ଜଳ ଯୋଗାଣରେ ଫିକ୍ସିଂ: ପସନ୍ଦର ସଂସ୍ଥାକୁ କାମ ଦେବାକୁ କାରସାଦି

ଫାଇଲ୍‌ ଫେରାଇଦେଲେ ପଞ୍ଚାୟତିରାଜ ମନ୍ତ୍ରୀ, ଆଡଭୋକେଟ୍ ଜେନେରାଲଙ୍କ ମତ ଲୋଡ଼ିଲେ

ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଏବେ ପାଇପ୍‌ ପାଣି ଯୋଗାଣ ପ୍ରକଳ୍ପକୁ ନେଇ ଅଡ଼ୁଆ ବଢ଼ିଛି। ବିଭାଗୀୟ ଅଧିକାରୀମାନେ ନିଜ ପସନ୍ଦର ସଂସ୍ଥାଙ୍କୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦେବାକୁ ଫିକ୍ସିଂ କରାଇବାକୁ ପଛାଉନାହାନ୍ତି। ଏପରିକି ଏନେଇ ମୁଖ୍ୟମନ୍ତ୍ରୀ ଜାଣିଲେ କାର୍ଯ୍ୟାନୁଷ୍ଠାନ ନେବାର ଭୟ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବି ଅନ୍ଧାରରେ ରଖାଯାଇଛି।

ନିକଟରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ୧୦୨୦କୋଟି ଟଙ୍କା ପ୍ରକଳ୍ପ ଘୋଷଣା କରିଥିବା ବେଳେ ଏଥିରେ କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକର ୨୮ଟି ଗ୍ରାମ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ନେଇ ୧୭୭.୮୪କୋଟିର ପ୍ରକଳ୍ପ ଘୋଷଣା କରିଥିଲେ। ଏହି ପ୍ରକଳ୍ପ ନେଇ ପଞ୍ଚାୟତିରାଜ ବିଭାଗ ଅଧୀନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ବିଭାଗୀୟ ସଚିବ କିନ୍ତୁ କେଉଁ ସଂସ୍ଥା କାମ କରିବ ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇ ଦେଇଛନ୍ତି। ଏଥିରୁ ବାରି ହୋଇପଡ଼ୁଛି କେଉଁ ଭଳି ଫିକ୍ସିଂ ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଟେଣ୍ଡର ଆହ୍ବାନ ହୋଇଥିଲା ସେଥିରେ କେଇସି ସଂସ୍ଥା ୧୭୧.୪୪ କୋଟିର ଟେଣ୍ଡର ପକାଇ ଏଲ୍‌-୧ ବିଡର ହୋଇଥିଲା। ହେଲେ ୧୭୭.୮୪କୋଟି ଟଙ୍କାର ଟେଣ୍ଡର ପକାଇ ଏଲ୍‌-୨ ବିଡର ହୋଇଥିବା ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍‌ସ ଲିମିଟେଡକୁ କାମ ଦେବାକୁ ବିଭାଗୀୟ ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ଏଲ୍‌-୧ ସଂସ୍ଥାକୁ କାଟିବା ପାଇଁ ୧୫%ରୁ ଅଧିକ କମ୍‌ରେ ଟେଣ୍ଡର ପକାଇଥିବା କାରଣ ଦର୍ଶାଯାଇଛି। ଯେତେବେଳେକି ଇପିସି (ଇଞ୍ଜିନିୟରିଂ- ପ୍ରୋକ୍ୟୁରମେଣ୍ଟ-କନଷ୍ଟ୍ରକସନ୍‌) ପ୍ରକଳ୍ପରେ ୧୫%ରୁ ଅଧିକ କମ୍‌ ହେଲେ ବି ପ୍ରକଳ୍ପ ଏଲ୍‌-୧ ସଂସ୍ଥାକୁ କାମ ଦିଆଯିବନି ବୋଲି କୌଣସି ନିୟମ ନାହିଁ।

କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ। ସମ୍ବଲପୁରର ୨୬ଟି ଓ ଝାରସୁଗୁଡ଼ାର ୨ଟି ଗ୍ରାମପଞ୍ଚାୟତ, ଯାଜପୁରର ବିଞ୍ଝାରପୁର ବ୍ଲକ ଏବଂ ଢେଙ୍କାନାଳର ଗଁଦିଆ ଓ ଭୁବନ ବ୍ଲକକୁ ପାଣି ଯୋଗାଣ ପାଇଁ ହୋଇଥିବା ଆଉ ତିନିଟି ଟେଣ୍ଡରରେ ବିଭାଗୀୟ ଅଧିକାରୀମାନେ ଏଲ୍‌-୧ ସଂସ୍ଥାଙ୍କୁ କାଟି ଏଲ୍‌-୨ ସଂସ୍ଥାକୁ ଟେଣ୍ଡର ଦେବାକୁ ନିଷ୍ପତ୍ତି ‌ନେଇଛନ୍ତି। ଏଥିରେ ବି କଳାହାଣ୍ଡିର ଗୋଲମୁଣ୍ଡା ପାଇଁ ଲାଗୁ କରୁଥିବା ଫର୍ମୁଲା ଆପଣାଯାଇଛି। ଏହି ତିନିଟି ପ୍ରକଳ୍ପରେ ଏଲ୍‌-୨ ହୋଇଥିବା ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍‌ସ ଲିମିଟେଡକୁ କାମ ଦେବାକୁ ବିଭାଗୀୟ ଅଧିକାରୀମାନେ ନିଷ୍ପତ୍ତି ନେଇସାରିଛନ୍ତି।

ଏଥିପାଇଁ ବିଭାଗୀୟ ମୋହର ମାରିବାକୁ ଫାଇଲ୍‌ ଯେତେବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖକୁ ଗଲା ସେତେବେଳେ ମନ୍ତ୍ରୀ ଇପିସି ନିୟମ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଥିଲେ। ଇପିସି ନିୟମ ଅନୁଯାୟୀ ବିଭାଗ ଯାହା ଧାର୍ଯ୍ୟ କରିଛି ସେହି ଅନୁଯାୟୀ ଯଦି କାମ କରିବାକୁ କୌଣସି ସଂସ୍ଥା ଟେଣ୍ଡର ପକାଇଛି ତେବେ କାହିଁକି କଟାଯାଉଛି ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ହେଲେ କିଛି କ୍ଷମତାଶାଳୀ ଅଧିକାରୀ ମନ୍ତ୍ରୀଙ୍କ ଉପରେ ଚାପ ପକାଇ ଫାଇଲ୍‌ ଅନୁମୋଦନ କରିବାକୁ ଯୋଜନା ହେଉଥିବା ଜଣାପଡ଼ିବା ପରେ ମନ୍ତ୍ରୀ ଏହା ଉପରେ ଆ‌ଡଭୋକେଟ୍‌ ଜେନେରାଲଙ୍କ ମତ ଆଣିବାକୁ କହି ଫାଇଲ୍‌ ଫେରାଇ ଦେଇଥିଲେ। ତେଣୁ ଖୁବ୍‌ ଶୀଘ୍ର ଆଡଭୋକେଟ୍‌ ଜେନେରାଲଙ୍କ ନିକଟକୁ ଫାଇଲ୍‌ ପଠାଯିବ ବୋଲି ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି।

ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆଇନ ଅନୁଯାୟୀ ଆମେ ପଦକ୍ଷେପ ନେବୁ।
ଅପରପକ୍ଷେ ଅର୍ଥ ମନ୍ତ୍ରଣାଳୟର ମାନୁଆଲ୍‌ ଫର୍ ପ୍ରୋକ୍ୟୁରମେଣ୍ଟ ଅଫ୍‌ ୱାର୍କସ-୨୦୧୯ ଏବଂ ରାଜ୍ୟ ସରକାରଙ୍କ ଓପିଡବ୍ଲୁଡି କୋଡ୍‌ ଅନୁଯାୟୀ ଇପିସି ପ୍ରକଳ୍ପରେ ୧୫%ରୁ ଅଧିକ କମ୍‌ରେ ଟେଣ୍ଡର ପକାଇଲେ ଟେଣ୍ଡର ପକାଇଥିବା ସଂସ୍ଥା/ବ୍ୟକ୍ତି ଅଯୋଗ୍ୟ ହେବେ ବୋଲି କୌଣସି ସ୍ଥାନରେ ଉଲ୍ଲେଖ ନାହିଁ। ହେଲେ ପାନୀୟ ଜଳ ବିଭାଗ ୧୫% ନିୟମ ଧରି ବସିଛି। ଯେତେବେଳେ କି ୨୬.୧୦.୨୦୧୩ରେ ଜାରି ହୋଇଥିବା ସର୍କୁଲାର୍‌ ୧୧୬୮୧ ଅନୁଯାୟୀ ପ୍ରତ୍ୟେକ ସାମଗ୍ରୀକୁ ବିଶ୍ଲେଷଣ କରି ପ୍ରସ୍ତୁତ ହୋଇଥିବା ଏଷ୍ଟିମେଟ୍‌ ଉପରେ ୧୫% ହିସାବ ଲାଗୁ ହେବ। ଓପିଡବ୍ଲ୍ୟୁଡି କୋଡ୍‌ର ଧାରା ୩୬ ଅନୁଯାୟୀ, କେବଳ (ପରସେଣ୍ଟେଜ୍‌ ରେଟ୍‌ ଅଫ୍ କଣ୍ଟ୍ରାକ୍ଟରେ) ୧୫%ରୁ ଅଧିକ କମ୍‌ରେ ଟେଣ୍ଡର ପକାଇଲେ ଟେଣ୍ଡର ବାତିଲ୍‌ ହେବ। ଏହା ଓପିଡବ୍ଲ୍ୟୁଡି କୋଡ୍‌ର ୩.୫.୫(ଭି) ପାଇଁ କେବଳ ଲାଗୁ ହେବ ବୋଲି ଓପିଡବ୍ଲ୍ୟୁଡି କୋଡ୍‌ ଭଲ୍ୟୁମ୍‌-୧ ପୁସ୍ତକରେ ଲେଖା ହୋଇଛି। କିନ୍ତୁ ବିଭାଗୀୟ ଅଧିକାରୀ ଇପିସି ପ୍ରକଳ୍ପରେ ନିଜ ପସନ୍ଦର ସଂସ୍ଥାକୁ କାମ ଦେବାକୁ ସବୁ ନିୟମକୁ ମୋଡ଼ି ମକଚି ଦେଇଛନ୍ତି।

