କ୍ୟାପିଟାଲ ହସ୍ପିଟାଲ ଉପରେ ‘ବନ୍ୟାଚାପ’

ଉପକଣ୍ଠ ଓ ପଡ଼ୋଶୀ ଜିଲ୍ଲାରୁ ଛୁଟୁଛି ରୋଗୀଙ୍କ ସୁଅ,ବାରଣ୍ଡାରେ ଗଡ଼ୁଛନ୍ତି ଶହଶହ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ ବଢ଼ାଇଛି ବନ୍ୟା। ରାଜଧାନୀ ଉପକଣ୍ଠ ବାଲିଅନ୍ତା, ବାଲିପାଟଣା ସମେତ ଖୋର୍ଧା, ପଡ଼ୋଶୀ ନୟାଗଡ଼ ଓ ପୁରୀ ଜିଲ୍ଲାର ରୋଗୀମାନଙ୍କ ସୁଅ ହସ୍ପିଟାଲକୁ ଛୁଟିବାରେ ଲାଗିଛି। ପ୍ରତିଦିନ ଏହି ସବୁ ଜିଲ୍ଲାରୁ ଶହଶହ ସଂଖ୍ୟାରେ ରୋଗୀ ଆସୁଥିବାରୁ ରାଜଧାନୀର ଏହି ପ୍ରମୁଖ ହସ୍ପିଟାଲରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ସଂଖ୍ୟା ବଢ଼ିଯିବାରୁ ବହୁ ରୋଗୀ ହସ୍ପିଟାଲର ବାରଣ୍ଡାରେ ପଡ଼ି ରହି ଚିକିତ୍ସିତ ହେଉଛନ୍ତି। ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ, ଅସ୍ଥିଶଲ୍ୟ, ମେଡିସିନ୍ ଓ ହଇଜା ଭଳି ୱାର୍ଡରେ ଆଉ ଜାଗା ନାହିଁ। ଏହାବ୍ୟତୀତ କାଜୁଆଲିଟିରେ ଦିନତମାମ ଭିଡ଼ ପରିଲକ୍ଷିତ ହେଉଛି।

ଏହି ହସ୍ପିଟାଲ‌ରେ ମୋଟ ୫୬୩ଜଣ ରୋଗୀଙ୍କ ପାଇଁ ଶଯ୍ୟ‌ା ସୁବିଧା ରହିଛି। କିନ୍ତୁ ବର୍ତ୍ତମାନ ଏଠାରେ ୮୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ତେଣୁ ଶଯ୍ୟା ନ ପାଇ ବହୁ ରୋଗୀ ବାରଣ୍ଡାରେ ଗଡ଼ୁଛନ୍ତି। ସେହିପରି ରୋଗୀଙ୍କ ଅନୁପାତରେ ଷ୍ଟାଫ୍‌ ନର୍ସ ନଥିବାରୁ ଅବସ୍ଥା ସାଂଘାତିକ ହୋଇପଡ଼ିଛି। ପର୍ଯ୍ୟାୟକ୍ରମେ ଡ୍ୟୁଟିକୁ ଆସୁଥିବା ହସ୍ପିଟାଲର ମୋଟ ୧୪୦ଜଣ ଷ୍ଟାପ୍‌ ନର୍ସ ଏତେ ରୋଗୀଙ୍କ ଦେଖାଶୁଣା ଠିକ୍‌ ଭାବେ କରିପାରୁ ନଥିବା ଅଭିଯୋଗ ହେଉଛି।

ସୂଚନ‌ା ଅନୁସାରେ ଖୋର୍ଦ୍ଧା, ପୁରୀ, ନୟ‌ାଗଡ଼ ଜିଲ୍ଲାରେ ଏବେ ବନ୍ୟ‌ା ପାଇଁ ଜଟିଳ ‌ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଓ ବନ୍ୟା ପାଇଁ ବହୁ ‌ରୋଗୀ ପାଖ ଡାକ୍ତରଖାନା ଉପରେ ଭରସା କରିପାରୁନାହାନ୍ତି। ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ହସ୍ପିଟାଲରେ ଜ୍ବର, ଝାଡ଼ାବାନ୍ତିରେ ପୀଡ଼ିତ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ ସେଠାକୁ ଯିବାକୁ ଉଚିତ ମଣୁନାହାନ୍ତି। ତେଣୁ ଆର୍ଥିକ ଦୃଷ୍ଟିରୁ ଟିକିଏ ସ୍ବଚ୍ଛଳ ରୋଗୀ ଓ ସେମାନଙ୍କ ଅଭିଭାବକ ଏବେ ରାଜଧାନୀମୁହାଁ ହୋଇଛନ୍ତି। ଫଳରେ କ୍ୟାପିଟାଲ ହସ୍ପିଟାଲ ଉପରେ ଏବେ ହଠାତ୍‌ ଚାପ ବଢ଼ି ଯାଇଛି। ହସ୍ପିଟାଲର‌େ ସୀମିତ ଶଯ୍ୟା ଓ ସୀମିତ କର୍ମଚାରୀ ଥିବାରୁ ସମସ୍ତଙ୍କ ପାଇଁ ଶଯ୍ୟା ଓ ଉତ୍ତମ ଚିକିତ୍ସା ମିଳିବା ସମ୍ଭବ ହୋଇପାରୁ ନାହିଁ। ‌ବହୁ ଶିଶୁ, ସ୍ତ୍ରୀ ଓ ପ୍ରସୂତି ବିଭ‌ାଗ, ମେଡିସିନ୍, ହଇଜା ବିଭାଗରେ ରୋଗୀମା‌ନେ ତଳେ ଶୋ‌ଇଛନ୍ତି ରହିଛନ୍ତି। ଆଉ ‌ରୋଗୀ ରହିବା ସମ୍ଭବ ହେଉନଥିବାରୁ ବାହାରେ ରହୁଛନ୍ତି କିମ୍ବା ରୋଗୀ ମା‌ନେ ଫେରି ଯା‌ଉଛନ୍ତି। ସେହିପରି ପଞ୍ଜିକରଣ ‌କେନ୍ଦ୍ରରେ ମଧ୍ୟ ବହୁ ଭିଡ଼ ପରିଲକ୍ଷିତ ହେଉଛି। ସେହିପରି ପଞ୍ଜୀକରଣ ‌କେନ୍ଦ୍ର ସଂଖ୍ୟା‌ ବଢ଼ାଇବାକୁ ରୋଗୀ କଲ୍ୟାଣ ସମିତି ବ‌ୈଠକରେ ଆଲୋଚନା ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ।

ହସ୍ପିଟାଲକୁ ଆସିଥିବା ପିପିଲିର ଭରତ ସାହୁଙ୍କ କହିବା କଥା, ତାଙ୍କ ବୋହୂ ଆସନ୍ନ ପ୍ରସବା‌। ଦି‌ନେ ଦୁଇଦିନ ମଧ୍ୟରେ ତାଙ୍କର ପ୍ରସବ ହେବ ବୋଲି ଡାକ୍ତର ତାରିଖ ଦେଇଛନ୍ତି। କିନ୍ତୁ ବନ୍ୟା ପରିସ୍ଥିତି ଜଟିଳ ହେଉଥିବାରୁ ସେମାନେ ଦୁଇ ଦିନ ଆଗରୁ ହସ୍ପିଟାଲକୁ ଚାଲି ଆସିଛନ୍ତି। କିନ୍ତୁ ଏଠାରେ ତାଙ୍କ ବୋହୂକୁ ଶଯ୍ୟ‌ା ମିଳି ପାରୁନାହିଁ। ଗୋଟେ ଦିନ ତଳେ ଶୋଇଶୋଇ ବିତାଇବା ପରେ ମଧ୍ୟ ତାଙ୍କ ବୋ‌ହୂକୁ ଶଯ୍ୟା ମିଳିନାହିଁ। ‌ଶଯ୍ୟା ନ ମିଳିଲେ, ସେ ବୋହୂକୁ କୌଣସି ଘରୋଇ ହସ୍ପିଟାଲକୁ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ତେବେ ଏ ସମସ୍ୟା ଖାଲି ଭରତଙ୍କ ନୁହେଁ, ତାଙ୍କ ଭଳି ବାହାରୁ ଆସିଥିବା ବହୁ ରୋଗୀ ଓ ଅଭିଭାବକଙ୍କ ସମାନ ସମସ୍ୟା।

ଏ ସଂପର୍କରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦ‌େଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ରାଜଧାନୀର ପାଖ ଜିଲ୍ଲାଗୁଡ଼ିକରେ ବନ୍ୟା କାରଣରୁ ରୋଗୀମାନେ କ୍ୟାପିଟାଲ ହସ୍ପିଟାଲକୁ ବହୁମାତ୍ରାରେ ଆସୁଛନ୍ତି। ବର୍ତ୍ତମାନ ଚାପ ବଢ଼ିଛି। ଚାପ ସତ୍ତ୍ବ‌େ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ‌ଦେବାକୁ ସମସ୍ତ ପ୍ରକା‌ର ପ୍ରୟାସ କରାଯାଉଛି। କାହାରିକୁ ଫେରିବାକୁ ଦିଆଯାଉନାହିଁ। ଏହାସହ ହସ୍ପିଟାଲରେ ଶଯ୍ୟ‌ା ସଂଖ୍ୟା ଦୁଇ ଗୁଣ ବଢ଼ାଇବ‌ା ସହ ସ‌େହି ଅନୁପାତରେ କର୍ମଚାରୀ ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ‌ଲେଖାଯାଇଛି।

ସମ୍ବନ୍ଧିତ ଖବର