ଭୁବନେଶ୍ୱର: ପାର୍କିଂ ପାଇଁ ବିଏମ୍‌ସିଠାରୁ ଲାଇସେନ୍‌ସ ପାଇଥିବା ଦୁଇ ଠିକାଦାରମାନଙ୍କ କେଳେଙ୍କାରୀ ଧରାପଡ଼ିଛି। ପୂର୍ବରୁ ପାର୍କିଂ ଠିକାଦାରଙ୍କ ଶୋଷଣ, ମନମାନୀ ଆଦି କେଳେଙ୍କାରୀକୁ ନେଇ ବହୁ ଅଭିଯୋଗ ହୋଇଆସୁଥିଲା। ଆଜି ତାହା ସତ ବୋଲି ପ୍ରମାଣିତ ହୋଇଛି। ତେଣୁ ଜଣେ ଠିକାଦାରଙ୍କ ଉପରେ ବିଏମ୍‌ସି ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଥିବା ବେଳେ ଆଉ ‌ଜଣେ ଠିକାଦାରଙ୍କ ଲାଇସେନ୍‌ସ ବାତିଲ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ରାମ ମନ୍ଦିର ଅଞ୍ଚଳର ପାର୍କିଂ ଠିକାଦାରଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଖଣ୍ଡଗିରି ପାର୍କିଂ ଠିକାଦାରଙ୍କ ଲାଇସେନ୍‌ସ ରଦ୍ଦ କରାଯିବ ବୋଲି ସୂଚନା ମିଳିଛି।
ବିଏମ୍‌ସିର ସ୍ବୀକୃତିପ୍ରାପ୍ତ ପାର୍କିଂ ଜାଗାରେ ନିୟମିତ ସାଧାରଣ ଲୋକ ଠକାମିର ଶିକାର ହେଉଛନ୍ତି।

Advertisment

ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ତତ୍ପର ହୋଇଉଠିଥିଲା। ବିଭିନ୍ନ ପାର୍କିଂ ଜାଗାରେ ସ୍ବତନ୍ତ୍ର ଟିମ୍‌ ନିୟମିତ ଚଢ଼ଉ କରି ଯାଞ୍ଚ ଚଳାଇଥିଲା। ବିଶେଷକରି ରାମମନ୍ଦିର ପାର୍କିଂକୁ ନେଇ ବହୁ ଅଭିଯୋଗ ହେଉଥିଲା। ଏଠାରେ ଧାର୍ଯ୍ୟ ଜାଗା ବାହାରେ ପାର୍କିଂ ହେଉଥିଲା। ଯାଞ୍ଚ ବେଳେ ଜଣାପଡ଼ିଛି ଯେ ସମ୍ପୃକ୍ତ ଠିକାଦାର ରଖିଥିବା କର୍ମଚାରୀଙ୍କ ପାଖରେ ୩ଟି ଟିକେଟ୍‌ ବହି ରହୁଥିଲା। ଗୋଟିଏ ବିଏମ୍‌ସି ସ୍ବୀକୃତିପ୍ରାପ୍ତ ବହି ହୋଇଥିବା ବେଳେ ଆଉ ଦୁଇଟି ଠିକାଦାର ନିଜେ ପ୍ରସ୍ତୁତ କରିଥିଲେ। ସେଥିରେ ବାଇକ୍‌ ପାଇଁ ପାର୍କିଂ ଦେୟ ୩୦ ଟଙ୍କା ଲେଖା ହୋଇଥିଲା। ସବୁ ସମୟରେ ଏହି ଟିକେଟ୍‌ ବହି ବାହାରୁନଥିଲା। କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ଏହି ଟିକେଟ୍‌ ବ୍ୟବହାର ହେଉଥିଲା। ୩୦ ଟଙ୍କା ହିସାବରେ ଠିକାଦାର ଦିନକୁ ହଜାର ହଜାର ଟଙ୍କା ଲୁଟି ନେଉଥିଲା। ଏ ନେଇ ଜଣେ ଯୁବକ ଟ୍ବିଟରରେ ଏକ ଭିଡିଓ ଅପ୍‌ଲୋଡ୍‌ କରିବା ପରେ ତନାଘନା ହୋଇଥିଲା। ଏଠାରେ ଚଢ଼ଉ କରିବା ପରେ ବିଏମ୍‌ସି ଏହି କେଳେଙ୍କାରୀର ପ୍ରମାଣ ପାଇଥିଲା। ସେତେବେ‌ଳେ ବିଏମ୍‌ସି ସମ୍ପୃକ୍ତ ଠିକାଦାରଙ୍କୁ ନୋଟିସ୍‌ କରିଥିଲା। ତଥାପି ଗତକାଲି ସମ୍ପୃକ୍ତ ଠିକାଦାର ରାମମନ୍ଦିର ସାମ୍ନାରେ ଧାର୍ଯ୍ୟ ସ୍ଥାନ ଛଡ଼ା ଅନ୍ୟ ଜାଗାରେ ପାର୍କିଂ କରାଇ ଅର୍ଥ ଆଦାୟ କରୁଥିବା ଚଢ଼ଉ ବେଳେ ଜଣାପଡ଼ିଥିଲା। ଏଣୁ ଠିକାଦାର ରାଜେଶ ଦାସଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯିବା ସହ ୩ ଦିନ ଭିତରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖଣ୍ଡଗିରି ପାର୍କିଂରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଥିଲା। ଗାଡ଼ି ପିଛା ୨୦ରୁ ୩୦ ଟଙ୍କା ନିଆଯାଉଥିଲା। ପାର୍କିଂ ପାଇଁ ଧାର୍ଯ୍ୟ ଜାଗା ଛଡ଼ା ଅନ୍ୟ ଜାଗାରେ ଗାଡ଼ି ରଖି ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ନିକଟ ଅତୀତରେ ବିଏମ୍‌ସି ଟିମ୍‌ ଚଢ଼ଉ କରି ବେଆଇନ ଟିକେଟ୍‌ ଜବତ କରିବା ସହ ସମ୍ପୃକ୍ତ ଠିକାଦାରଙ୍କୁ ନୋଟିସ୍‌ କରିଥିଲା। ଠିକାଦାରଙ୍କ ଉତ୍ତର ସନ୍ତୋଷଜନକ ନ ହେବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି।

ସୂଚନାଯୋଗ୍ୟ ଯେ ଯେତେ ସୁଧାରିବାକୁ ଉଦ୍ୟମ ହେଲେ ବି ବିଏମ୍‌ସି ପାର୍କିଂ ବ୍ୟବସ୍ଥାରେ ଉନ୍ନତି ଆସୁନାହିଁ। ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି। ଠିକାଦାରମାନେ ମନମାନୀ କରି ଲୋକଙ୍କୁ ଲୁଟୁଛନ୍ତି। ଅଭିଯୋଗ ପରେ ଯେତେବେଳେ ଚଢ଼ଉ ହେଉଛି, କିଛି ଦିନ ଠିକ୍‌ଠାକ୍‌ ଚାଲୁଛି। କିନ୍ତୁ ପରେ ପୁଣି ଅରାଜକତା ଆରମ୍ଭ ହୋଇଯାଉଛି। କେଉଁଠି ବିଏମ୍‌ସିର ସ୍ବୀକୃତିପ୍ରାପ୍ତ ଜାଗାରେ ଠିକାଦାର ମନଇଚ୍ଛା ଦର କଷୁଛି ତ କେଉଁଠି ଅଣସ୍ବୀକୃତିପ୍ରାପ୍ତ ଜାଗାରେ ଠିକାଦାର ପାର୍କିଂ କରାଇ ବେଆଇନ ଭାବରେ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛି।