ବାଲିଅନ୍ତା : ନିଦ ହଜେଇଲା ଘଳିଆ

ବାଲିଅନ୍ତା : ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଭାର୍ଗବୀ, କୁଆଖାଇ ଓ କୁଶଭଦ୍ରା ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଆଜି ବନ୍ୟା ଜଳସ୍ତର ସାମାନ୍ୟ ହ୍ରାସ ପାଇଥିଲେ ହେଁ ସବୁ ନଦୀ ଟଳମଳ ଅବସ୍ଥାରେ ରହିଛି। ଏହି ସ୍ଥିତିରେ ଭାର୍ଗବୀ ନଦୀବନ୍ଧରେ ହୋଇଥିବା କେତୋଟି ଘଳିଆ ଲୋକଙ୍କ ନିଦ ହଜାଇ ଦେଇଛି। ଭଲଭାବେ ଘଳିଆ ମରାମତି ନ ହେବା ଫଳରେ ନଦୀକୂଳିଆ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେଣୁ ଗ୍ରାମବାସୀମାନେ ରାତି ସାରା ଅନିଦ୍ରା ରହି ଘଳିଆ ସ୍ଥାନ ଜଗି ରହିବା ବାଲିବସ୍ତା ପକାଇ ମରାମତି କରୁଥିବା ଦେଖାଯାଇଛି।

ସୂଚନାନୁସାରେ ଦୟାନଦୀ ତଳମୁଣ୍ଡରେ ଘାଇ ସୃଷ୍ଟି କରିଥିବାରୁ ଏହି ଅଞ୍ଚଳର ନଦୀବନ୍ଧ ଘଳିଆ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତ ଅଧୀନ ହନୁମନ୍ତପାଟଣା, ପଣସପାଟଣା ଓ ମାହାଲ ସାହି ନିକଟରେ ଭାର୍ଗବୀ ନଦୀବନ୍ଧରେ ଗତରାତିରେ ଘଳିଆ ପଡ଼ିଥିଲା। ଘଳିଆ ଘାଇରେ ପରିଣତ ହୋଇପାରିନଥିଲେ ମଧ୍ୟ ଲୋକଙ୍କ ବାଡ଼ି ଓ ଗାଁ ଦାଣ୍ଡରେ ପାଣି ପଶି ଯାଇଥିଲା। ଲୋକମାନେ ଘାଇ ସୃଷ୍ଟି ହେବା ଆଶଙ୍କା କରି ବନ୍ଧ ଉପରକୁ ଉଠି ଆସିଥିଲେ। ଲୋକମାନେ ଘଳିଆ ମରାମତି କରିବାକୁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ଅନ୍ଧାର ସାଙ୍ଗକୁ ବନ୍ଧରେ ଅନାବନା ଗଛ ଲତା ଭର୍ତି ହୋଇଥିବା ଯୋଗୁ ଘଳିଆ ସ୍ଥାନ ଚିହ୍ନଟ କରିବାରେ ସମସ୍ୟା ହୋଇଥିଲା। ତଥାପି ଲୋକମାନେ ଘଳିଆ ସ୍ଥାନରେ ବାଲିବସ୍ତା ପକାଇ ବନ୍ଧକୁ ରାତି ସାରା ଜଗି ରହିଥିଲେ। ଏ ନେଇ ସେମାନେ ଭୁବନପୁର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ୍‌ କରି ଜଣାଇଥିଲେ। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚିବାରେ ବିଳମ୍ବ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ବିଭାଗୀୟ ଅଧିକାରୀମାନେ ପହଞ୍ଚିଥିଲେ। ତେବେ ବନ୍ଧ ମରାମତି କାମ ଠିକା ନେବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବହୁ ବୁଝାଶୁଝା ପରେ ମରାମତି କାମ ଆରମ୍ଭ ହୋଇଥିଲା। ପରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଅଚ୍ୟୁତାନନ୍ଦ ପାତ୍ର, ଅରବିନ୍ଦ ସାହୁ, ବଇଁଚୁଆ ସରପଞ୍ଚ ବିଜୟ କୁମାର ସାହୁ ଓ ପୂର୍ବତନ ସମିତି ସଭ୍ୟ ଦିଲ୍ଲିପ କୁମାର ସାହୁ ପ୍ରମୁଖ ଭାର୍ଗବୀ ନଦୀର ଦୁର୍ବଳ ନଦୀବନ୍ଧ ବୁଲି ଦେଖିଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ବ୍ଲକ ଝିଣ୍ଟିଶାସନ ପଞ୍ଚାୟତ ଅଧୀନ ନବାଟିଆ ବ୍ରିଜ୍‌ ନିକଟରେ ପଡ଼ିଥିବା ଘଳିଆ ଗ୍ରାମବାସୀମାନେ ମରାମତି କରିଥିଲେ।

ସମ୍ବନ୍ଧିତ ଖବର