ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠରେ ଥିବା ନଦୀଗୁଡିକରେ ଲଘୁଚାପଜନିତ ବର୍ଷାରୁ ବନ୍ୟା ଜଳ ଆସିଛି। ବିଭିନ୍ନ ଗାଁରେ ପାଣି ପଶିଯାଇଛି। ବର୍ଷା କମିଥିଲେ ବି ଗାଁଗୁଡିକରୁ ପାଣି ନିଷ୍କାସନ ହୋଇପାରିନାହିଁ। ଅନେକ କଚ୍ଚାଘର ବି ଭାଙ୍ଗିଯାଇଛି। ସବୁ ଅଞ୍ଚଳରେ ପାଣି ଥିବାରୁ ସରିସୃପଙ୍କ ଆତଯାତ ଲାଗି ରହିଛି। ପୁଣି ଆଉ ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବିଶେଷ କରି ସୁନ୍ଦରପଦା ଅଞ୍ଚଳରେ ପାଣି ପଶିଯାଇଥିବାରୁ ଅତି ଦୟନୀୟ ଅବସ୍ଥାରେ ଲୋକେ କଳାତିପାତ କରୁଛନ୍ତି।

ଧୋଇଗଲା ଆପ୍ରୋଚ୍‌ରୋଡ୍‌

Advertisment

ଆଜି କୃଷ୍ଣପୁର ଗ୍ରାମ ନିକଟସ୍ଥ ଧନୁଆ ବ୍ରିଜ୍‌ ସଂଲଗ୍ନ ଆପ୍ରୋଚ ରାସ୍ତା ପ୍ରାୟ ୩୦୦ ଫୁଟ୍‌ ପର୍ଯ୍ୟନ୍ତ ଭାସିଯାଇଥିଲା। ଫଳରେ ବାଲିପାଟଣା ବ୍ଲକ୍‌ ରାଜସ, କୁରୁଞ୍ଜିପୁର, ଆଳିସିଶାସନ, ପୁରୋହିତପୁର ଓ ପମ୍ପାଲୋ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଅଚ୍ୟୁତପୁର କାଜ ଦେଇ ଭାର୍ଗବୀରୁ ବନ୍ୟାଜଳ ପ୍ରଖର ବେଗରେ ଧନୁଆ ନଦୀକୁ ବହିବାରୁ ଏହି ରାସ୍ତା ଧୋଇଯାଇଥିଲା। ଫଳରେ ଏସବୁ ପଞ୍ଚାୟତର ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଗଲେ। ହେଲେ ପ୍ରଶାସନ ପକ୍ଷରୁ ବିପନ୍ନଙ୍କ ପାଖରେ ରନ୍ଧାଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ପହଞ୍ଚି ପାରିନାହିଁ। ଏନ୍‌ଡିଆର୍‌ଏଫ୍‌ ଟିମ ସହାୟତରେ କିଛି ସାମାଜିକ ଅନୁଷ୍ଠାନ ଓ ବ୍ଲକ ପ୍ରଶାସନ କେବଳ ଗରିଆ ଗ୍ରାମକୁ ରନ୍ଧାଖାଦ୍ୟ ଯୋଗାଇ ଦେଇଛନ୍ତି। ହେଲେ ଅନ୍ୟ ଗାଁର ଅନେକ ପରିବାର ଭୋକ ଉପବାସରେ ଦିନ କାଟୁଛନ୍ତି।

ଭାସୁଛନ୍ତି ବିଷଧର ସାପ

ଚଳିତ ଥର ବନ୍ୟା ପାଣିରେ ବହୁ ବିଷଧର ସାପ ଭାସିଆସିଛନ୍ତି। ଗତ ଦୁଇ ଦିନ ହେଲା ବନ୍ୟା ଘେରରେ ଥିବା ଅଞ୍ଚଳରେ ତମ୍ପ, ନାଗ, ବୋଡ଼ା, ଚିତି ବୋଡ଼ା, ରଣା, ଗୋଧି ଭଳି ସରୀସୃପ ମାନେ ଭାସୁଥିବା ଦେଖିବାକୁ ମିଳୁଛି। ଫଳରେ ରାତି ହେଲେ ସାପ ଭୟରେ ଲୋକେ ଚଳପ୍ରଚଳ ହେବା ସମ୍ଭବ ହେଉନାହିଁ। ଲୋକମାନେ ପିଲାଛୁଆଙ୍କୁ ଜଗି ରହୁଛନ୍ତି।

