ଭୁବନେଶ୍ବର: ପରିମଳ ବ୍ୟବସ୍ଥାକୁ ନେଇ ଆଜି ବିଏମ୍‌ସିରେ ସମୀକ୍ଷା ହୋଇଛି। ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଦୀର୍ଘ ଦେଢ଼ଘଣ୍ଟା ଧରି କରିଥିବା ଏହି ସମୀକ୍ଷାରେ ପରିମଳ ବ୍ୟବସ୍ଥା ପଛରେ ଥିବା ଅସଲ ଚିତ୍ର ପଦାରେ ପଡ଼ିଛି। ପରିମଳ ବ୍ୟବସ୍ଥାରେ କା‌ମ କରୁଥିବା କର୍ମଚାରୀମାନଙ୍କ ପାଖରେ କିଛି ହିସାବ ନାହିଁ। ଘଡ଼ିକୁ ଘଡ଼ି ସମୀକ୍ଷା ଚାଲିଛି। ଚଢ଼ଉ, କାର୍ଯ୍ୟାନୁଷ୍ଠାନ ଚାଲିଛି। ହେଲେ ଫଳ ଶୂନ।

Advertisment

ଦୁଆର ଦୁଆର ବୁଲି କେଉଁ ୱାର୍ଡରେ କେତେ ଗାଡ଼ି ଅଳିଆ ସଂଗ୍ରହ କରୁଛି, ତାହା କେହି ଜାଣନ୍ତି ନାହିଁ। ଅଳିଆ ଏମ୍‌ସିସିକୁ ସିଧା ଯାଉଥିବା ନେଇ ଟେଣ୍ଡରରେ ସର୍ତ୍ତ ରହିଛି। କିନ୍ତୁ ଟିଟିଏସ୍‌କୁ ବି ଅଳିଆ ଯାଉଛି। ‘ବଲ୍କ ଜେନେରେଟର’ ଅଧିକ ପରିମାଣର ଆବର୍ଜନା ଉତ୍ପନ୍ନ କରୁଥିବା ହୋଟେଲ, ଆପାର୍ଟମେଣ୍ଟର ଅଳିଆ କୁଆଡ଼େ ଯାଉଛି? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ବେଳେ ଅଧିକାରୀମାନେ ବାଟବଣା ହୋଇଯାଇଛନ୍ତି। ସ୍ବଚ୍ଛ ସାଥୀ, ସାନିଟାରି ଇନ୍‌ସ୍‌ପେକ୍ଟର ତଥା ଏନ୍‌ଜିଓ ପାର୍ଟନର ଅର୍ଥାତ୍‌ ପରିମଳ ବ୍ୟବସ୍ଥାରେ ସମ୍ପୃକ୍ତ ଥିବା ପ୍ରତିଟି କର୍ମଚାରୀଙ୍କ ପାଖରେ ଏହି ସବୁ ହିସାବ ନାହିଁ। କେହି ଜଣେ ହେଲେ ଏ ସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି।

ଟିଟିଏସ୍‌କୁ ଯାଉଛି, ଏମ୍‌ସିସିକୁ ବି ଯାଉଛି ଅଳିଆ
କୁଆଡ଼େ ଯାଉଛି ହୋଟେଲ୍‌, ଆପାର୍ଟମେଣ୍ଟର ଆବର୍ଜନା?

