ବାଲିପାଟଣାର ଦୁଃଖ ଧନୁଆ

କୃଷ୍ଣପୁର ପୋଲ ଉପରେ ୪ ଫୁଟ୍‌ ପାଣି, ସ୍ଥିତି ପରଖିଲେ ଜିଲ୍ଲାପାଳ

ବାଲିପାଟଣା : ବାଲିପାଟଣାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଭାର୍ଗବୀ ନଦୀର ବନ୍ୟା ଜଳ ଅଚ୍ୟୁତପୁର କାଜରେ ଗଡ଼ିବା ପରେ ଧନୁଆ ନଦୀରେ ବଡ଼ ବନ୍ୟା ଆସିଛି। ଫଳରେ ବାଲିପାଟଣା ବ୍ଲକର ପମ୍ପାଲୋ, ରାଜସ, ଆଳିସି, ତୁରିନ୍ତିରା, କୁରୁଞ୍ଜିପୁର ପ୍ରଭୁତି ୫ ଟି ପଞ୍ଚାୟତର ୩୦ରୁ ଅଧିକ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ହଜାର ହଜାର ହେକ୍ଟର ଧାନ ଓ ପରିବା ଚାଷ ଜମି ପାଣିରେ ବୁଡ଼ି ଯାଇଛି। ବାଲିପାଟଣା-ଖେଲାର ରାସ୍ତାର କୃଷ୍ଣପୁର ବ୍ରିଜ ଉପରେ ୪ ଫୁଟ୍‌ର ପାଣି ଚାଲୁଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି।

ବାଲିପାଟଣା ବ୍ଲକର ଟିଙ୍କିପଡା, ଇନ୍ଦୋଳକୁସିଆରି, ଘାସିଅନ୍ଧଟି, କୁରୁଞ୍ଜିପୁର, ହୋଇକେରା, ଗରିଆ, ସାନ ଓ ବଡ଼ ମାଛପୁର, ବିଲସାହି, କେରାଣ୍ଡିଆ, ଅଙ୍ଗାରପଡା, ବସନ୍ତମାଳ, ଦରଡା, ବେଲମରା, ଜିତେନା, ତେଲିଚୌକା, ଦନାପଡା, ନୂଆପଡା, ନବାଟି, ରାଜସ ପଞ୍ଚାୟତର ୫ଟି ୱାର୍ଡ ସହ କୃଷ୍ଣପୁର, ନିଶ୍ଚିନ୍ତପୁର, ପମ୍ପାଲୋ, କୁଳନ୍ତିରା, ଗୋବିନ୍ଦପୁର, ଚଣାହାଟ, ତରବୋଇ, ଦୋରବାଙ୍ଗ ପ୍ରଭୃତି ଅନେକ ଗ୍ରାମର ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଛି। ବେଲମରାରୁ ଦରଡ଼ା ଓ ରାଜସ ରାସ୍ତା ଏବଂ ଇନ୍ଦୋଳକୁସିଆରୀରୁ ଘାସିଅନ୍ଧଟି ରାସ୍ତା ଉପରେ ପାଣି ଚାଲୁଛି। ଫଳରେ ବହୁ ଗାଁ ଯୋଗାଯୋଗରୁ ବିଛିନ୍ନ ହୋଇଯାଇଛି। ଧନୁଆ ନଦୀ ଉପକୂଳ ଗାଁ ଗଣ୍ଡା ବୁଡ଼ି ଯାଇଛି ଓ ବହୁ ଲୋକଙ୍କ ଘରେ ପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଖରିଫ୍‌ ଫସଲ ହୋଇଥିବା ଏହି ସବୁ ଅଂଚଳର ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମି ରହିଥିବାରୁ ରୁଆ ଓ ବୁଣା ଧାନ ଗଛ ନଷ୍ଟ ହୋଇଯାଇଛି। ଫଳରେ ବେଉଷଣ ଓ ପିଡ଼ିଆ ଆଦି ବାବଦରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିଭଳି ଏହି ସବୁ ନଦୀକୂଳିଆ ଗ୍ରାମରେ ବ୍ୟାପକ ପରିବା ଚାଷ ମଧ୍ୟ ହୋଇଥିଲା। ବାଇଗଣ, ଜହ୍ନି, କାକୁଡ଼ି, କଲରା, ଭେଣ୍ଡି,କଖାରୁ, ପୋଟଳ, ଛଚିନ୍ଦ୍ରା, ସାରୁ, ଲଙ୍କା ବରୁଗୁଡି ପ୍ରଭୃତି ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଥିବାରୁ ନଷ୍ଟ ହୋଇଯାଇଛି। ଏଥିସହିତ ଏହି ଅଞ୍ଚଳରେ ବ୍ୟାପକ ମାଛ ଚାଷ ହୋଇଥିଲା। ବନ୍ୟା ପାଣିରେ ପୋଖରୀ ସବୁ ବୁଡ଼ି ଯିବାରୁ ମାଛ ସବୁ ଭାସି ଯାଇଛନ୍ତି। କୁକୁଡ଼ା ଓ ଛତୁ ଚାଷୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଅଚ୍ୟୁତପୁର କାଜରୁ ପାଣି ଗଡ଼ିବା ପରେ ଏହି ସ୍ଥିତି ଉପୁଜିଛି। ତେଣୁ ସବୁ ବର୍ଗର ଚାଷୀ ଏହି ବନ୍ୟା ପାଇଁ କ୍ଷତିଗ୍ରସ୍ତ ହୋଇଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ସାହୁ, ଏଡିଏମ୍‌ ଅନୁଜ କୁମାର ସାହୁ, ଭୁବନେଶ୍ୱର ଏଡିଏମ୍‌ ପ୍ରଫୁଲ କୁମାର ମହାନ୍ତି, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବାଲିପାଟଣା ତହସିଲଦାର ସୁନିତା ଜେନା, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ, ବିଡିଓ ମିତାଞ୍ଜଳି ଦାଶ ଅଚ୍ୟୁତପୁର କାଜ ବୁଲି ଦେଖିଥିଲେ। ରାଜସ ସରପଞ୍ଚ ବାସୁଦେବ ପାଳ ଓ ମୁକୁନ୍ଦଦାସପୁର ସରପଞ୍ଚ ରୀନାରାଣୀ ବେହେରାଙ୍କ ସହିତ ସେମାନେ ବନ୍ୟା ପ୍ଳାବିତ ଅଞ୍ଚଳ ବିଷୟରେ ଆଲୋଚନା କରିଥିଲେ। ବନ୍ୟା ପାଣି ବଢ଼ିଲେ ଉକ୍ତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଇବା ପାଇଁ ସେମାନେ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିଭଳି ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ସନ୍ଧ୍ୟା ୭ଟା ସୁଦ୍ଧା ଶିଶୁମଠଠାରେ କୁଶଭଦ୍ରା ନଦୀର ବନ୍ୟାଜଳସ୍ତର ୧୨.୦୮ ଗେଜ୍‌ ରେକର୍ଡ କରାଯାଇଥିଲା। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଏହା ବଢ଼ି ବଢ଼ି ୧୪. ୩୩ ଗେଜ୍‌ରେ ପହଞ୍ଚିଥିଲା। ତେବେ ବାଲିପାଟଣା ଜଳସେଚନ ସହକାରୀ ଯନ୍ତ୍ରୀ ସମ୍ବିତ କୁମାର ସାହୁଙ୍କ ସୂଚନାନୁସାରେ ଶିଶୁମଠଠାରେ ବିପଦ ସଂକେତ ୧୫.୦୮ ଗେଜ୍‌। ତେଣୁ ଆଗକୁ ଉପରମୁଣ୍ଡରେ ପ୍ରବଳ ବର୍ଷା ନ ହେଲେ ଜଳସ୍ତର ବଢ଼ିବା ଆଶଙ୍କା ନାହିଁ। ତେବେ ଆଉ କିଛି ପାଣି ବଢିବା ପରେ ବନ୍ୟାଜଳସ୍ତର ସ୍ଥିର ରହିବ ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର