ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି (ମଙ୍ଗଳବାର) ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଶୃଙ୍ଖଳା ରକ୍ଷା ଓ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ଅପରାହ୍ଣରେ ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଖଳା ଓ ମନ୍ଦିର ନିକଟରେ ଅନୁଧ୍ୟାନ କରିଛନ୍ତି। ପରେ ଡିସିପିଙ୍କ ନେତୃତ୍ବରେ ରଥଦାଣ୍ଡରେ ଫ୍ଲାଗ୍ ମାର୍ଚ କରାଯାଇଥିଲା। ରଥଖଳାଠାରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ହୋଇଥିବା ଏହି ଫ୍ଲାଗ୍ମାର୍ଚ୍ଚରେ ଡିସିପି ଉମାଶଙ୍କର ଦାଶ, ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ, ୮ଜଣ ଏସିପି, ୩୫ଜଣ ଅଫିସର୍ ସାମିଲ ହୋଇଥିଲେ। ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରୁ ରଥଦାଣ୍ଡରେ ୧୪୪ ଧାରା ଲାଗୁ ହେବ। ଏହା ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ରାମେଶ୍ବର ମନ୍ଦିରରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ। ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ମାଇକ୍ ଯୋଗେ ଘୋଷଣା କରାଯାଇଥିଲା। ସେହିପରି ରଥଦାଣ୍ଡରେ ଥିବା ଘରର ଛାତ ଉପରୁ କେହି ରଥ ଦେଖିବେନି। କୌଣସି ବନ୍ଧୁ ପରିଜନଙ୍କୁ ଘରକୁ ଡାକିବେ ନାହିଁ ଓ ଘର ସମ୍ମୁଖରେ କୌଣସି ଗାଡ଼ି ମଟର ରଖିବେ ନାହିଁ। ରଥଦାଣ୍ଡରୁ ୧୦୦ମିଟର ପର୍ଯ୍ୟନ୍ତ କୌଣସି ଲୋକ ରହିବେ ନାହିଁ। କୌଣସି ଭକ୍ତ ଓ ସାଧାରଣ ଲୋକ ରଥ ଦେଖିବାକୁ ଆସିପାରିବେ ନାହିଁ କିମ୍ବା ମନ୍ଦିରକୁ ଆସିବେ ନାହିଁ ବୋଲି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଆସନ୍ତାକାଲି ଅପରାହ୍ଣ ସାଢ଼େ ୩ଟାରେ କୋଭିଡ୍ କଟକଣାରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ରଥଯାତ୍ରାରେ ସାଧାରଣ ଲୋକ ଦର୍ଶନ କିମ୍ବା ଭୋଗ କରିପାରିବେ ନାହିଁ। ରଥକୁ କେବଳ ସେବାୟତ ଓ ପୁଲିସ ଟାଣିବେ। ପୁରୁଣା ଭୁବନେଶ୍ବରର ସବୁ ଗଳି ମୁହଁରେ ଦୁଇଜଣ ଲେଖାଏଁ ପୁଲିସ ଉପସ୍ଥିତ ରହିବେ। ସେହିପରି ସବୁ ଛକରେ ଗୋଟିଏ ଲେଖାଏଁ ସେକ୍ସନ ପୁଲିସ ଉପସ୍ଥିତ ରହିବେ। ପୁଲିସ ଚଳିତ ବର୍ଷ ୨୭ଟି ସ୍ଥାନରେ ଡ୍ୟୁଟି କରିବ। ସମୁଦାୟ ୭ପ୍ଲାଟୁନ୍ ଫୋର୍ସ ନିୟୋଜିତ ରହିବେ।
ରୁକୁଣା ରଥର ସାରଥି ‘ବ୍ରହ୍ମା’ଙ୍କ ନୂଆ ମୂର୍ତ୍ତିକୁ ଆଜି ରଥ ଖଳାକୁ ଅଣାଯାଇଛି। ଆଜି ସନ୍ଧ୍ୟାରେ ସେବାୟତମାନେ ଏହି ନବନିର୍ମିତ ମୂର୍ତ୍ତିକୁ ବିଧି ଅନୁସାରେ ପହଣ୍ଡି ବିଜେ କରି ମନ୍ଦିରରୁ ଆଣିଥିଲେ। ପ୍ରାୟ ୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ନୂତନ ମୂର୍ତି ରଥରେ ପ୍ରତିଷ୍ଠା କରାଯାଇଛି। ସେହିପରି ରଥ ପ୍ରତିଷ୍ଠା କରାଯିବା ସହ ବିଶୋଧନ କରାଯାଇଛି। ସୂଚନାଯୋଗ୍ୟ ପୁରୁଣା ମୂର୍ତ୍ତି ଅବକ୍ଷୟ ହୋଇଯାଇଥିବାରୁ ଶ୍ରୀକ୍ଷେତ୍ର ମୁକ୍ତିମଣ୍ଡପର ପରାମର୍ଶକ୍ରମେ ନିମ୍ବ କାଠରେ ଲିଙ୍ଗରାଜ ମନ୍ଦିର ଭିତରେ ରୁଦ୍ଧ ଦ୍ବାର ମଧ୍ୟରେ ଏହି ମୂର୍ତ୍ତିକୁ ଶ୍ରୀକ୍ଷେତ୍ର ସେବାୟତ ମହାରଣାମାନେ ନିର୍ମାଣ କରିଛନ୍ତି। ପରେ ଯାଗଯଜ୍ଞ ଭିତରେ ମୂର୍ତ୍ତି ପ୍ରତିଷ୍ଠା କରାଯିବା ସହ ଜୀବନ୍ୟାସ ଦିଆଯାଇଛି। ପୁରୁଣା ମୂର୍ତିକୁ ମନ୍ଦିର ଭିତରେ ଥିବା ଅମୁଣିଆ କୂଅରେ ପାତାଳି ଦିଆଯାଇଛି।
ପନ୍ତି ଭୋଗ ପାଇଁ ଅସ୍ଥାୟୀ ମଣ୍ଡପ
ପୁରୁଣା ଭୁବନେଶ୍ୱର: ରୁକୁଣା ରଥ ଗୋପାଳତୀର୍ଥ ମଠ ଓ ଶିବତୀର୍ଥ ମଠ ନିକଟରେ ପହଞ୍ଚିବା ପରେ ଉକ୍ତ ଦୁଇ ମଠ ମଣ୍ଡପରୁ ରଥାରୂଢ଼ ତିନି ଠାକୁରଙ୍କୁ ପନ୍ତି ଭୋଗ ବଢ଼ାଯାଏ। ତା’ପରେ ଯାଇ ରଥ ପୁଣି ଆଗକୁ ବଢ଼ିଥାଏ। ତେବେ ଏକାମ୍ର ସୌନ୍ଦର୍ଯ୍ୟୀକରଣ ଯୋଜନାରେ ଶିବତୀର୍ଥ ମଠ ଓ ଗୋପାଳତୀର୍ଥ ମଠ ଭଙ୍ଗା ଯାଇଥିବାରୁ ଏଥର ମଣ୍ଡପ ନାହିଁ। ଏଣୁ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦୁଇ ମଠ ସମ୍ମୁଖରେ ଦୁଇଟି ଅସ୍ଥାୟୀ ମଣ୍ଡପ ତିଆରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/56f465s4fh564sf56h4sf56h4f5s6hshfsfhhhhhhhhhhhhhhh.jpg)