ଫୁଲୁଛି କୁଆଖାଇ

ଭୁବନେଶ୍ବର : ହୀରାକୁଦ ଆଜି ଗୋଟିଏ ଗେଟ୍‌ ଖୋଲିଥିବା ବେଳେ ଏହାର ପାଣି ଏତେବେ‌ଳ ପର୍ଯ୍ୟନ୍ତ ଆସିନି। କିନ୍ତୁ କୁଆଖାଇ ଏବଂ ଏହାର ଶାଖା ନଦୀ କୁଶଭଦ୍ରା, ଦୟା, ଭାର୍ଗବୀରେ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ଚାରିଟି ଯାକ ନଦୀରେ ଯଦିଓ ବିପଦ ସଂକେତଠାରୁ ବହୁ ତଳେ ପାଣି ପ୍ରବାହିତ ହେଉଛି, କିନ୍ତୁ ପାଣି ଏବେ କମିବାର ସମ୍ଭାବନା ନାହିଁ। ଗୁରୁବାର ପୂର୍ଣ୍ଣିମା ଥିବାରୁ ସମୁଦ୍ରକୁ ଜଳ ନିଷ୍କାସନ ହେଉନି। ଦୁଇ ଦିନ ଜଳ ନିଷ୍କାସନ ହେବା ସମ୍ଭାବନା କମ୍। ଗୁରୁବାର ସକାଳୁ ମହାନଦୀରେ ପ୍ରବାହ ହେଉଥିବା ପଶ୍ଚିମ ଓଡ଼ିଶା ବର୍ଷା ଜଳ ଆଜି କୁଆଖାଇରେ ମିଶିବ। ଏହାପରେ ୧୬ତାରିଖରୁ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜଧାନୀ ଉପକଣ୍ଠରେ ଥିବା ଏହି ଚାରି ନଦୀରେ ବର୍ଷା ଜଳ ବଢ଼ିବ। ତେଣୁ ନଦୀକୂଳିଆ ଲୋକମାନେ ଏବେ ଆତଙ୍କିତ ହୋଇଗଲେଣି।

ନଦୀରେ ବନ୍ୟା ଆସିବା ପରେ ଏବେ ନଦୀକୂଳିଆ ଲୋକମାନେ ବନ୍ଧ ଉପରେ ଡେରା ପକାଇବା ଆରମ୍ଭ କ‌ରିଦେଇଛନ୍ତି। ବିଲୁଆ ଗାତ ଓ ମୂଷା ଗାତକୁ ଖୋଜୁଛନ୍ତି। ଟିକିଏ ଅସାବଧନତା ଛୋଟ ଗଳିଆକୁ ଘାଇରେ ପରିଣତ କରିଦେବାର ଆଶଙ୍କା ଥିବାରୁ ନଦୀକୂଳିଆ ଗାଁର ଲୋକମାନେ ପାଳି କରି ବନ୍ଧରେ ଜଗୁଛନ୍ତି। ଜଳ ସମ୍ପଦ ବିଭାଗର କର୍ମଚାରୀ ଓ ଇଞ୍ଜିନିୟରମାନେ ବି ନଦୀ ବନ୍ଧରେ ପାଟ୍ରୋଲିଂ କରିବା ଆରମ୍ଭ କରିଦେଇଛନ୍ତି। ରାଜଧାନୀକୁ ଯେପରି ବନ୍ୟା ଜଳ ନପଶିବ, ସେଥିପାଇଁ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି।

କିଛି ଲୋକ ନଦୀପଠାରେ ଗ୍ୟାରେଜ୍ ଖୋଲିଥିବା ବେଳେ କେତେକ ନିର୍ମାଣକାରୀ ସଂସ୍ଥା ସେମାନଙ୍କର ଟ୍ରକ୍, ଟାଟା ଏସ୍‌, ମିନି ଟ୍ରକ୍ ଆଦିକୁ ନଦୀପଠାରେ ରଖିଥିଲେ। କିନ୍ତୁ ହଠାତ୍ କୁଆଖାଇରେ ବନ୍ୟା ଆସିଯିବାରୁ ଗାଡ଼ିଗୁଡ଼ିକୁ ନଦୀରୁ ବାହାରକୁ କାଢ଼ି ପାରିନଥିଲେ। ଫଳରେ ସଂଧ୍ୟା ବେଳକୁ ଗାଡ଼ିଗୁଡ଼ିକ ଅଧା ବୁଡ଼ି ଯାଇଥିଲା। ଅପେକ୍ଷା କରିଛନ୍ତି, ପାଣି ଟିକିଏ କମିଲେ କଷ୍ଟମଷ୍ଟେ ଗାଡ଼ିକୁ ପାଣି ଭିତରୁ କାଢ଼ିବେ। କିନ୍ତୁ ଦୁଇ ତିନି ଦିନ ଭିତରେ ନଦୀରେ ପାଣିସ୍ତର କମିବାର ସମ୍ଭାବନା କମ୍‌ ଥିବାରୁ ଗାଡ଼ି ମାଲିକଙ୍କ ଚିନ୍ତା ବଢ଼ି ଯାଇଛି।

ସମ୍ବନ୍ଧିତ ଖବର