ବଢ଼ୁଛି ବନ୍ୟା ଦୁର୍ଦ୍ଦଶା : ପାଣିରେ ବତୁରିଗଲା କଚ୍ଚାଘର

ବାଲିଅନ୍ତା : ଭାର୍ଗବୀ ନଦୀ ବନ୍ୟାରେ ବାଲିଅନ୍ତା ବ୍ଲକର ପୁରୋହିତପୁର ଏବଂ ଝିଣ୍ଟିଶାସନ ପଞ୍ଚାୟତ ବିପୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ୫ଦିନ ହେଲାଣି ଏହି ଦୁଇ ପଞ୍ଚାୟତର ବହୁ ଗାଁ ପାଣି ଘେରରେ ରହିଛି। ଅଧିକାଂଶ ଲୋକଙ୍କ ଚାଳଘର ମାଟିରେ ମିଶି ଯାଇଛି। ଶହ ଶହ ହେକ୍ଟର ଧାନ ଓ ପନିପରିବା ଫସଲ ପାଣିରେ ବୁଡ଼ି ରହିବା ଦ୍ବାରା ନଷ୍ଟ ହୋଇଯାଇଛି। ବଡ଼ ସମସ୍ୟା ହେଉଛି ପାନୀୟ ଜଳ। ନବାଟି, ଦନାପଡ଼ା ଭଳି ଅନେକ ଗାଁର ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଇପ୍‌ ଲାଇନ୍‌ ଷ୍ଟାଣ୍ଡପୋଷ୍ଟ ବନ୍ୟାପାଣିରେ ବୁଡ଼ି ରହିଥିବାରୁ ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହେଉଛି। ଅନେକ ନଳକୂପ ବନ୍ୟାପାଣି ଘେରରେ ଥିବାରୁ ସେଥିରୁ ଜଳ ସଂଗ୍ରହ କରିବା ମଧ୍ୟ କାଠିକର ପାଠ ହେଉଛି।

ସେହିଭଳି ସ୍କୁଲଘରେ ଆଶ୍ରୟ ନେଇଥିବା ପରିବାରଗୁଡ଼ିକୁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିଲେ ହେଁ ଚୁଡ଼ା, ଗୁଡ଼ ଓ ମହମବତି ଭଳି ଜରୁରୀ ରିଲିଫ୍‌ ସାମଗ୍ରୀ ଯୋଗାଇ ଦିଆଯାଇନାହିଁ। ତେଣୁ ଆଶ୍ରୟ ନେଇଥିବା ଲୋକମାନେ ରାତିରେ ସମସ୍ୟାରେ ପଡ଼ୁଛନ୍ତି। ସେହିଭଳି ବନ୍ୟା ପାଇଁ ଶ୍ରମିକ ଓ ମୂଲିଆ ଶ୍ରେଣୀୟ ଲୋକେ କାମଧନ୍ଦା ହରାଇ ବେଶି ହନ୍ତସନ୍ତ ହେଉଛନ୍ତି। ହାତରେ ପଇସାଟିଏ ନଥିବାରୁ ବହୁ ଦିନ ମଜୁରିଆଙ୍କ ପରିବାର ସେମିତି ପ୍ରଶାସନ ହାତଟେକାକୁ ଅନେଇ ବସିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି।

ଘର ଭାଙ୍ଗି ଯାଇଥିବା ବେଳେ ପାଣି ପଶି ଜିନିଷପତ୍ର ନଷ୍ଟ ହୋଇ ଯାଇଥିବାରୁ ସେଭଳି ପରିବାର ସବୁ ବଡ଼ କଷ୍ଟରେ ଦିନ କାଟୁଛନ୍ତି। ନବାଟି ଗ୍ରାମର ଶତ୍ରୁଘ୍ନ ଭୋଇ, ଦେବେନ୍ଦ୍ର ମିଶ୍ର, ବୀଣାପାଣି ଭୋଇ, କାଶୀନାଥ ଭୋଇ, ମଥୁରାନନ୍ଦ ଭୋଇ, ବେଣୁଧର ଭୋଇ, ଉପେନ୍ଦ୍ର ଭୋଇ, ପଞ୍ଚୁ ଭୋଇଙ୍କ କଚ୍ଚା ଘର ପାଣିରେ ବତୁରି ଭାଙ୍ଗି ଯାଇଛି। ସେହିପରି ଦନାପଡ଼ା ଗ୍ରାମର ରମେଶ ଭୋଇ ଓ କାଳନ୍ଦୀ ଭୋଇଙ୍କର ମାଟିଘର ଭୁଶୁଡ଼ି ପଡ଼ିଛି। ସାମୁଦ୍ରିକ ବାତ୍ୟା ଫନିର କ୍ଷତିଭରଣା ହୋଇନଥିବା ବେଳେ ଏହି ବନ୍ୟା ପୁଣି ସେମାନଙ୍କ ଉପରେ ଦାଉ ସାଧିଛି। ତୁରନ୍ତ ବ୍ଲକ ପ୍ରଶାସନ କ୍ଷୟକ୍ଷତି ଆକଳନ କରି ଏଭଳି କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର