ବାଲିଅନ୍ତା : ବାଲିଅନ୍ତା ବ୍ଲକ ‌ଅଞ୍ଚଳ ଦେଇ ପ୍ରବାହିତ ତିନି ନଦୀ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି। ଆସନ୍ତାକାଲି ସୁଦ୍ଧା ମହାନଦୀରେ ଅଧିକ ଜଳ ପ୍ରବାହିତ ହେବାକୁ ଥିବାରୁ ଏହି ତିନି ନଦୀରେ ବନ୍ୟା ଆସିବା ଏକପ୍ରକାର ନିଶ୍ଚିତ ହୋଇଛି। ଆଜି କୁଆଖାଇ ଓ କୁଶଭଦ୍ରାର ନଦୀପଠା ବୁଡ଼ି ଯାଇଥିବା ବେଳେ ଭାର୍ଗବୀ ନଦୀର ବନ୍ୟାଜଳ ଅଚ୍ୟୁତପୁର କାଜ ଡେଇଁ ପ୍ରବାହିତ ହେଉଛି। ଫଳରେ ନଦୀପଠାରେ ଥିବା ଶହ ଶହ ଏକର ପରିବା କିଆରୀ ବୁଡ଼ି ଯାଇଛି। ସେହିଭଳି ଅଚ୍ୟୁତପୁର କାଜ ତଳିଆ ଅଞ୍ଚଳରେ ହେକ୍ଟର ହେକ୍ଟର ଧାନ ଫସଲ ବୁଡ଼ି ଯାଇଛି।

Advertisment

publive-image

ଭାର୍ଗବୀ ନଦୀ ବନ୍ୟାଜଳ ବାଳକାଟି ସାଇଫନ୍‌ ନିକଟସ୍ଥ ପଠାରେ ବସବାସ କରୁଥିବା ଇଟାଭାଟି ଶ୍ରମିକଙ୍କ ନୋଳିଆବସ୍ତିକୁ ବୁଡ଼ାଇ ଦେଇଛି। ବସ୍ତିରେ ପାଣି ପଶିଯିବାରୁ ସେଠାରେ ବସବାସ କରୁଥିବା ୫୦ଶ୍ରମିକ ପରିବାର ଏବେ ନଦୀବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଖୋଲା ଆକାଶ ତଳେ ବଡ଼ କଲବଲ ଅବସ୍ଥାରେ ସେମାନେ ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଛନ୍ତି। ନଦୀରେ ଜଳସ୍ତର ବଢ଼ିଲେ, ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଭାର୍ଗବୀ ବନ୍ୟାଜଳ କୂଳ ଲଙ୍ଘିବା ଯୋଗୁଁ ଉତ୍ତରା ନଦୀପଠା ଅଞ୍ଚଳ ବୁଡ଼ି ଯାଇଛି। ସେହିପରି କୁଆଖାଇ ନଦୀର ବନ୍ୟାଜଳ ବାଲିଅନ୍ତା ମହାତ୍ମା ସେତୁ ନିକଟରେ କୂଳ ଛୁଇଁବା ଦ୍ବାରା ସେଠାରେ ଥିବା ଗୋଟିଏ କ୍ୟାବିନ ଏବଂ ୩ଟି ଝୁମ୍ପୁଡ଼ି ଘର ବୁଡ଼ିଯାଇଛି। ପାଣି ବଢ଼ିବା ଆଶଙ୍କା ଥିବାରୁ ସ୍ଥାନୀୟ ଜଳସେଚନ ବିଭାଗର ଅଧିକାରୀମାନେ ଆଜି ସକାଳେ ପହଞ୍ଚି ଏଠାରେ ବସବାସ କରୁଥିବା ବସ୍ତି ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ କହିଥିଲେ। ଦୟାନଦୀର ବନ୍ୟାଜଳ ପ୍ରଭାବରେ ଭୁବନେଶ୍ବର ବ୍ଲକ ଧଉଳି ପଞ୍ଚାୟତ ଅଧୀନ ସରଦେଇପୁର ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଛି। ପରିବା ଗହୀରରେ ୬ଫୁଟ୍‌ ଉଚ୍ଚରେ ବନ୍ୟାଜଳ ବହୁଛି। ଫଳରେ ଭେଣ୍ଡି, କଖାରୁ, ଜହ୍ନି, କାକୁଡ଼ି, ପୋଟଳ, ଝୁଡ଼ଙ୍ଗ ଆଦି ପନିପରିବା ଫସଲ ନଷ୍ଟ ହୋଇଯାଇଛି। ବାଲିଅନ୍ତା କେନାଲ ସବ୍‌ଡିଭିଜନ୍‌ ସହକାରୀ ଯନ୍ତ୍ରୀ ଭୀମସେନ୍‌ ବେହେରାଙ୍କ ସୂଚନା ମୁତାବକ, ବର୍ତ୍ତମାନ ମୁଣ୍ଡଳୀରେ ୭ଲକ୍ଷ କ୍ୟୁସେକରୁ ଅଧିକ ପାଣି ପ୍ରବାହିତ ହେଉଛି ଓ ଏହା ଆସନ୍ତାକାଲିକୁ ୧୦ ଲକ୍ଷ କ୍ୟୁସେକ୍‌ ହେବ ବୋଲି ଆକଳନ କରାଯାଇଛି। କାଠଯୋଡ଼ିରେ ୩ଲକ୍ଷ ୮୦ ହଜାର କ୍ୟୁସେକ୍‌, କୁଆଖାଇରେ ୧ ଲକ୍ଷ ୨୦ ହଜାର କ୍ୟୁସେକ୍‌ ଏବଂ କୁଶଭଦ୍ରା ନଦୀରେ ୨୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ତେବେ କୌଣସି ସ୍ଥାନରେ ଜଳସ୍ତର ବିପଦ ସଙ୍କେତ ଡେଇଁ ନାହିଁ। ଆଜି ବାଲିଅନ୍ତା କେନାଲ ସବ୍‌ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ସାହୁ ଓ ସହକାରୀ ଯନ୍ତ୍ରୀ କିଶୋର କୁମାର ବେହରା ପ୍ରମୁଖ ନଦୀବନ୍ଧ ବୁଲି ତଦାରଖ କରିଥିଲେ। ଅପରାହ୍‌ଣରେ ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବିଡିଓ ଆଦିକନ୍ଦ ବେହେରା, ତହସିଲଦାର ସୁଜତା ମହାରଣା ପ୍ରମୁଖ ସତ୍ୟଭାମାପୁର ରଙ୍ଗବଜାର, ବଇଁଚୁଆ, ପେଟାଘାଇ ଆଦି ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।