କେବଳ ଏତିକି ନୁହେଁ। ପୂର୍ବରୁ ବୃହତ ବ୍ରହ୍ମପୁରକୁ ଜଳ ଯୋଗାଣ ପାଇଁ ୨୦୧୫-୧୬ରେ ହୋଇଥିବା ଇପିସି ଟେଣ୍ଡର ସମୟରେ ଏହି ସମସ୍ୟା ହୋଇଥିଲେ ହେଁ ଜନସ୍ବାସ୍ଥ୍ୟ ବିଭାଗ ଏଲ୍‌-୧ ସଂସ୍ଥାକୁ କାର୍ଯ୍ୟାଦେଶ ଦେଇଥିଲା। ସେହି ପ୍ରକଳ୍ପ ପାଇଁ ବିଭାଗ ୪୫୨କୋଟି ୩୨ଲକ୍ଷ ଟଙ୍କା ସୂଚିତ ମୂଲ୍ୟ ରଖିଥିବା ବେଳେ ଏଲ୍‌ଆଣ୍ଡ୍‌ଟି ସଂସ୍ଥା ୧୭.୦୩% କମ୍‌ରେ ଟେଣ୍ଡର ପକାଇଥିଲା। ଏହାପରେ ବିଭାଗୀୟ ଅଧିକାରୀମାନେ ଆଡଭୋକେଟ୍‌ ଜେନେରାଲଙ୍କ ମତ ଲୋଡ଼ିଥିଲେ। ସେତେବେଳେ ତତ୍କାଳୀନ ଆଡଭୋକେଟ୍‌ ଜେନେରାଲ୍‌ ଜଣାଇଥିଲେ ଯେ, ଇପିସି ପ୍ରକଳ୍ପରେ ଠିକା ସଂସ୍ଥା ସମସ୍ତ କାମ କରୁଥିବାରୁ ଏଠାରେ ଓପିଡବ୍ଲ୍ୟୁଡି କୋଡ୍‌ର ଧାରା ୩୬ ଲାଗୁ ହେବନି। ଏହାପରେ ଉକ୍ତ ସଂସ୍ଥା କାମ ପାଇଥିଲା। ଯାହାକୁ ପରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏବେ ସେହିଭଳି ସ୍ଥିତି ଉପୁଜିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନ୍ଧାରରେ ରଖାଯାଇଛି।
ଏଠାରେ ପ୍ରଶ୍ନ ଉଠୁଛି ସମାନ ପରିସ୍ଥିତିରେ ଏଲ୍‌ଆଣ୍ଡ୍‌ଟି ପାଇଁ ସରକାର ଯେଉଁ ନିୟମ କଲେ ତାହାକୁ କିପରି ଏବେ ପଞ୍ଚାୟତିରାଜ ବିଭାଗ ମାନିବନି। ଏଲ୍‌ଆଣ୍ଡ୍‌ଟି ପାଇଁ କ’ଣ ଗୋଟିଏ ନିୟମ, ବାକି ସଂସ୍ଥାଙ୍କ ପାଇଁ ଆଉ ଏକ ନିୟମ।

ସମ୍ବନ୍ଧିତ ଖବର