ଚାଷ ଜମିରେ ମାଡ଼ିଗଲା ପାଣି

ବାଲିଅନ୍ତା : ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଦେଇ ପ୍ରବାହିତ କୁଶଭଦ୍ରା, କୁଆଖାଇ ଓ ଭାର୍ଗବୀ ନଦୀରେ ଆସିଥିବା ବନ୍ୟା ଜଳସ୍ତର କମିବାରେ ଲାଗିଛି। ବୁଧବାର ଅପରାହ୍‌ଣ‌ରେ ଏହି ୩ ନଦୀରେ ଜଳସ୍ତର ଯେଉଁଭଳି ବୃଦ୍ଧି ପାଉଥିଲା, ଏକ ବଡ଼ ବନ୍ୟା ଆଶଙ୍କା କରାଯାଉଥିଲା। କିନ୍ତୁ ଏବେ ଜଳସ୍ତର ହ୍ରାସ ପାଉଥିବା ବାଲିଅନ୍ତା କେନାଲ ସବ୍‌ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।

ବାଲିଅନ୍ତା ଡିଭିଜନ୍‌ ସହକାରୀ ଯନ୍ତୀ ଭୀମସେନ୍‌ ବେହେରାଙ୍କ ସୂଚନାନୁଯାୟୀ, ମୁଣ୍ଡଳୀରୁ ଉଭୟ କୁଆଖାଇ ଓ କୁଶଭଦ୍ରାରେ ୯ଲକ୍ଷ ୪୩ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ଆଉ ୪ଲକ୍ଷ ପାଣି ଛଡ଼ା ଯାଇଛି, ଯାହା ନଦୀରେ ସ୍ବାଭାବିକ ଭାବେ ପ୍ରବାହିତ ହେବ। ତେଣୁ ଏବେ ନଦୀରେ ବନ୍ୟା ଆଶଙ୍କା ଟଳି ଯାଇଛି। ବାଲିଅନ୍ତା ବ୍ଲକରେ କୌଣସି ଗାଁ ଭିତରକୁ ବନ୍ୟା ପାଣି ପଶି ନଥିବା ବେଳେ ଏକର ଏକର ଜମିରେ ବନ୍ୟାଜଳ ମାଡ଼ି ଯାଇଛି। ଝିଣ୍ଟିଶାସନ, ପୂରଣପଧାନ ଓ ପୁରୋହିତପୁର ପଞ୍ଚାୟତରେ ଧାନଫସଲ ଓ ନଦୀପଠାରେ ହୋଇଥିବା ପନିପରିବା ଫସଲ ବନ୍ୟାଜଳ ଯୋଗୁଁ ପ୍ରଭାବିତ ହୋଇଥିବା ବ୍ଲକ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୩ଟି ପଞ୍ଚାୟତରେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ

ଭାର୍ଗବୀ ନଦୀର ବନ୍ୟାପାଣି ଅଚ୍ୟୁତପୁର କାଜ ଦେଇ ପ୍ରବାହ ହେବା ଫଳରେ ବାଲିଅନ୍ତା ବ୍ଲକର ୧୬ଟି ପଞ୍ଚାୟତ ମଧ୍ୟରୁ ପୁରୋହିତପୁର, ଝିଣ୍ଟି ଶାସନ ଓ ପୂରଣ ପଧାନ ପଞ୍ଚାୟତର ବିଭିନ୍ନ ମୌଜାରେ ଶତାଧିକ ହେକ୍ଟର ଚାଷଜମି ଦୁଇଦିନ ହେଲା ଜଳର୍ଣ୍ଣବ ହୋଇରହିଛି। ରୁଆ ବେଉଷଣ ହୋଇଥିବା ଧାନ ଜମି ଉପରେ ୨ ଫୁଟ୍‌ ଉଚ୍ଚର ବନ୍ୟାପାଣି ଜମି ରହିଛି। ଝିଣ୍ଟି ପଞ୍ଚାୟତ ଅଧୀନ ବାରିଜଙ୍ଗ ଗ୍ରାମର ଚାଷୀ ସହଦେବ ପ୍ରଧାନ ଓ ବିପିନ ବିହାରୀ ସ୍ବାଇଁଙ୍କ କହିବାନୁଯାୟୀ, ମାତ୍ର ଅଳ୍ପଦିନ ହେଲା ରୁଆ ସରିଥିଲା। ଗୋଳିଆ ପାଣି ଦୀର୍ଘ ସମୟ ଧରି ଜମି ରହିବା ଯୋଗୁଁ ଧାନଗଛ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସେହିପରି କୁଶଭଦ୍ରା, ଭାର୍ଗବୀ ଓ ଦୟାନଦୀ ପଠାରେ ହୋଇଥିବା ହେକ୍ଟର ହେକ୍ଟର ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଯାଇଛି। ସରଦେଇପୁର ଗ୍ରାମର ନରେନ୍ଦ୍ର ମଲ୍ଲିକଙ୍କ କହିବାନୁଯାୟୀ, ଫନି ମାଡ଼ରେ ପନିପରିବା ଫସଲ ଉଜୁଡ଼ି ଯାଇଥିବା ବେଳେ ଏବେ ବନ୍ୟା‌ରେ ସବୁ ଗଲା। ପଠା ବୁଡ଼ିଯିବା ଯୋଗୁଁ ଅନେକ ଚାଷୀ କରିଥିବା ବାଇଗଣ, ପୋଟଳ, ଲଙ୍କା, ଭେଣ୍ଡି, ଜହ୍ନି, କଖାରୁ, କାକୁଡ଼ି, କଲରା ଆଦି ପନିପରିବା ଗଛ ପଚି ଯାଇଛି।

ଭାସିଗଲା ୨୦ ଫୁଟ୍‌ ବୋଲଡର୍‌ ପ୍ୟାକିଂ

କୁଶଭଦ୍ରା ନଦୀ ବନ୍ୟାରେ ବାମପାର୍ଶ୍ବ ବନ୍ଧର ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ବେତେଣ୍ଡାଠାରେ ଦୁଇଟି ସ୍ଥାନରେ ପ୍ରାୟ ୨୦ ଫୁଟ ବୋଲଡର୍‌ ପ୍ୟାକିଂ ଭାସି ଯିବାରୁ ଘଳିଆ ପଡ଼ିଥିଲା। ହେଲେ ଗ୍ରାମବାସୀମାନେ ଉପସ୍ଥିତ ବୁଦ୍ଧି ଖଟାଇ ଉକ୍ତ ସ୍ଥାନରେ କାଠଗଣ୍ଡି ପକାଇ ଘଳିଆ ବନ୍ଦ କରିବାରେ ସକ୍ଷମ ହୋଇଥିଲେ। ୪ମାସ ତଳେ ଜଳସେଚନ ବିଭାଗ ପକ୍ଷରୁ ୨୦ଲକ୍ଷ ଟଙ୍କା ବ୍ୟୟରେ ବନ୍ଧ ବୋଲଡର ପ୍ୟାକିଂ ହୋଇଥିଲା। କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ପ୍ୟାକିଂ ଭାସି ଯାଇଥିବା ନେଇ ଅଭିଯୋଗ ହୋଇଛି।

୨୮ଜଣ ଇଟାଭାଟି ଶ୍ରମିକ ଉଦ୍ଧାର

ଭାର୍ଗବୀ ନଦୀ ସଂଲଗ୍ନ ବନ୍ୟାପାଣି ଘେରରେ ଏକ କୁଦ ଉପରେ ଫସି ରହିଥିବା ୨୮ଜଣ ଇଟାଭାଟି ଶ୍ରମିକଙ୍କ ସମେତ ସେମାନଙ୍କ ପିଲା ଛୁଆଙ୍କୁ ଗୁରୁବାର ବାଲିଅନ୍ତା ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିଲେ। ପ୍ରତାପଶାସନ ପଞ୍ଚାୟତ ଅଧୀନରେ ଥିବା ଏକ ଇଟାଭାଟିରେ ଏହି ଶ୍ରମିକମାନେ କାମ କରୁଥିଲେ। ଭାର୍ଗବୀରେ ହଠାତ୍‌ ବନ୍ୟାପାଣି ଆସି ଯିବାରୁ ଶ୍ରମିକମାନେ ପାଣି ଘେରରେ ରହି ଯାଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୂର୍ବଦିନ ବନ୍ୟା ସଂପର୍କିତ କୌଣସି ସତର୍କ ସୂଚନା ପ୍ରଚାର କରାଯାଇ ନଥିବାରୁ ସେମାନେ କିଛି ଜାଣି ପାରିନଥିଲେ। ଫଳରେ ଖାଇବା ପିଇବା ନେଇ ସେମାନେ ସମସ୍ୟା ଭୋଗିଥିଲେ। ପାଣି ଘେରରେ ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଖଚୁରୁଖୁଣ୍ଟା ଗ୍ରାମର ୮ମାସର ଗର୍ଭବତୀ ମହିଳା ରାକ୍ଷୀ ବିନ୍ଧାଣି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ସ୍ବାମୀ ସୂରଜ ଅଗ୍ନିଶମ ସେବା କେନ୍ଦ୍ରକୁ ଫୋନ୍‌ କରି ଜଣାଇଥିଲେ। ବାଲିଅନ୍ତା ଅଗ୍ନିଶମ ସେବା ବିଭାଗ କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚି ବୋଟ୍‌ ସାହାଯ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ବାଲିଅନ୍ତା‌ ତହସିଲଦାର ରଶ୍ମିରେଖା ପ୍ରଧାନ ଓ ଭୁବନେଶ୍ବର ଉପଜିଲ୍ଲାପାଳ ଶୁଭେନ୍ଦୁ ସାହୁ ଓ ସ୍ଥାନୀୟ ସରପଞ୍ଚ ଭାଗ୍ୟଧର ନନ୍ଦୀ, ସମିତି ସଭ୍ୟା ନୟନା ବେହେରା, ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁ ଓ ବ୍ଲକ୍‌ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

ପାଣି ଘେରରେ ମଠ ଓ ମନ୍ଦିର

ଭାର୍ଗବୀ ନଦୀ ବନ୍ୟାରେ ବାଳକାଟି ପ୍ରତାପଶାସନ ପଞ୍ଚାୟତ ଅଧୀନ ରଥିଜେମାସ୍ଥିତ ମା’ ଭଗବତୀ ମନ୍ଦିର, ଅଜାଣେଶ୍ବର ମନ୍ଦିର ପରିସରରେ ଗୁରୁବାର ୫ଫୁଟ୍‌ ଉଚ୍ଚର ପାଣି ଚାଲୁଥିଲା। ଆଜି ଜଳସ୍ତର କମି ଯାଇଥିଲେ ହେଁ ଉକ୍ତ ମନ୍ଦିର ସହ ଝିଣ୍ଟିଶାସନ ପଞ୍ଚାୟତ ଗ୍ରାମ୍ୟ ଉନ୍ନୟନ ରାସ୍ତା ପାର୍ଶ୍ବରେ ଥିବା ମା’ ବ୍ରାହ୍ମଣୀ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପରିସରରେଏବେ ବି ପାଣି ଜମି ଚହିଛି। ସେହିପରି ବଇଁଚୁଆ ପଞ୍ଚାୟତ ଅଧୀନ ଗୁପ୍ତମଣି ଆଶ୍ରମ ପରିସର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର