ବଢ଼ିଲା ବନ୍ୟା କଷ୍ଟ, ବନ୍ଦ ହୋଇଗଲା ସରକାରୀ ରିଲିଫ

ବାଲିପାଟଣା: ବନ୍ୟାଞ୍ଚଳରେ ପୀଡ଼ିତଙ୍କୁ ୧୫ ଦିନ ରିଲିଫ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ବାଲିପାଟଣାରେ ମାତ୍ର ୮ ଦିନ ରିଲିଫ ବାଣ୍ଟିବା ପରେ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ଆଜିଠାରୁ ଏହି ବ୍ଲକ୍‌ରେ ରିଲିଫ ବଣ୍ଟନ ବନ୍ଦ ହୋଇଯାଇଥିବାରୁ ଶହ ଶହ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଇଛି। ଏବେ ବି ଅନେକ ଲୋକ ଘରକୁ ଯାଇପାରିନଥିବା ବେଳେ ବହୁତ ଦିନମଜୁରିଆ ଓ ଗରିବ ଶ୍ରମିକ ଶ୍ରେଣୀୟ ଲୋକମାନେ କାମ ନପାଇ ବସିଛନ୍ତି। ତେଣୁ ସେମାନେ ଏବେ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକର ହାତଟେକାକୁ ଭରସା କରି ବସିଥିବା ଦେଖାଯାଇଛି। ହଠାତ୍ ସରକାରୀ ରିଲିଫ ବନ୍ଦ ହୋଇଯିବାରୁ ବିଭିନ୍ନ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ ଧନୁଆ ନଈ ବନ୍ୟାରେ ବାଲିପାଟଣାର ୬ ପଞ୍ଚାୟତର ପ୍ରାୟ ୧୮ଟି ଗାଁ ବିଶେଷ ପ୍ରଭାବିତ ହୋଇଥିଲା। ପମ୍ପାଲୋ, ଆଳିସି, ତୁରିନ୍ତିରା, ସୋ‌ମଣା, ପୁରୋହିତପୁର ଆଦି ପଞ୍ଚାୟତର ଲୋକେ ୫ ଦିନ କାଳ ବନ୍ୟା ଜଳ ଘେରରେ ରହିଯାଇଥିଲେ। ସୋମବାର ରାତିରୁ ବନ୍ୟା ମାଡ଼ି ଯାଇଥିଲା ଓ ମଙ୍ଗଳବାରଠାରୁ କିଛି କିଛି ସ୍ଥାନ‌ରେ ଲୋକଙ୍କୁ ରିଲିଫ ଯୋଗାଇ ଦିଆଯାଇଥିଲା। ପରେ ପରେ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ମାତ୍ର ଆଜିଠୁ ଏହାକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଏବେ ବି ବହୁ ଲୋକ ନିଜ ଘରକୁ ଫେରିପାରିନାହାନ୍ତି। କଚାଘର ସବୁ କାଦୁଅ ପଚପଚ ହେଉଥିବାରୁ ସେମାନେ ପର ଘରେ ବା ଢ଼ିପ ସ୍ଥାନରେ ସେମିତି ପିଲାଛୁଆଙ୍କୁ ଧରି ରହିଛନ୍ତି। ଏଥିସହିତ ଏବେ ବି ଜମିବାଡ଼ି କାମ ଭଲରେ ଆରମ୍ଭ ହୋଇନଥିବାରୁ କୃଷି ଶ୍ରମିକମାନେ ହାତବାନ୍ଧି ଘରେ ବସିଛନ୍ତି। ପାଖରେ ପଇସାଟିଏ ନାହିଁ। ଘରେ ଦାନା ନାହିଁ।

ଏମିତି ଅବସ୍ଥାରେ କାଦୁଅ ଲଟପଟ ହେଉଥିବା ଘରେ ଚୁଲି ଜଳିବା ସମ୍ଭବ ହେଉନାହିଁ। ପମ୍ପାଲୋ ପଞ୍ଚାୟତ ଟିଙ୍କିପଡ଼ା ଗ୍ରାମର ଶ୍ୟାମଳୀ ପ୍ରଧାନ ଓ କବିତା ପ୍ରଧାନଙ୍କ କଥା ବିଚାରକୁ ନିଆଯାଇପାରେ। ଶ୍ୟାମଳୀଙ୍କ ସ୍ୱାମୀ ମଣ୍ଟୁ ପ୍ରଧାନ ଏବଂ କବିତାଙ୍କ ସ୍ୱାମୀ ସୁକାନ୍ତ ପ୍ରଧାନ ଦୀର୍ଘ ୧୦ ବର୍ଷ ହେଲା ନିଖୋଜ। ବାଲିପାଟଣା ରାଜସ ରାସ୍ତା କଡ଼ରେ ଟିଙ୍କିପଡା ଗାଁ ମୁଣ୍ଡରେ ଏହି ଦୁଇ ପରିବାର ଝାଟିମାଟିର କୁଡ଼ିଆରେ ରହୁଛନ୍ତି। ଭଙ୍ଗା ଦଦରା ମାଟି କାନ୍ଥ ବନ୍ୟା ଜଳରେ ଭିଜି ଭିଜି ଭୁଶୁଡ଼ିବା ଅବସ୍ଥାରେ। ଶ୍ୟାମଳୀଙ୍କ ଘର ମାଟି କାନ୍ଥ ଭାଙ୍ଗି ଯାଇଛି। ବୃଦ୍ଧା ଶାଶୁ ଓ ଛୋଟ ପିଲାମାନଙ୍କୁ ଧରି ସେ ଦୁଇ ରାତି ରାସ୍ତାରେ ଶୋଇ ରହିବା‌ ପରେ ଏବେ ପର ଘର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ୬ ଦିନ କାଳ ବେଳାଏ ଖାଇ ସେମାନେ ଭୋକ ଉପାସରେ ଦିନ କାଟିଛନ୍ତି। ଏବେ ରିଲିଫ ଯୋଗାଣ ବନ୍ଦ ହୋଇ ଯାଇଥିବାରୁ ସେମାନଙ୍କ କଷ୍ଟ ବଳେଇପଡ଼ିଛି। ଏବେ ସେମାନେ ପରହାତ ଟେକାକୁ ଅନେଇ ବସିବାକୁ ବାଧ୍ୟ ହୋଇଛନ୍ତି।

ଏହା କେବଳ ଶ୍ୟାମଳୀ ବା କବିତାଙ୍କ ଦୁଃଖ ନୁହେଁ। ଏମିତି ବହୁ ପରିବାର ଆଜି ଉପରୋକ୍ତ ୬ ପଞ୍ଚାୟତରେ ବଡ଼ କଷ୍ଟରେ ଅଛନ୍ତି। ତେଣୁ ଆଉ କିଛି ଦିନ ରିଲିଫ ମିଳିଥିଲେ, ସେମାନଙ୍କ ବନ୍ୟା କଷ୍ଟ କିଛିଟା ଲାଘବ ହୋଇଥାଆନ୍ତା। ଏନେଇ ବିଡିଓ ଆଦିକନ୍ଦ ବେହେରାଙ୍କ କହିବା କଥା ସ୍ଥାନୀୟ ସରପଞ୍ଚମାନଙ୍କ ସୂଚନା ଆଧାରରେ ରିଲିଫ ବଣ୍ଟନ ବନ୍ଦ କରାଯାଇଛି। ସରପଞ୍ଚମାନେ ଆଉ ରିଲିଫ ବାଣ୍ଟିବା ଦରକାର ନାହିଁ ବୋଲି ରିପୋର୍ଟ ଦେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେଣୁ ଯଦି କୌଣସି ପୀଡ଼ିତ ନିହାତି ରିଲିଫ ଦରକାର କରୁଛନ୍ତି, ସେମାନେ ସରପଞ୍ଚଙ୍କ ଜରିଆରେ ବା ସିଧାସଳଖ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରିବାକୁ ସେ କହିଛନ୍ତି।

ତେବେ ବନ୍ୟା ପୀଡ଼ିତଙ୍କୁ ଏବେ ବି ବହୁ ସଂଗଠନ ତରଫରୁ ରିଲିଫ ବଣ୍ଟା ଯାଉଛି। ପ୍ରଗତି ଅନୁଷ୍ଠାନ ଓ ସହିଦନଗର ନିଶାନ୍‌ କ୍ଲବ ତରଫରୁ ପମ୍ପାଲୋ ପଞ୍ଚାୟତରେ ରିଲିଫ ବଣ୍ଟା ଯାଇଛି। ସହଯୋଗ ସେବା ଫାଉଣ୍ଡେସନ, ବ୍ରହ୍ମପୁର ଉର୍ଜା ମମ୍‌ ଟ୍ରଷ୍ଟ ତରଫରୁ ମଧ୍ୟ ରିଲିଫ ଦିଆଯାଇଛି। ସମାଜସେବୀ ମାନସ ମିଶ୍ରଙ୍କ ତତ୍ତ୍ବାବଧାନରେ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟା ଯାଉଛି।

ସମ୍ବନ୍ଧିତ ଖବର