ମଦ ଦୋକାନ ବନ୍ଦ, ଗଳା ବାଟରେ ଚାଲିଛି ବେପାର

ଭୁବନେଶ୍ବର: କରୋନା ଭୂତାଣୁ ନ ବ୍ୟାପିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ଅତ୍ୟାଶ୍ୟକ ସାମଗ୍ରୀ ଛଡ଼ା ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି। ମଦ ଦୋକାନ ମଧ୍ୟ ବନ୍ଦ ରହିଛି। ଉଦ୍ଦେଶ୍ୟ ଅନାବଶ୍ୟକ ଭାବରେ ଭିଡ଼ ହେବ ନାହିଁ ବା କରୋନା ଭୂତାଣୁ ବ୍ୟାପିବାର ଭୟ ରହିବ ନାହିଁ। ତେବେ ନିଶାଖୋରଙ୍କ ଉତ୍ପାତ କମି ନାହିଁ। ମଦ ଦୋକାନ ବନ୍ଦ ହୋଇଥିଲେ ମଧ୍ୟ ମଦ ବିକ୍ରି ବନ୍ଦ ହୋଇନାହିଁ। ଦୋକାନ ବନ୍ଦ ପୂର୍ବରୁ କେତେକ ବେପାରୀ ମଦ ରଖି ଦେଇଥିବା ବେଳେ କେତେକ ମଦ ଦୋକାନୀ ମଧ୍ୟ ଚୋରାରେ ମଦ ବିକ୍ରି କରୁଛନ୍ତି। ଦୁଇ ଦିନ ତଳେ କମିସନରେଟ୍‌ ପୁଲିସର ସ୍ପେସାଲ୍‌ ସ୍କ୍ବାଡ୍‌ ୫ଲିଟର ବିଦେଶୀ ମଦ ଜବତ କରିଥିବା‌ ବେଳେ ନୂଆପଲ୍ଲୀ ଥାନା ପୁଲିସ ୨୫କେଜି ଚୋରା ଗଞ୍ଜେଇ ଜବତ କରିଛି। ସେହିଭଳି ବ୍ରାଉନ୍‌ସୁଗାର ବେପାର ମଧ୍ୟ ବନ୍ଦ ହୋଇନାହିଁ। ଗତରାତିରେ ବ୍ରାଉନ୍‌ସୁଗାର କିଣି ଫେରୁଥିବା ବେଳେ ବମିଖାଲ ଓଭରବ୍ରିଜ୍‌ ତଳେ ଜଣେ ଯୁବକକୁ ନିସ୍ତୁକ ମାଡ଼ ହୋଇଛି। ଏଭଳି ଅନେକ ଘଟଣା ପ୍ରତ୍ୟହ ଘଟୁଥିଲେ ମଧ୍ୟ ପୁଲିସ ପାଖରେ ପହଞ୍ଚି ପାରୁନାହିଁ। ତେବେ ପ୍ରଶ୍ନ ଉଠୁଛି ଦୋକାନ ବନ୍ଦ ଥିଲେ ମଧ୍ୟ ବିଦେଶୀ ମଦ କେଉଁଠୁ ଆସୁଛି? ସମଗ୍ର ରାଜଧାନୀ ଲକ୍‌ଡାଉନ୍‌ରେ ଥିବା ବେଳେ ନିଶା ବେପାର କେମିତି ଚାଲିଛି? ଠା’ କୁ ଠା’ ପୁଲିସର କଡ଼ା ପହରା ଥିବା ବେଳେ ବେପାରୀଙ୍କ ପାଖରେ କିଭଳି ନିଶାଡ଼ି ପହଞ୍ଚୁଛନ୍ତି? ଏହି ଚୋରା ବେପାରୀ ଓ ନିଶାଡ଼ି ଭୂତାଣୁର ବାହକ ହେବେ ନାହିଁ ତ? ଏଭଳି ଅନେକ ପ୍ରଶ୍ନ ଏବେ କରୋନା ଭୂତାଣୁ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି କରିଛି।

କରୋନା ଭଳି ବିପତ୍ତି ସମୟରେ ମଧ୍ୟ କିଛି ମଦ୍ୟପ ମଦ ଛାଡ଼ି ପାରୁନାହାନ୍ତି। ସେମାନଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ କିଛି ମଦ ଦୋକାନୀ ଏମିତି ଅସାଧୁ ଉପାୟରେ ବେପାର ଚଳାଇଛନ୍ତି। କେତେକ ମଦ ଦୋକାନୀ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ମଦ ରଖୁଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ଏହି ସବୁ ମଦ ଘରେ ପହଞ୍ଚୁଛି। ଘରୁ ଏହା ସବୁ ନିଶାଡ଼ିଙ୍କ ପାଖରେ ପହଞ୍ଚୁଛି। ମଦୁଆ ଫୋନ୍‌ରେ ଯୋଗାଯୋଗ କରି ନିଶାଦ୍ରବ୍ୟ ସଂଗ୍ରହ କରୁଛନ୍ତି। ପୁଲିସ ଟେର୍‌ ପାଉନାହିଁ। ସେହିଭଳି ଗଞ୍ଜେଇ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦୋକାନ ନାହିଁ। ପୁରୁଣା ବେପାରୀ ବସ୍ତା ବସ୍ତା ଗଞ୍ଜେଇ ଆଣି ଅନେକ ଦିନରୁ ପାଖ‌ରେ ରଖିଛି। ନିଶାଡ଼ି ବି ଏହି ଠିକଣା ଜାଣିଛି। ଫଳରେ ନିଶାଖୋର୍‌କୁ କୌଣସି ଅସୁବିଧା ହେଉନାହିଁ। ଏକ ପୁରୁଣା ପ୍ରେସ୍‌କ୍ରିପସନ୍‌ ଧରି ଗଞ୍ଜୋଡ ପୁଲିସକୁ ଭୂଆଁ ବୁଲାଇ ଏହି ଚୋରା ବେପାରୀ ପାଖରେ ପହଞ୍ଚୁଛି। କାରଣ ପ୍ରେସ୍‌କ୍ରିପସନ୍‌ ଦେଖିଲେ ପୁଲିସ ଛାଡ଼ି ଦେଉଛି। ତେବେ ଏଭଳି ମିଛ କହି ଖସି ଯାଉଥିବା ବେଳେ ଗତ ଦୁଇ ଦିନ ତଳେ ପୁଲିସ ଗୋପବନ୍ଧୁ ଛକରେ ଦୁଇଜଣଙ୍କୁ ଘରକୁ ଫେରାଇଛି। ବିଗତ ବର୍ଷର ଏକ ପୁରୁଣା ପ୍ରେସ୍‌କ୍ରିପ୍‌ସନ୍‌ ଧରି ଔଷଧ କିଣିବା ଆଳରେ ଚାଲି ଯାଉଥିବା ବେଳେ ପୁଲିସ ଅଟକାଇଥିଲା। ପୁଲିସକୁ ସନ୍ତୋଷଜନକ ଉତ୍ତର ଦେଇନପାରି ସେମାନେ ଫେରିଥିଲେ। ତେବେ ଫେରିବା ବେଳେ ସତ ମାନିଥିଲେ। ନିଶା ଟିକେ ଦରକାର ଥିବାରୁ ସେମାନେ ଔଷଧ ବାହାନାରେ ଆସିଥିବା କହିଥିଲେ। ଅନୁରୂପ ଭାବରେ ବ୍ରାଉନ୍‌ସୁଗାର ମଧ୍ୟ ଦୋକାନରେ ବିକ୍ରି ହୁଏ ନାହିଁ। ବେପାରୀ ଘରେ ରଖିଥାଏ। ଏବେ ଏହି ଲକ୍‌ଡାଉନ୍‌ରେ ବେପାର ବେଶ୍‌ ଭଲ ହେଉଛି। ଲକ୍‌ଡାଉନ୍‌ର ଆଳ କରି ବେପାରୀ ମୋଟା ଅଙ୍କର ଦର କଷୁଛି। ବିଭିନ୍ନ ଆଳ ଦେଖାଇ ଏହି ନିଶାଖୋର୍‌ମାନେ ପୁଲିସକୁ ଭୁଆଁ ବୁଲାଇ ବ୍ରାଉନ୍‌ସୁଗାର କିଣୁଛନ୍ତି। ରାତି ୯ଟା ପରେ ଏହି ବେପାର ହେଉଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ସବୁ ନିଶାଡ଼ିଙ୍କୁ ଜବତ ନ କଲେ ଏମାନଙ୍କ ଦ୍ବାରା ମହାମାରୀ କରୋନା ଭୂତାଣୁ ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର