ବାଲିପାଟଣା : ବାଲିପାଟଣାର କୁଶଭଦ୍ରା ଓ ଭାର୍ଗବୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଦୁଇଟି ନଦୀରେ ରାତି ୮ଟା ସୁଦ୍ଧା ୭ଲକ୍ଷ୧୧ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି। ଫଳରେ ବାଲିପାଟଣା ସବ୍ ଡିଭିଜନ୍ର ଅଚ୍ୟୁତପୁର ସେକ୍ସନଠାରେ ଭାର୍ଗବୀ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଅଚ୍ୟୁତପୁର କାଜଠାରେ ନଦୀର ବିପଦ ସଙ୍କେତ ୧୩.୨୬ମିଟର ଥିବା ବେଳେ ରାତି ୯ଟା ବେଳେ ୧୩.୫୧ମିଟର ଜଳ ପ୍ରବାହିତ ହେଉଥିଲା। ଏଥିପାଇଁ ଅଚ୍ୟୁତପୁର କାଜରେ ବନ୍ୟା ପାଣି ଗଡ଼ି ଧନୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ ହୋଇଛି। ବନ୍ୟାପାଣି କାଜରେ ଗଡ଼ିବା ପରେ ପ୍ରଶାସନ ସଂପୂର୍ଣ୍ଣ ତତ୍ପର ହୋଇ ଉଠିଛି। ଜଳସେଚନ ବିଭାଗର ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ବାଲିପାଟଣା ଥାନା ଅଧିକାରୀ ଅକ୍ଷୟ ଚନ୍ଦ୍ର ରାଣା ପୁଲିସ୍ ଟିମ୍ ସହ ରାତିରେ କାଜ ନିକଟରେ ପହଞ୍ଚିଛନ୍ତି। ଅନ୍ୟପଟେ କୁଶଭଦ୍ରା ନଦୀ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ରାତି ୮ଟା ସୁଦ୍ଧା ଶିଶୁମଠଠାରେ ୧୨.୨୬ ଓ ଯୋଗୀସାହିଠାରେ ୧୫.୯୬ମିଟର ବନ୍ୟାଜଳ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି। ଦୀର୍ଘ ୪ବର୍ଷ ପରେ ବନ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସହ କୌତୂହଳ ବି ଦେଖାଦେଇଛି। ୨୦୧୪ରେ ଏହି ନଦୀମାନଙ୍କରେ ଶେଷ ବନ୍ୟା ଆସିଥିଲା। ପୁନର୍ବାର ବନ୍ୟା ଆସିବାରୁ ନଦୀକୂଳରେ ଲୋକଙ୍କ ଭିଡ଼ ଜମିଛି। ବାଲିପାଟଣା ଜଳସେଚନ ସବ୍ଡିଭିଜନ୍ର ସମସ୍ତ କର୍ମଚାରୀ ରାତି ତମାମ୍ ବନ୍ୟା ପରିସ୍ଥିତିକୁ କଡ଼ା ନଜର ରଖି ରାତି ଉଜାଗର ରହିଛନ୍ତି। ଆଜି ବାଲିପାଟଣାରେ ବନ୍ୟାସ୍ଥିତି ଓ ନଦୀବନ୍ଧର ତଦାରଖ କରିବା ପାଇଁ ସୁପରିଟେଣ୍ଡେଣ୍ଟ ଇଂଜିନିୟର ଲଡ଼ୁକେଶ୍ୱର ସାବତ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶଶି ଭୂଷଣ ମିଶ୍ର, ଜିଆଇସି ପିଡ଼ି ଗୁଣଧର ମିଶ୍ର,ଏସଡିଓ ସନ୍ଦୀପ କୁମାର, ଯନ୍ତ୍ରୀ ମନୋରଂଜନ ସାହୁ ପ୍ରମୁଖ ଦିନ ତମାମ ବିଭିନ୍ନ ସ୍ଥାନର ନଦୀବନ୍ଧ ଓ ଗେଜ୍ସ୍ଥାନମାନ ବୁଲିଥିଲେ। ବନ୍ୟାଜଳ କମୁଛି, ଆମେ ବି ସଜାଗ ଅଛୁ ତେଣୁ ବନ୍ୟାକୁ ନେଇ ସେଭଳି କିଛି ଚିନ୍ତାର କାରଣ ନାହିଁ ବୋଲି ବାଲିପାଟଣା ଜଳସେଚନ ଏସ୍ଡିଓ ସନ୍ଦୀପ କୁମାର କହିଛନ୍ତି।
ଅଚ୍ୟୁତପୁର କାଜରେ ଗଡ଼ିଲା ବନ୍ୟା ପାଣି
/sambad/media/post_attachments/wp-content/uploads/2018/07/balipatana-flood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)