ରାଉରକେଲା: ପୂର୍ଣ୍ଣ କାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯେ ଆନ୍ତରିକତା ନାହିଁ; ଏହା ଆଉ କାହାକୁ ଅଛପା ନାହିଁ। ସହରବାସୀଙ୍କୁ ଉନ୍ନତମାନର ବିମାନସେବା ଯୋଗାଇବା ଉଦ୍ଦେଶ୍ୟରେ ନୂଆ ବିମାନ ପରିଚାଳନାକାରୀ ସଂସ୍ଥାକୁ ନିୟୋଜିତ କରାଯାଉନି କିମ୍ବା ବିମାନବନ୍ଦର ସଂପ୍ରସାରଣ ପ୍ରକଳ୍ପକୁ ଅଗ୍ରାଧିକାର ଦିଆଯାଉନି। ଏବେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ମାଲିକାନାରେ ଥିବା ରାଉରକେଲା ବିମାନବନ୍ଦରକୁ ନିଜ ମାଲିକାନା ଅଧୀନକୁ ନେବାକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଇଚ୍ଛା ପ୍ରକାଶ କରୁନି। ଏହି ବିମାନବନ୍ଦର ପରିଚାଳନା ପାଇଁ ଏଏଆଇ-ସେଲ୍‌ ମଧ୍ୟରେ ଥିବା ଚୁକ୍ତି ଆଉ ମାତ୍ର ୧୩ ଦିନପରେ ଶେଷ ହେବ। କିନ୍ତୁ ଏଯାଏ ଏଏଆଇ ପକ୍ଷରୁ ଚୁକ୍ତି ନବୀକରଣ ପାଇଁ କୌଣସି ପଦକ୍ଷେପ ନିଆଯାଇନି। ଫଳରେ ରାଉରକେଲା ବିମାନବନ୍ଦର ପାଇଁ ଏଏଆଇର କେତେ ଦରଦ, ତାହା ଜଳଜଳ ହୋଇ ଦିଶୁଛି।

Advertisment

ସେଲ୍‌ ୨୦୧୮ ମସିହାରେ ଉଡ଼ାନ୍ ଯୋଜନା ଅଧୀନରେ ବାଣିଜ୍ୟିକ ଉଡ଼ାଣ ପରିଚାଳନା ପାଇଁ ନିଜସ୍ୱ ବିମାନବନ୍ଦର ବ୍ୟବହାର କରିବାକୁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ଏହାପରେ ଗତ ୨୦୨୨ ଅକ୍ଟୋବର ୨୮ ତାରିଖରେ ରାଉରକେଲାରୁ ବାଣିଜ୍ୟିକ କାର୍ଯ୍ୟକୁ ସହଜ କରିବା ପାଇଁ ନୂଆଦିଲ୍ଲୀରେ ସେଲ୍‌ ଓ ଏଏଆଇ ମଧ୍ୟରେ ଚୁକ୍ତି ହୋଇଥିଲା।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ବିମାନବନ୍ଦରର ଉନ୍ନତୀକରଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁରକ୍ଷା, ଅଗ୍ନିଶମ ସେବା, ଆମ୍ବୁଲାନ୍ସ ସେବା ଆଦି ଯୋଗାଇ ଦିଆଯାଇଥିଲା। ଏହାସହ ରାଉରକେଲା ଇସ୍ପାତ କାରଖାନା ଚୁକ୍ତିନାମା ଅନୁଯାୟୀ ରକ୍ଷଣାବେକ୍ଷଣ ଓ ପରିଚାଳନା ଖର୍ଚ୍ଚ ବାବଦକୁ ବାର୍ଷିକ ପ୍ରାୟ ୩ କୋଟିରୁ ଅଧିକ ଟଙ୍କା ବହନ କରୁଥିଲା। ଏହି ଚୁକ୍ତି ଆସନ୍ତା ୨୭ ତାରିଖରେ ଶେଷ ହେବ। ବିଡ଼ମ୍ବନା ଏହା ଯେ ଚୁକ୍ତି ନବୀକରଣ ପାଇଁ ଏଏଆଇ ଏଯାବତ୍‌ ପ୍ରକ୍ରିୟା ଆରମ୍ଭ କରିନି। 

ଅପରପକ୍ଷରେ ଚୁକ୍ତି ନବୀକରଣ ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଏକାଧିକବାର ଏଏଆଇର ଦୃଷ୍ଟି ଆକର୍ଷଣ କରିସାରିଲେଣି। ଏନେଇ ଗତ ଅଗଷ୍ଟ ମାସରେ ଆର୍‌ଏସ୍‌ପି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏମିତିକି ଗତ ସେପ୍ଟେମ୍ବର ମାସରେ ଆର୍‌ଏସ୍‌ପି ପକ୍ଷରୁ ପତ୍ର ମାଧ୍ୟମରେ ଏଏଆଇକୁ ସୂଚିତ କରାଯାଇଥିଲା। କିନ୍ତୁ ଉଭୟଥର କୌଣସି ସ୍ପଷ୍ଟ ଉତ୍ତର ମିଳିନଥିଲା। ଏବେ ଅବଧି ଶେଷ ହେଉଥିବାବେଳେ ନବୀକରଣ ପାଇଁ ପଦକ୍ଷେପ ନିଆଯାଉନଥିବାରୁ ନେଇ ଏହାର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହେବା ସ୍ବାଭାବିକ୍‌। ତେବେ କେବଳ ଏଏଆଇ ନୁହେଁ; ବରଂ ରାଜ୍ୟ ସରକାରଙ୍କ ପଦକ୍ଷେପ ମଧ୍ୟ ଶୂନ। ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନବନ୍ଦରକୁ ନିଜ ଅକ୍ତିଆରକୁ ନେଇ ପରିଚାଳନା ପାଇଁ ମଧ୍ୟ ପରିକଳ୍ପନା କରାଯାଉନି।

Rourkela