ଉପାସରେ ଗୃହପାଳିତ ପଶୁ

ଗହୀରରେ ବନ୍ୟା ଛୁଟୁଥିବା ବେଳେ ବିଲ ବାଡ଼ି ଓ ପଡ଼ିଆରେ ପାଣି ମାଡ଼ି ଯାଇଛି। ତେଣୁ ଗୋରୁଗାଈ, ଛେଳି, ମେଣ୍ଢା, ମଇଁଷିଙ୍କ ପାଇଁ ଚରା ବନ୍ଦ ହୋଇଯାଇଛି। ସେହିଭଳି ବାଡ଼ିରେ ଥିବା ପାଳ, କୁଟା ପାଣିରେ ଭିଜି ଯାଇଛି। ଘରେ ପାଣି ପଶି ଗୋଖାଦ୍ୟ ବତୁରି ଗଲାଣି। ଏପରି ପରିସ୍ଥିତିରେ ଗୋସମ୍ପଦ ପାଇଁ ଖାଦ୍ୟାଭାବ ଦେଖାଯାଇଛି। ତେଣୁ ଗତ ଦୁଇ ଦିନ ହେଲା ଗୃହପାଳିତ ପଶୁମାନେ ଖାଡ଼ା ଉପାସରେ ଅଛନ୍ତି। ତେଣୁ ୪୧ ମେଟ୍ରିକ ଟନ୍‌ ଗୋଖାଦ୍ୟ ପାଇଁ ଚିଠା ଯାଇଛି ଓ ଆସନ୍ତାକାଲି ଠାରୁ ବଣ୍ଟା ହେବ ବୋଲି ପଶୁ ସଂପଦ ଅଧିକାରୀ ପ୍ରୀତମ ପ୍ରୀତିମାନ ପଣ୍ଡା କହିଛନ୍ତି।

ଉଜୁଡ଼ିଗଲା ପରିବା ଚାଷ, ଦର ଅକାଶଛୁଆଁ

ଏବେ ବନ୍ୟା ପାଣି ଘେରରେ ଏକର ଏକର ପରିବା କିଆରୀ ରହିଛି। ତେଣୁ ରାଜଧାନୀକୁ ଆଠଗଡ଼, ପିପିଲି, ବାଙ୍କୀ, ନିଆଳି, ବାଲିପାଟଣା, ନିମାପଡ଼ା, ନୟାଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳର ପରିବା ଆସିପାରୁନାହିଁ। ପିପିଲି, ବାଲିପାଟଣା, ବାଙ୍କୀରେ ବ୍ୟାପକ ପରିବା ବନ୍ୟାରେ ନଷ୍ଟ ହୋଇଯାଇଛି। ତେଣୁ ଏବେ ବାହାର ରାଜ୍ୟର ପରିବା ରାଜଧାନୀ ବଜାରକୁ କବ୍‌ଜା କରି ନେଇଛି। ଏଥିଯୋଗୁଁ ଏବେ ପରିବା ଦର ଦୁଇ ଗୁଣକୁ ଟପି ଯାଇଛି। ରାଜଧାନୀର ପାଇକାରୀ ବ୍ୟବସାୟୀ ସଂଘର କବିରାଜ ସ୍ବାଇଁଙ୍କ ସୂଚନାନୁସାରେ, ପାଇକାରୀ ବଜାରରେ ବାଇଗଣ ୩୦ରୁ ୫୦ ଟଙ୍କା, ଟମାଟୋ ୧୫ରୁ ୪୦, ବିନ୍ସ ୧୦୦, ଜହ୍ନି, କାକୁଡ଼ି ୩୦ରୁ ୪୦, ଫୁଲକୋବି ୪୦ରୁ ୫୦, ବନ୍ଧାକୋବି ୩୦ରୁ ୪୦, ପୋଟଳ ୧୦ରୁ ୩୫ ଟଙ୍କା, ଅମୃତଭଣ୍ଡା ଦର ୧୫ରୁ ୨୦ ଟଙ୍କାକୁ ବୃଦ୍ଧି ପାଇଛି। ଆଳୁ ଦର ସ୍ବାଭାବିକ ୨୫ ଟଙ୍କା ରହିଛି। ତେଣୁ ଖୁଚୁରା ବଜାରରେ ଏହି ଦର ବୃଦ୍ଧି ପାଇଛି। ବାଇଗଣ ୬୦ରୁ ୮୦ ଟଙ୍କା, ପୋଟଳ ୪୦ରୁ ୬୦, ବନ୍ଧା ୨୦ରୁ ୩୦, କାକୁଡ଼ି ୬୦ରୁ ୮୦, ବିନ୍‌ସ ୧୨୦ ଟଙ୍କା, କଲରା ୬୦ ଟଙ୍କା, ଝୁଡ଼ଙ୍ଗ ୮୦ରୁ ୧୦୦ ଟଙ୍କାକୁ ବୃଦ୍ଧି ପାଇଛି।