ନିରାକାରପୁର: ଏଇ ଭିତରେ ଖୋର୍ଦ୍ଧା ଜିଲ୍ଲାର ରାଜୁଆ ନଦୀରେ ଆସିଥିବା ମହାନଦୀର ପଛୁଆ ପାଣିଜନିତ ବନ୍ୟାକୁ ୨ସପ୍ତାହ ବିତି ଗଲାଣି। ହେଲେ ଲୋକଙ୍କ ସମସ୍ୟାରେ ସୁଧାର ଆସିନାହିଁ। ଅଦ୍ୟାବଧି ଚାଷଜମିରେ ୫ଫୁଟ ଉଚ୍ଚରେ ବନ୍ୟାଜଳ ଜମି ରହିଥିବାବେଳେ ଗାଁ ଦାଣ୍ତରେ ଆଣ୍ଠୁଏ ପାଣିରେ ପଶି ଲୋକେ କାରବାର କରୁଛନ୍ତି। ଗତ ୪/୫ଦିନ ହେବ ଚିଲିକା ପାଣି ଟାଣିବାପରେ ରାଜୁଆ, ଦୟା, ମକରା, ଲୁଣା ଆଦି ନଦୀଜଳ ପ୍ରବାହ ହ୍ରାସପାଇଛି ହେଲେ ଲୋକଙ୍କ ଦୁର୍ଦ୍ଦଶା କମିବା ନାଁ ଗନ୍ଧ ନାହିଁ। କେତେକଙ୍କ ଗାଈଗୁହାଳ ଭାଙ୍ଗି ବନ୍ୟାରେ ଭାସିଯାଇଥିବାବେଳେ ଆଉ କେତେକ ଗୁହାଳରେ ଅଣ୍ଟାଏ ଉଚ୍ଚର ବନ୍ୟାଜଳ ପ୍ରବାହ କାରଣରୁ ଗାଈଗୋରୁ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ତେବେ ଉଚ୍ଚସ୍ଥାନରେ ଥିବା କେତେକ ଘର ଭିତରୁ ପାଣି ଛାଡିବାପରେ ବଞ୍ଚିବା ପାଇଁ ଆରମ୍ଭ ହୋଇଛି ଜୀବନ ସଂଗ୍ରାମ। ଗାଁ ଦାଣ୍ତରୁ ବନ୍ୟାଜଳ ନିଷ୍କାସନ ନ ହେବା ପର୍ଯ୍ୟନ୍ତ ସମସ୍ୟା ହ୍ରାସ ପାଇବ ନାହିଁ ବୋଲି ବନ୍ୟା ପୀଡ଼ିତମାନେ ମତ ଦେଇଛନ୍ତି।
ଏଭଳି ପରିସ୍ଥିତିରେ ବନ୍ୟା ଦୁଃଖ ଠାରୁ ବଳେଇ ଯାଇଛି ପ୍ରଶାସନିକ ଅଧିକାରୀମାନଙ୍କ ଉଦାସୀନତା। ପାଣି ଭୟରେ ପ୍ରଶାସନିକ ଅଧିକାରୀମାନେ ସମସ୍ତ ବନ୍ୟା ପୀଡ଼ିତଙ୍କ ନିକଟରେ ପହଞ୍ଚି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବନ୍ୟା ବିପନ୍ନମାନେ। ସୂଚନାଯୋଗ୍ୟ ଗତମାସ ଶେଷ ସପ୍ତାହ ପୂର୍ବରୁ ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁଁ ମହାନଦୀରେ ପ୍ରବଳ ବନ୍ୟା ଦେଖାଦେଇଥିଲା। ମହାନଦୀର ପଛୁଆ ପାଣିରେ ସ୍ଥାନୀୟ ରାଜୁଆ, ଦୟା, ମକରା, ଲୁଣା, ନଦୀରେ ବନ୍ୟାଜଳ ପ୍ରବାହିତ ହେବାସହ ଚିଲିକା ପାଣି ଭିଡ଼ି ନ ପାରିବାରୁ ଖୋର୍ଦ୍ଧାବ୍ଲକ୍ର ନରଣଗଡ, ଓରବରସିଂହ, ବ୍ରଜମୋହନପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିଲା। ବନ୍ୟାଜଳ କମିଥିଲେ ସୁଦ୍ଧା ନରଣଗଡ ପଞ୍ଚାୟତର ମାନପୁର, ଓରମି, ବଳପୁର, ଧବଳପୁର ଗାଁ, ବ୍ରଜମୋହନପୁର ପଞ୍ଚାୟତର ଶରଧାପୁର, ଓରବରସିଂହ ପଞ୍ଚାୟତର ଡିହଖଳା, ଦୁର୍ଗାପୁର, ମଶାଣିଆ, କୁରୁମପଡ଼ା ଓ ଓରବରସିଂହର ପ୍ରମୁଖ ଗାଁ ଦାଣ୍ତରେ ଆଣ୍ଡୁଏ ଲେଖାଏଁ ବନ୍ୟାଜଳ ବୁଡ଼ିରହିଛି। ଶହଶହ ହେକ୍ଟର୍ ଚାଷ ଜମି ମଧ୍ୟ ଜଳମଗ୍ନ ରହିଛି। କୂଅ, ପୋଖରୀ ସବୁରେ ବନ୍ୟାଜଳ ପଶିରହିଥିବା ଯୋଗୁଁ ଲୋକେ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/dgjh98gd798dgjdgdjdjgjggjgjgj.jpg)