ଭୁବନେଶ୍ୱର ଉପକଣ୍ଠ ସ୍ଥିତି ସଙ୍ଗିନ୍: ନଦୀବନ୍ଧକୁ ଛୁଇଁଲାଣି ବନ୍ୟା ପାଣି, ବିଭିନ୍ନ ସ୍ଥାନରେ ଝର ପଡ଼ିଛି, ଘାଇ ଆଶଙ୍କା

ବା‌ଲିପାଟଣା/ବାଲିଅନ୍ତା/ ପୁରୁଣା ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ରେ ବନ୍ୟା ସ୍ଥିତି ସଙ୍ଗିନ୍‌ ହେବାରେ ଲାଗିଛି। ଧୀରେ ଧୀରେ ଭାର୍ଗବୀ ଓ କୁଶଭଦ୍ରା ନଦୀରେ ଜଳସ୍ତର ବଢ଼ୁଥିବାରୁ ନଦୀବନ୍ଧ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଗତକାଲି ରାତିରୁ ଏହି ଦୁଇ ନଦୀ ବିପଦ ସଂକେତରୁ ଉପରେ ପ୍ରବାହିତ ହେଉଛି। ହୀରାକୁଦରୁ ପୁଣି ଅଧିକ ବନ୍ୟା ଜଳ ଆସୁଥିବାରୁ ବିପଦ ଆଶଙ୍କା ବଢ଼ିଯାଇଛି। ବର୍ତ୍ତମାନ ଦୁଇ ନଦୀର ବନ୍ଧଠାରୁ ମାତ୍ର ଫୁଟେ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ପ୍ରାୟ ୩ ଦିନ ଧରି ବନ୍ୟାଜଳ କୂଳକୁ ଲାଗି ପ୍ରବାହିତ ହେଉଥିବାରୁ ବନ୍ଧ ଭିଜିଗଲାଣି ଓ ବନ୍ଧର ବହୁ ସ୍ଥାନରେ ଝର ପଡ଼ିଗଲାଣି। ଝର ପଡ଼ିଥିବା ସ୍ଥାନ ସ୍ବାଭାବିକ ଭାବେ ଦୁର୍ବଳ ହୋଇପଡ଼ୁଥିବାରୁ ସେଠାରେ ଘଳିଆ ପଡ଼ିବା ସ୍ଥିତି ଉପୁଜିଲାଣି। ତେଣୁ ନଦୀବନ୍ଧ ସଂଲଗ୍ନ ଗାଁ ଓ ଅନ୍ୟାନ୍ୟ ତଳି ଅଞ୍ଚଳକୁ ଘାଇ ଭୟ ଘାରିଛି। ବହୁ ଗାଁରୁ ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ କିଛି ଲୋକ ଘରଦ୍ବାର ଛାଡ଼ିବାକୁ ନାରାଜ। ବହୁ ଗ୍ରାମବାସୀମାନେ ଦିନରାତି ନଦୀବନ୍ଧରେ ଜଗି ରହି ପହରା ଦେଉଛନ୍ତି। ପ୍ରଶାସନ ପକ୍ଷରୁ ବାଲିବସ୍ତା ଯୋଗାଇ ଦିଆଯାଉଛି ଓ ଝର ପଡ଼ିଥିବା ସ୍ଥାନରେ ବାଲିବସ୍ତା ପକାଯାଉଛି। ଏବେ ଦୁଇ ବ୍ଲକର ପ୍ରାୟ ୬୦ ଗାଁର ୧୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି। ବହୁ ରାସ୍ତାଘାଟ ବୁଡ଼ି ଯାଇଥିବା ବେଳେ ରାସ୍ତାରେ ସୁଅ ପଡ଼ିଥିବାରୁ ପ୍ରାୟ ୧୫ରୁ ଅଧିକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି।

ବୁଧବାର ସକାଳୁ କୁଶଭଦ୍ରା ନଦୀ ବିପଦ ସଂକେତ(୧୮.୨୫ ମିଟର) ଉପରେ ପ୍ରବାହିତ ହେଉଛି। ଦିନତମାମ୍‌ ଆଉ ଜଳସ୍ତର ବଢ଼ିନଥିଲେ ହେଁ ବନ୍ଧ ଟଳମଳ ଅବସ୍ଥାରେ ରହିଛି। ବନ୍ଧ ଶିଖରରୁ ମାତ୍ର ଫୁଟେ ତଳେ ବନ୍ୟା ଜଳ ପ୍ରଖର ବେଗରେ ପ୍ରବାହିତ ହେଉଛି। ବଡ଼ କଥା ହେଉଛି ହୀରାକୁଦରୁ ପୁଣି ଅଧିକ ବନ୍ୟା ଜଳ ଛଡ଼ା ଯାଇଥିବାରୁ ଆଗକୁ ଏହି ଦୁଇ ନଦୀର ଜଳସ୍ତର ପୁଣି ବଢ଼ିବା ଆଶଙ୍କା ରହିଛି। ଭାର୍ଗବୀ ନଦୀର ଅତ୍ୟୁତପୁର କାଜ ଓ କୁଶଭଦ୍ରା ନଦୀର ବଇଁଚୁଆ କାଜରେ ପ୍ରବଳ ଜଳ ପ୍ରବାହିତ ହେଉଥିବାରୁ ଧନୁଆ ନଈ ଉଛୁଳିସାରିଛି। ଭାର୍ଗବୀ ନଦୀ ଟଳମଳ ଅବସ୍ଥାରେ ଥିବାରୁ ସେମାଣାଶାସନ, ଝିଣ୍ଟିଶାସନ, ମୁକୁନ୍ଦଦାସପୁର, ଭଇରିପୁର, ଚିତଲପୁର, ବତିଲ, ବଡ଼ପଡ଼ା, ଆଳିସିଶାସନ ଓ ରାଜସ ଆଦି ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହିଭଳି ବନ୍ୟାଜଳ କୁଶଭଦ୍ରା ନଦୀବନ୍ଧ ଶିଖର ଛୁଇଁବାକୁ ଏକ ଫୁଟରୁ କମ୍‌ ଉଚ୍ଚତା ଥିବା ଜଣାପଡ଼ିଛି। ତେଣୁ ମହୁଖଣ୍ଡା, ଧାନହରା, କାକରୁଦ୍ରପୁର, ଅଠାନ୍ତର, ଶିଶୁମଠ, ଗିରିଙ୍ଗ, ମାର୍ଥାପୁର, ପଦ୍ମପୁର, ସୁମୁଦି, ଭଅଁରାଗଡ଼, ସାହେବନଗର ଆଦି ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଧନୁଆ ନଈ ତଟବର୍ତ୍ତୀ ଅଞ୍ଚଳ ପୂରା ଜଳଘେରରେ ରହିଛି। ଉଭୟ କୁଶଭଦ୍ରା ଓ ଭାର୍ଗବୀର ବନ୍ୟା ଜଳ ଧନୁଆ ନଈକୁ ବହୁଥିବାରୁ ଝିଣ୍ଟିଶାସନ, ଆଳିସି ଶାସନ, ରାଜସ, ଅଦଲାବାଦ, ଫୁଲପାଳ ଘାଇ ଅଞ୍ଚଳରେ ବିପଦ ଘନେଇଛି।

ବୁଧବାର ଦିନ କୁଆଖାଇ ନଦୀ କୂଳ ଗଡ଼କଣ୍ଟୁଣିଆ ପେଟା ନିକଟରେ ଘଳିଆ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ପ୍ରଶାସନ ସହଯୋଗରେ ବାଲିବସ୍ତା ପକାଇ ତାହାକୁ ବନ୍ଦ କରିଛନ୍ତି। ସେହିଭଳି ଦୟା ନଦୀ ମଧ୍ୟ ବିପଦସଂକେତ ଉପରେ ବହୁଥିବାରୁ ଭୁବନେଶ୍ବର ବ୍ଲକ ଓ ଜଟଣୀ ବ୍ଲକର ବହୁ ଅଞ୍ଚଳ ବୁଡ଼ି ରହିଛି। କଣ୍ଟି କାଜ ନିକଟରେ ଗଙ୍ଗୁଆ ମୁହାଁଣ ଦେଇ ଦୟା ନଦୀ ନଳ ଉଜାଣି ବହୁଥିବାରୁ ଜଟଣୀ ବ୍ଲକର ପାଞ୍ଚଗାଁ, ଜା‌ମୁକୋଳି, କୁହା, ପଧାନସାହି, ବୋତଣ୍ଡା, ଓରକଳ, କ୍ଷେତ୍ରପାଳ ବୀରବନ୍ଧ ଆଦି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଏହି ସବୁ ଗାଁ ଗହୀରରେ ଗଢ଼ି ଉଠିଥିବା ପ୍ରାୟ ସବୁ ଆପାର୍ଟମେଣ୍ଟ ଓ ନୂଆ କଲୋନି ବୁଡ଼ି ଯାଇଛି। ହଜାର ହଜାର ଲୋକେ ତିନି ଦିନ ହେଲା ଜଳବନ୍ଦୀ ଅବସ୍ଥା‌ରେ ବଡ଼ କଲବଲ ହେଉଛନ୍ତି। ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହୋଇଯାଇଥିବା ବେଳେ ପିଇବା ପାଣି ମିଳୁନି। ସେହିଭଳି ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ବହୁ ଲୋକ ରୋଷେଇ କରିପାରୁନାହାନ୍ତି ଓ ବାଧ୍ୟ ହୋଇ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି।

ସମ୍ବନ୍ଧିତ ଖବର