। ସେଠାରେ ରାଜଙ୍କ ୱେବପୋର୍ଟାଲର କାର୍ଯ୍ୟାଳୟ ଚାଲୁଥିଲା। ପୂର୍ଣ୍ଣଚନ୍ଦ୍ର ଓ ଭିଗୁନାଥ ‌ସେଠାରେ ପହଞ୍ଚିବା ମାତ୍ରେ ମମତା ସାହୁ ନାମକ ଜଣେ ଜଣେ ମହିଳା ସୁରକ୍ଷାକର୍ମୀ ଉଭୟଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲା ଏବଂ ସେମାନଙ୍କୁ ଗୋଟିଏ ରୁମ୍‌ରେ ବନ୍ଦ କରି ଦେଇଥିଲା। ଏହାପରେ ରାଜ, ସାମ୍ବାଦିକା ଗୁଡ୍ଡିଙ୍କ ସହ ଅନ୍ୟ ସହଯୋଗୀମାନେ ସେମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପୂର୍ଣ୍ଣ ଓ ଭିଗୁନାଥଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିବା ସହିତ ଉଭୟଙ୍କୁ ଉଲଗ୍ନ କରି ଦେହରେ ସିଗାରେଟ୍ ଚେଙ୍କ ମଧ୍ୟ ଦେଇଥିଲେ। କେବଳ ସେତିକି ନୁହେଁ, ସମସ୍ତେ ମଦ ନିଶାରେ ଚୂର୍‌ ହୋଇ ସାଉଣ୍ଡ ସିଷ୍ଟମ୍‌ରେ ଗୀତ ବଜାଇ ଦୁଇଜଣଙ୍କୁ ନଚାଇଥିଲେ। ଆଉ ନାଚ ବନ୍ଦ କଲେ ଆରମ୍ଭ ହେଉଥିଲା ମାଡ଼। ରଡ୍ ଓ ବାଡ଼ିରେ ମାରି ଉଭୟଙ୍କ ଶରୀର ସାରା ନୋଳା ବସାଇ ଦେଇଥିଲେ।

ସେମାନେ ଉଭୟଙ୍କ ପକେଟରେ ଥିବା ପ୍ରାୟ ୩୦ହଜାର ଟଙ୍କା ଛଡ଼ାଇନେବା ପରେ ୧୦ଲକ୍ଷ ଟଙ୍କା ନଦେଲେ ଏଠାରୁ ଯାଇପାରିବ ନାହିଁ ବୋଲି କହିଥିଲେ। ଖଣି ମାଲିକ ପାଖରୁ ରାଜ୍ ପାଇବାକୁ ଥିବା କୋଟିଏ ଟଙ୍କାର ଡିଲ୍ ପୂର୍ଣ୍ଣଚନ୍ଦ୍ରଙ୍କ ପାଇଁ ବାତିଲ ହୋଇଥିବା କହି ସେମାନେ ଉଭୟଙ୍କ ଘରୁ ଆଣି ଟଙ୍କା ଦେଲେ ଏଠାରୁ ଛାଡ଼ ପାଇବେ ବୋଲି କହିଥିଲେ। ଏମାନଙ୍କ କବଳରୁ ବର୍ତ୍ତିବା ପାଇଁ ପୂର୍ଣ୍ଣଚନ୍ଦ୍ର ବାଧ୍ୟ ହୋଇ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରିବାରୁ ସେ ଅନ୍‌ଲାଇନ୍‌ରେ ରାଜଙ୍କ ଆକାଉଣ୍ଟକୁ ୫୦ ହଜାର ଟଙ୍କା ପଠାଇଥିଲେ। ମାତ୍ର ଏତିକିରେ ସେମାନଙ୍କ ମନ ଭରି ନ ଥିଲା। ଦୁଇଦିନ କାଳ ଅଟକ ରଖି ସେମାନଙ୍କୁ ମାରଧର ଜାରି ରଖିଥିଲେ ରାଜ ଓ ତାଙ୍କ ସହଯୋଗୀ। ଏହାରି ଭିତରେ ପୂର୍ଣ୍ଣଚନ୍ଦ୍ର ଓ ଭିଗୁନାଥଙ୍କୁ ରାଜ ଅପହରଣ କରିଥିବା କଥା ଜାଣିବାକୁ ପାଇ ରାମାନୁଜ ଏ ବିଷୟରେ ପୁଲିସକୁ ଜଣାଇଦେବେ ବୋଲି ଧମକ ଦେଇଥିଲେ। ଫଳରେ ରାଜ୍ ଉଭୟଙ୍କୁ ଛାଡ଼ିଦେଇ ଫେରାର୍ ହୋଇଯାଇଥିଲା। ଏହାପରେ ଉଭୟ ଘରକୁ ଫେରି ପରିବାର ଲୋକଙ୍କୁ ସବୁକଥା କହିଥିଲେ। ତେବେ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ସହ ଭିଗୁନାଥଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିବାରୁ ସେମାନେ ସଂଗେ ସଂଗେ ଏ ନେଇ ପୁଲିସରେ ଅଭିଯୋଗ କରି ନ ଥିଲେ। ଉଭୟ ସାମାନ୍ୟ ସୁସ୍ଥ ହେବା ପରେ ଗତକାଲି ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଚଢ଼ାଉ କରି ଗୁଡ୍ଡି ସମେତ ୫ଜଣଙ୍କୁ ଗିରଫ କରିଥିଲା। ଏହା ସହିତ ପୁଲିସ ପୂର୍ଣ୍ଣଚନ୍ଦ୍ର ଓ ଭିଗୁନାଥଙ୍କୁ ଯେଉଁ ଭଡ଼ା ଘରେ(ମାରୁତି ରେସିଡେନ୍ସି) ବନ୍ଦ ରଖି ମାଡ଼ ମରାଯାଇଥିଲା; ଉକ୍ତ ଘରକୁ ସିଲ୍ କରିବା ସହ ଅଫିସ୍‌ରୁ ଅନେକ କମ୍ପ୍ୟୁଟର, ଟଙ୍କା ଗଣିବା ମେସିନ୍, କ୍ୟାମେରା, ବୁମ୍, ଆଇକାର୍ଡ, ସୁରକ୍ଷା କର୍ମଚାରୀଙ୍କ ବନ୍ଧୁକ, ଲୁହା ରଡ୍, ପାଇପ୍ ଏବଂ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।

ଆଜି ଏ ସଂପର୍କରେ ସୂଚନା ଦେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଖୁବ୍ ଶୀଘ୍ର ମୁଖ୍ୟ ଅଭିଯୁକ୍ତ ରାଜ୍ ସମେତ ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ। ଏହାଛଡ଼ା ସାମ୍ବାଦିକ ପରିଚୟ ଦେଇ ଦାଦାବଟିଠୁ ଆରମ୍ଭ କରି ଏଭଳି ଆପରାଧିକ କାଣ୍ଡରେ ଲିପ୍ତ ଥିବା ସମସ୍ତଙ୍କୁ ତଡ଼ିପାର୍‌ କରାଯିବ। ଏଥିପାଇଁ ସିଆର୍‌ପିସିର ଧାରା ୧୧୦ରେ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସେ କହିଛନ୍ତି।

ସାମ୍ବାଦିକା ନା ଲେଡି ଡନ୍‌?
ପୂର୍ବରୁ ବି ଦାଦାବଟି ଆଦାୟ କରୁଥିଲା ଗୁଡ୍ଡି
ହୋଟେଲ, ହସ୍ପିଟାଲ, ବାର୍‌କୁ ଟାର୍ଗେଟ୍‌ କରୁଥିଲା
ବିଭିନ୍ନ ଥାନାରେ ରହିଛି ୪ଟି ଅଭିଯୋଗ
ରଘୁନାଥପୁରର ସାଇ ରେସିଡେନ୍ସିରେ ଚାଲିଥିବା ୱେବ ପୋର୍ଟାଲ ଲାଇଭ କଳିଙ୍ଗ ନ୍ୟୁଜ୍(ଏଲ୍‌କେଏନ୍)ର ମାଲିକ ରାଜ୍‌ ଓ ସାମ୍ବାଦିକା ଗୁଡ୍ଡି ଖବର ପ୍ରସାରଣର ଧମକ ଦେଇ ଦାଦାବଟି ଆଦାୟ କରୁଥିଲେ। ବିଭିନ୍ନ ଲୋକଙ୍କଠାରୁ ଆରମ୍ଭ କରି ସଂସ୍ଥାର ଭିତିରି କଥା ଜାଣିବା ପରେ ଦାଦାବଟି ଆଦାୟ ପାଇଁ ଯୋଜନା କରୁଥିଲେ। ଯିଏ ସହଜରେ ଟଙ୍କା ଦେଇ ଦେଉଥିଲା ତା’ ବିରୋଧରେ ଆଉ ଖବର ପରିବେଷଣ ହେଉନଥିଲା। ଏପରିକି ଟଙ୍କା ଦେଉନଥିବା ଲୋକକୁ ପାଖକୁ ଡାକି ରାଜ୍ ଓ ଗୁଡ୍ଡି ଏହିଭଳି ନିର୍ଯାତନା ଦେବା ସହିତ ସେମାନଙ୍କଠାରୁ ଜୋର୍ ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ। ଆଉ ଏଥିପାଇଁ ରଘୁନାଥପୁରର କିଛି ସ୍ଥାନୀୟ ଯୁବକ ଏଲ୍‌କେଏନ୍ ପାଇଁ ପୋଷା ଗୁଣ୍ଡା ସାଜିଥିଲେ। ସେମାନେ ଟଙ୍କା ଆଦାୟ ପାଇଁ କାହାକୁ ଉଠାଇ ନେଉଥିଲେ ତ’ କାହାକୁ ଫୋନ୍ କରି ଧମକଚମକ ଦେଉଥିଲେ। କାହାକୁ ଟାର୍ଗେଟ୍ କରାଯିବ ଏବଂ କେମିତି ଟଙ୍କା ଆଦାୟ କରାଯିବ ତା’ର ବ୍ୟୂହ ରଚନା କରୁଥିଲା ଗୁଡ୍ଡି। ସାମ୍ବାଦିକ ଆଇକାର୍ଡ ଧରିଥିବାରୁ ତଥା ସେ ଜଣେ ଯୁବତୀ ହୋଇଥିବାରୁ ଏଥିରୁ ଫାଇଦା ଉଠାଇ ଗୁଡ୍ଡି ଟଙ୍କା ନ ଦେଲେ ସଂପୃକ୍ତ ବ୍ୟକ୍ତି ବିରୋଧରେ ଅସଦାଚରଣର ସଙ୍ଗିନ ଅଭିଯୋଗ ଆଣୁଥିଲା।

ଗୁଡ୍ଡି ବିରୋଧରେ ବିଭିନ୍ନ ଥାନାରେ ଟଙ୍କା ଆଦାୟର ଏମିତି ୪ଟି ଅଭିଯୋଗ ରହିଥିବା ଜଣାପଡ଼ିଛି। କିଛି ମାସ ତଳେ ଗୁଡ୍ଡି ଏକ ଘରୋଇ ଡାକ୍ତରଖାନା, ହୋଟେଲ୍, ବନ୍ଧୁକ ସଂସ୍ଥା, ବାର୍‌ ଯାଇ ଦାଦାବଟି ମାଗିଥିବା ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ଅଭିଯୋଗ ହୋଇଥିଲା। ତେବେ ଥାନାରେ ଅଭିଯୋଗ ହୋଇଥିବା ଖବର ଶୁଣିବା ପରେ ଗୁଡ୍ଡି ଓ ତା’ର ସହଯୋଗୀମାନେ ଥାନାକୁ ଯାଇ ଏହିସବୁ ସଂସ୍ଥା ବିରୋଧରେ ଅସଦାଚରଣ ଅଭିଯୋଗ ଲଗାଇଥିଲେ। ଫଳରେ ଅଭିଯୋଗକାରୀ କଥା‌ ଆଗକୁ ନ ବଢ଼ାଇ ବୁଝାମଣା କରି ନେଇଥିଲେ।

ସମ୍ବନ୍ଧିତ ଖବର