ଭୁବନେଶ୍ବର: ରଜ ଅବ୍ୟବହିତ ପୂର୍ବରୁ ଆଜି ମୁକ୍ତିଲାଭ କରିଛି ଦୁଇ ଓଡ଼ିଆ ଚଳଚ୍ଚିତ୍ର ‘ଅନନ୍ତା’ ଓ ‘ବୋଉ, ବୁଟୁ, ଭୂତ’। ଅଭିନେତା ସବ୍ୟସାଚୀ ଓ ବାବୁସାନଙ୍କ ଏହି ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ରର ଭାର କିନ୍ତୁ ବୋହିଛନ୍ତି ଚଳଚ୍ଚିତ୍ରରେ ମା’ ଭୂମିକାରେ ଅବତୀର୍ଣ୍ଣ ଅଭିନେତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଓ ଅପରାଜିତା ମହାନ୍ତି। ଉଭୟଙ୍କ ବଳିଷ୍ଠ ଅଭିନୟ ଚଳଚ୍ଚିତ୍ରକୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କରିଛି। ଉଭୟ ସିନେମାରେ ନିଜ ନିଜ ପୁଅ ପ୍ରତି ଉଭୟ ମା’ଙ୍କର ସୁରକ୍ଷା ଭାବନା, ବାତ୍ସଲ୍ୟ ମମତା ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ପାଲଟିଛି। ଉଭୟରେ ଓଡ଼ିଶାର ନିପଟ ଗ୍ରାମ୍ୟଜୀବନକୁ ପ୍ରଦର୍ଶିତ କରାଯାଇଛି।
ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଚରିତ୍ର ‘ଅନନ୍ତା’କୁ ପ୍ରେକ୍ଷାଳୟକୁ ଭିଡ଼ିଆଣି ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଛନ୍ତି ନିର୍ମାତାମାନେ। ବହୁ ବର୍ଷ ପରେ ଓଡ଼ିଆ ସାହିତ୍ୟକୁ ସିନେମା ପରଦାରେ ଛାପିବାକୁ ପ୍ରୟାସ କରାଯାଇଥିବାରୁ ଚଳଚ୍ଚିତ୍ର ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଚଳଚ୍ଚିତ୍ରରେ ପ୍ରଦର୍ଶିତ ଖାଣ୍ଟି ଓଡ଼ିଆ ଗାଁ ପରିବେଶ, ଢଗଢମାଳି, ବେଶଭୂଷା, ଚାଲିଚଳଣି ଆଦି ଓଡ଼ିଆଙ୍କୁ ଓଡ଼ିଆତ୍ବର ଅନୁଭବ କରାଇବ। ବହୁ ବର୍ଷ ପରେ ଖାଣ୍ଟି ଓଡ଼ିଆ ଭାଷାରେ ଓଡ଼ିଆ ଚଳଚ୍ଚିତ୍ର ଦେଖି ଭାଷାପ୍ରେମୀ ଖୁସି ହେବା ଥୟ। ଚଳଚ୍ଚିତ୍ରର ଗୀତଗୁଡ଼ିକ ଶ୍ରୁତିମଧୁର ହୋଇପାରିଛି। ହେଲେ ବର୍ଷକଯାକର ବ୍ୟାପକ ପ୍ରଚାରପ୍ରସାର, ‘ରାଣ୍ଡି’ ଶବ୍ଦକୁ ନେଇ ତର୍କବିତର୍କ, ଉଭୟ ସବ୍ୟସାଚୀଙ୍କ ଶ୍ରମ ଆହୁରି ଟିକେ ବଳିଷ୍ଠ ରୂପ ନେଇ ପାରିଥା’ନ୍ତା। ଆଉ ଟିକେ ଦମ୍ଦାର ସଂଳାପର ଆବଶ୍ୟକତା ମନେ ହେଉଥିଲା। ଚଳଚ୍ଚିତ୍ରଟିର କାହାଣୀ ଯେହେତୁ ପୂର୍ବରୁ ଅତି ପରିଚିତ ଏଣୁ ନିର୍ମାତାମାନେ ଚଳଚ୍ଚିତ୍ରର କାହାଣୀକୁ ଆଗକୁ ନେବା ବେଳେ ଅଧିକ ସତର୍କ ହେବାର ଆବଶ୍ୟକତା ଥିଲା। ସବ୍ୟସାଚୀଙ୍କ ଅଭିନୟ ଠିକ୍ଠାକ୍ ଥିବା ବେଳେ ଆଉ ଟିକେ ପରିପକ୍ବ ହୋଇପାରିଥା’ନ୍ତି। କିନ୍ତୁ ‘ଅନନ୍ତା’ର ମା’ ଦେବକୀ ଗଉଡ଼ୁଣୀ ଭୂମିକାରେ ଅବତ୍ତୀର୍ଣ୍ଣ ଅଭିନେତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ନିଜ କାନ୍ଧରେ ଚଳଚ୍ଚିତ୍ରଟିକୁ ବୋହି ନେବାର ଦମ୍ ରଖିଛନ୍ତି। ଅନନ୍ତା ପ୍ରତି ତାଙ୍କର ବାତ୍ସଲ୍ୟ ମମତା, ଅଗାଧ ସ୍ନେହ ସେ ନିଜ ଅଭିନୟ ଜରିଆରେ ବେଶ୍ ଭଲ ଭାବେ ଉପସ୍ଥାପିତ କରିପାରିଛନ୍ତି। ଅବଧାନ ଭୂମିକାରେ କୁନା ତ୍ରିପାଠୀ ଓ ଗେହ୍ଲି ଭୂମିକାରେ ନାୟିକା ସୂର୍ଯ୍ୟମୟୀ ଅଭିନୟ ଉଚ୍ଚକୋଟୀର ହୋଇଛି। ‘ଅନନ୍ତା’ ଦର୍ଶକଙ୍କ ସହ ଆଉ ଟିକେ ଭାବଗତ ସ୍ତରରେ ଯୋଡ଼ିହୋଇ ପାରିଥା’ନ୍ତା। ଚଳଚ୍ଚିତ୍ର ସମ୍ପାଦନାରେ ଅଧିକ ଟିକେ ପରିଶ୍ରମର ଆବଶ୍ୟକତା ଥିଲା। କ୍ଲାଇମାକ୍ସ ସିନ୍କୁ ଆହୁରି ଅଧିକ ପ୍ରଭାବୀ କରାଯାଇ ପାରିଥା’ନ୍ତା। ତେବେ ଅନନ୍ତା ଶେଷରେ ଦର୍ଶକଙ୍କ କନ୍ଦାଇବାରେ ସଫଳ ହୋଇଛି। ଅନନ୍ତା ଯେତିକି ମନ କିଣିବ ଶେଷକୁ ସେତିକି କନ୍ଦାଇବ ମଧ୍ୟ।
ବଳିଷ୍ଠ ଅଭିନୟ, ପ୍ରଭାବୀ କାହାଣୀ ବୋଉ, ବୁଟୁ, ଭୂତ
୨୦୦୪ ମସିହାର ‘କଣ୍ଢେଇ ଆଖିର ଲୁହ’ ଚଳଚ୍ଚିତ୍ର ପରେ ଏକ ଉତ୍ତମମାନର ଓଡ଼ିଆ ଭୂତ ସିନେମା ଦେଖିବାକୁ ଦର୍ଶକ ଅନାଇ ରହିଥିବା ବେଳେ ଏହି ତୃଷ୍ଣାକୁ ମେଣ୍ଟାଇବାରେ ସଫଳ ହୋଇଛି ‘ବୋଉ, ବୁଟୁ, ଭୂତ’। ‘ଏ କଣ୍ଟା କାହାର’ ଏ ଉତ୍ତର ବି ଚଳଚ୍ଚିତ୍ର ଦେଖି ଦର୍ଶକ ପାଇପାରିବେ। ମୁଖ୍ୟ ନାୟକ ବାବୁସାନଙ୍କ ଚିରାଚରିତ ବାସ୍ତବଧର୍ମୀ କମେଡି ଦର୍ଶକଙ୍କୁ ଖୁବ୍ ହସାଇବ। ଏଥିସହ ଭୂତ ସିନ୍ଗୁଡ଼ିକ ବି ଜୀବନ୍ତ ଓ ଲୋମଟାଙ୍କୁରା ହୋଇପାରିଛି। ପ୍ରଥମ ଥର ପାଇଁ କମେଡି କିଙ୍ଗ୍ ବାବୁସାନଙ୍କୁ ଦର୍ଶକ ଗଭୀର ଓ ଭୟଙ୍କର ଭୂତ ଭୂମିକାରେ ଦେଖି ଆଶ୍ଚର୍ଯ୍ୟ ସହ ରୋମାଞ୍ଚିତ ବି ହେବେ। ଚଳଚ୍ଚିତ୍ରରେ ଅପରାଜିତା, ଗୁଣିଆ ଭୂମିକାରେ ମଜିଯାଇଥିବା ବେଳେ ଅନୁଗୁଳିଆ ବଣ୍ଟି ଓ ବାବୁସାନ୍ଙ୍କ ଯୋଡ଼ି ବେଶ୍ ଜମିଛି। ଅର୍ଚ୍ଚିତା-ବାବୁଙ୍କ କେମେଷ୍ଟ୍ରି ବି ବେଶ୍ ଜମାଣିଆ ହୋଇଛି। ତେବେ ଚଳଚ୍ଚିତ୍ରରେ ସମସ୍ତ ପ୍ରମୁଖ ଅଭିନେତାଙ୍କ ବଳିଷ୍ଠ ଅଭିନୟ ଚଳଚ୍ଚିତ୍ରକୁ ଉଚ୍ଚମାନର କରିଛି। ଏଥିସହ ବଳିଷ୍ଠ କାହାଣୀ ଓ କାହାଣୀ ପରିବେଷଣ ଶୈଳୀ ବି ପ୍ରଭାବୀ ହୋଇଛି। ଭୂତର ଡରାଣ ସହ କମେଡି ତଡ୍କା ଏବେ ଯୁବପିଢ଼ିଙ୍କ ପସନ୍ଦ ପାଲଟିଥିବା ବେଳେ ଚଳଚ୍ଚିତ୍ର ଦର୍ଶକଙ୍କୁ ଉଭୟର ଆନନ୍ଦ ଯୋଗାଇବାରେ ସମର୍ଥ ହୋଇଛି। ଏଥିରେ ଗାଁ ଗହଳିରେ ଗୁଣିଗାରେଡ଼ି, ଝଡ଼ାଫୁଙ୍କା ଓ ଭୂତ ଆଦିର କାହାଣୀ ପ୍ରଦର୍ଶିତ ହୋଇଛି। ତେବେ ଚଳଚ୍ଚିତ୍ରର ସମ୍ପାଦନା ବିଭାଗକୁ ଆହୁରି ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଥିଲା।