ଭୁବନେଶ୍ବର: ଟଙ୍କା ଦେଲେ ମିଳୁଛି କୋଭିଡ୍ ପଜିଟିଭ୍ ରିପୋର୍ଟ। ଏଭଳି ଖବର ପ୍ରକାଶ ପାଇବା ପରେ ତନାଘନା ହୋଇଛି। ରିପୋର୍ଟ ପ୍ରସ୍ତୁତ କରିଥିବା ସଂସ୍ଥାକୁ ବିଏମ୍ସି କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ଆଜି ସମ୍ପୃକ୍ତ ସଂସ୍ଥା ବିଏମ୍ସିକୁ ଉତ୍ତର ଲେଖିଛି। ଉତ୍ତରକୁ ଆଧାର କରି ବିଏମ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ଅନ୍ୟପଟେ ଖବର ପ୍ରକାଶ ପରେ ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବିଭିନ୍ନ ହସ୍ପିଟାଲରୁ ଦଲାଲମାନେ ଉଭାନ୍ ହୋଇଯାଇଛନ୍ତି। କାହାର ରିପୋର୍ଟ ଆସିଛି ତାହା ଯାଞ୍ଚ କରିବା ବାଧ୍ୟତାମୂଳକ ନୁହେଁ। ବରଂ ଆସିଥିବା ନମୁନା ପଜିଟିଭ୍ କି ନେଗେଟିଭ୍ ତାହା ଉପରେ ଗୁରୁତ୍ବ ଦିଆଯାଉଛି। ସମ୍ପୃକ୍ତ ସଂସ୍ଥା ଏଭଳି ଉତ୍ତର ଦେବା ପରେ ବିଏମ୍ସି ଏବେ ଚିନ୍ତାରେ ପଡ଼ିଛି। ନମୁନା କେଉଁଠୁ ଆସିଥିଲା? କିଏ ସଂଗ୍ରହ କରିଥିଲା? ନମୁନା ଦେଇଥିବା ବ୍ୟକ୍ତିର ପରିଚୟପତ୍ର ରହିଥିଲା କି? ଏ ନେଇ ଖୋଳତାଡ଼ ଆରମ୍ଭ କରିଛି। ଗୋଟିଏ ହସ୍ପିଟାଲ ଜରିଆରେ ନମୁନା ପରୀକ୍ଷା ପାଇଁ ଆସିଛି। ସମ୍ପୃକ୍ତ ହସ୍ପିଟାଲକୁ ବିଏମ୍ସି କାରଣ ଦର୍ଶାଅ ନୋଟିସ୍ ଜାରି କରିବ ବୋଲି ଜଣାପଡ଼ିଛି।
ତେବେ ଘଟଣାର ୪୮ ଘଣ୍ଟା ବିତିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଏମ୍ସି ଦଲାଲ ପାଖରେ ପହଞ୍ଚି ପାରିନାହିଁ। ଏଣେ ସମ୍ପୃକ୍ତ ଡାକ୍ତରଖାନା ସିସିଟିଭିରେ ପ୍ରମାଣ ରହିଛି। ୩ଟା ୨୩ ମିନିଟ୍ରେ ରକ୍ତ ନମୁନା ସଂଗ୍ରହ ହୋଇଛି। ଏହି ସମୟରେ ମେଡିକାଲକୁ କିଏ କିଏ ଆସିଛନ୍ତି ତାହା ଯାଞ୍ଚ କଲେ ପ୍ରମାଣ ମିଳିଯିବା ସ୍ପଷ୍ଟ ହୋଇଛି। ଏ ଯାବତ୍ ସେଠାକାର ସିସିଟିଭି ଯାଞ୍ଚ କରିନାହିଁ। ବରଂ ସିସିଟିଭିରୁ ପ୍ରମାଣ ହଟାଇବାକୁ ଉଦ୍ୟମ ହୋଇଥିବା ଜଣାପଡ଼ିଛି।