ବଡ଼କଥା ହେଉଛି, ସହରରୁ ବାହାରୁଥିବା ଆବର୍ଜନା ସିଧା ଏମ୍‌ସିସିକୁ ଯିବ। ଆଉ ଟିଟିଏସ୍‌କୁ ଯିବ ନାହିଁ ବୋଲି ସର୍ତ୍ତ ରହିଥିଲା। ଟିଟିଏସ୍‌ରେ ପଡ଼ିଥିବା ଆବର୍ଜନାକୁ ପରିଚାଳନା କରିବା ପାଇଁ ଏକ ମେଗା ଏମ୍‌ସିସି ପ୍ରତିଷ୍ଠା କରିବାକୁ ବିଏମ୍‌ସି ଯୋଜନା କରିଥିଲା। ନୂଆ ସଂସ୍ଥାମାନେ ଆବର୍ଜନା ଏମ୍‌ସିସି ନେବା କଥା ଓ ସେମାନେ ନେଉଥିବା କାଗଜପତ୍ରରେ ଦର୍ଶାଉଛନ୍ତି। କିନ୍ତୁ ଏଣେ ଟିଟିଏସ୍‌କୁ ବି ଆବର୍ଜନା ଯାଉଛି। ଟିଟିଏସ୍‌କୁ ଆବର୍ଜନା ଗଲେ ଓଜନ ହୋଇଯାଏ ଓ ଏହି ଓଜନ ଅନୁସାରେ ସଂସ୍ଥା ପଇସା ପାଏ। ଏବେ ଉଭୟପଟେ ବିଏମ୍‌ସି ଖର୍ଚ୍ଚାନ୍ତ ହେଉଛି। ଏଭଳି କିଭଳି ହେଉଛି ବୋଲି ପ୍ରଶ୍ନ ଉଠିବା ପରେ ଅସଲ କଥାଟି ପଦାରେ ପଡ଼ିଛି। ସହରରେ ଥିବା ବଡ଼ ବଡ଼ ହୋଟେଲ ଓ ଆପାର୍ଟମେଣ୍ଟଙ୍କ ଆବର୍ଜନାକୁ ଠିକା ସଂସ୍ଥାମାନେ ସଂଗ୍ରହ କରୁଛନ୍ତି। ସେଗୁଡ଼ିକୁ ସିଧା ନେଇ ଟିଟିଏସ୍‌ରେ ପକାଉଛନ୍ତି। କାରଣ ୯୦ ପ୍ରତିଶତ ହୋଟେଲ ଓ ଆପାର୍ଟମେଣ୍ଟ ଆବର୍ଜନା ପରିଚାଳନା କରିବାକୁ ନିଜସ୍ବ ପ୍ରକଳ୍ପ ପ୍ରତିଷ୍ଠା କରିନାହାନ୍ତି। ଏଣୁ ଠିକା‌ ସଂସ୍ଥାଙ୍କୁ ଟଙ୍କା ଦେଇ ଏମାନେ ନିଜ ନିଜ ଆବର୍ଜନା ଖଲାସ କରୁଛନ୍ତି। ଏଥିରେ ବିଏମ୍‌ସିର ତୃଣମୂଳ ସ୍ତରରେ ପରିମଳ ବ୍ୟବସ୍ଥାରେ କାମ କରୁଥିବା କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। କାରଣ ଆଜି ସମୀକ୍ଷାରେ ଯେତେବେଳେ ପ୍ରଶ୍ନ ଉଠିଥିଲା କି କେଉଁ ୱାର୍ଡରେ କେତୋଟି ‘ବଲ୍କ ଜେନେରେଟର’ ଅଛନ୍ତି‌ ସେ ପ୍ରଶ୍ନର ଉତ୍ତର କେହି ଦେଇ ପାରିନାହାନ୍ତି।

ନିକଟ ଅତୀତରେ ଭୁଆସୁଣି ବିବାଦ ସମାଧାନ କଲା ବେଳେ ସରକାର ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କୁ ନିୟମିତ ସମୀକ୍ଷା କରିବାକୁ ଦାୟିତ୍ବ ଦେଇଥିଲେ। ସେ ମଧ୍ୟ ସମୀକ୍ଷା କରୁଛନ୍ତି। କମିସନର ଅନେକ ସମୟରେ ଦିନକୁ ଦୁଇଥର ଓ ଆଭାସୀ ସମୀକ୍ଷା ମଧ୍ୟ କରୁଛନ୍ତି। ସେଥିରେ ଏଭଳି ଅବ୍ୟବସ୍ଥା କେମିତି ରହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ଗମ୍ଭୀର ପ୍ରସଙ୍ଗରେ କମିସନର୍‌ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବା ପରିମଳ ବ୍ୟବସ୍ଥାରେ ଢ଼ୋଲ ଭିତରେ ଥିବା ମୂଷାକୁ କିଭଳି ନିୟନ୍ତ୍ରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି।