୪୮ ଘଣ୍ଟାର ବର୍ଷା ବିତ୍ପାତ: ରାଜଧାନୀ ଜଳବନ୍ଦୀ
୬୩ ବର୍ଷର ସେପ୍ଟେମ୍ବର ମାସ ବର୍ଷାର ରେକର୍ଡ଼ ଭାଙ୍ଗିଲା, ବସ୍ତିରୁ କଲୋନି ସମସ୍ତେ କଲବଲ
୩୬ ଘଣ୍ଟାରେ ବର୍ଷିଲା ୨୩୨ ମିମି
ଘର ଭିତରେ ଢେଉ ଖେଳୁଛି ବର୍ଷା ଓ ନର୍ଦ୍ଦମା ପାଣି
ରାସ୍ତାଘାଟ, ଗଳିକନ୍ଦି ଜଳାର୍ଣ୍ଣବ
ଭୁବନେଶ୍ୱର : ଦୁଇ ଦିନ ଧରି ରାଜଧାନୀରେ ରାଜୁତି କରୁଛି ବର୍ଷା। ଆକାଶକୁ କଳା ମେଘ ଢାଙ୍କି ରହିଥିବାବେଳେ ବର୍ଷାରେ ବିରାମ ନାହିଁ। ସହର ସାରା ଖାଲି ପାଣି ଆଉ ପାଣି। ରାସ୍ତାଘାଟଠୁ ନେଇ ଗଳିକନ୍ଦି ପର୍ଯ୍ୟନ୍ତ ବର୍ଷା ପାଣି ଲହଡ଼ି ଭାଙ୍ଗି ବନ୍ୟାର ଭ୍ରମ ସୃଷ୍ଟି କରିଛି। ରାଜଧାନୀର ଅନେକ ବସ୍ତି ଓ କଲୋନିରେ ଲୋକଙ୍କ ଘରେ ବର୍ଷା ପାଣି ପଶି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ରବିବାର ସକାଳଠୁ ସୋମବାର ସକାଳ ୨୪ ଘଣ୍ଟାରେ ୧୯୯.୯ ମିମି ବର୍ଷା ରେକର୍ଡ଼ ହୋଇଥିବାବେଳେ ସେପ୍ଟେମ୍ବର ମାସରେ ସର୍ବାଧିକ ବର୍ଷାର ୬୩ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଆଜି ଟିକେ ଆଶ୍ବସ୍ତି ଆଶା କରିଥିବା ସ୍ମାର୍ଟ ସିଟି ବାସିନ୍ଦା ଆଜି ମଧ୍ୟ ଲଗାଣ ବର୍ଷାରେ କଲବଲ ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ମୋଟ ବର୍ଷାର ପରିମାଣ ୨୩୨ ମିମି ଛୁଇଁଥିବାବେଳେ ରାଜଧାନୀ ବାସିନ୍ଦା ଜଳବନ୍ଦୀ ହୋଇ ରହିଛନ୍ତି।

ସୋମବାର ଦିନ ତମାମା ବର୍ଷା ଲାଗି ରହିବାରୁ ଲୋକଙ୍କ ପାଇଁ ଏହା ଆହୁରି ଯନ୍ତ୍ରଣାଦାୟକ ହୋଇଛି। ଗତକାଲିଠାରୁ ଜମି ରହିଥିବା ପାଣି ନିଷ୍କାସିତ ହେବାକୁ ବାଟ ପାଇନି। କେଉଁଠି ଘର ଭିତରେ ଆଣ୍ଠୁଏ ପାଣି ଜମି ରହିଛି ତ ଆଉ କେଉଁଠି ଦୁଆର ମୁହଁରେ ବର୍ଷା ପାଣି ସୁଅ ଭଉଁରୀ ଖେଳୁଛି। କେତେକ ସ୍ଥାନରେ ଅକାତ କାତ ବର୍ଷା ପାଣି ଲୋକଙ୍କୁ ଘରୁ ବାହାରିବାକୁ ବାଟ ଛାଡ଼ିନି।
ଭୁବନେଶ୍ବର ରେଳ ଷ୍ଟେସନ ପ୍ରବେଶ ପଥରେ ଏବଂ ରେଳ ଲାଇନରେ ବର୍ଷା ପାଣି ଜମି ରହିଥିବାବେଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବି ପାଣି ଛିଡ଼ା ହୋଇ ରହିଛି। ଫଳରେ କେବଳ ସ୍ମାର୍ଟ ସିଟି ବାସିନ୍ଦା ନୁହନ୍ତି, ରାଜଧାନୀକୁ ଆସୁଥିବା ଆଗନ୍ତୁକ ବି ଏହି ଜଳ ଯନ୍ତ୍ରଣାକୁ ଅଙ୍ଗେ ନିଭାଇଛନ୍ତି। ସହରର ଅନେକ ଜାଗାର ମେଡିଆନ୍ରେ ଥିବା ଗଛ ଉପୁଡ଼ି ପଡ଼ିବାରୁ ରାସ୍ତା ଅବରୋଧ ହୋଇଛି। କେତେକ ସ୍ଥାନରେ ରାସ୍ତା ଉପରେ ପୋଖରୀ ଭଳି ପାଣି ଜମି ରହିବା ଫଳରେ ବସ୍, ଅଟୋ ଗଡ଼ି ନପାରି ଛିଡ଼ା ହୋଇ ରହିଛି। ପରିସ୍ଥିତି ଏଭଳି ହୋଇଛି ଯେ ରାସ୍ତା ମଝିରେ ଜମା ହୋଇଥିବା ପାଣିରେ ଆମ୍ବୁଲାନ୍ସ ବି ଫସି ଯାଇଛି। ଲୋକେ ଠେଲିଠେଲି ଆମ୍ବୁଲାନ୍ସକୁ ପାଣି ଘେରରୁ ବାହାର କରିଛନ୍ତି।
ସବୁଠାରୁ ଦୟନୀୟ ସ୍ଥିତିର ସାମ୍ନା କରିଛନ୍ତି ରାଜଧାନୀର ବସ୍ତି ବାସିନ୍ଦା। ସେମାନଙ୍କର ଜୀବନ ଓ ଜୀବିକା ଉଭୟ ପ୍ରଭାବିତ ହୋଇଛି। କେଉଁଠି ୪୮ ଘଣ୍ଟା ଧରି ବର୍ଷାପାଣିରେ ବତୁରି ଯାଇଥିବା ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି ତ ଆଉ କେଉଁଠି ଗଛ ଉପୁଡ଼ି ଘରକୁ ମାଡ଼ି ବସିଛି। ଜୀବନ ଯେଉଁଠି କଲବଲ ହେଉଛି ସେଠାରେ ଜୀବିକା କଥା କିଏ ପଚାରେ। ବସ୍ତିରେ ହିଁ ଅଧିକାଂଶ ଗୁପ୍ଚୁପ୍ ଓ ଜଳଖିଆ ବ୍ୟବସାୟୀ ରହୁଥିବାରୁ ଦୁଇ ଦିନ ହେଲା ସେମାନେ ବ୍ୟବସାୟ କରିପାରି ନାହାନ୍ତି। ଫଳରେ ଅନେକଙ୍କ ଘରେ ଆଜି ଚୁଲି ଜଳିନି।

ବର୍ଷାରେ ବିଭିନ୍ନ କାମରେ ଘରୁ ବାହାରିଥିବା ଏବଂ ନିଜ ଘରେ ସୁରକ୍ଷିତ ଥିବା ଲୋକେ ବି କମ୍ ହଇରାଣ ହୋଇନାହାନ୍ତି। କେଉଁଠି ରାସ୍ତା ଉପରେ ଜମିଥିବା ପାଣି ଭିତରେ କାର୍ ଅଟକି ଯାଇଥିବାବେଳେ ଆଉ କେଉଁଠି ଘର ବାହାରେ ପାର୍କିଂ କରିଥିବା କାର୍ ଭିତରେ ମଧ୍ୟ ନାଳ ପାଣି ପଶିଯାଇଛି। ଗତକାଲି ରାତିରୁ ରାଜଧାନୀର ମେନ୍ ଡ୍ରେନ୍ରେ ପ୍ରବାହିତ ବର୍ଷା ପାଣି ଉଛୁଳି ନିକଟରେ ଥିବା କିଛି ବଡ଼ ବିଲ୍ଡିଂର ପାଚେରି ଭାଙ୍ଗିଦେବା ସହ ପୂରା ବିଲ୍ଡିଂ ପ୍ରତି ବିପଦ ସୃଷ୍ଟି କରିଛି।