ଫୁଲ ଦର ଆକାଶଛୁଆଁ: କେତକୀ ୧୫ଶହ, କିଆ ୫ଶହ

ଭୁବନେଶ୍ୱର: ଜାଗର ଯାତ୍ରା ପାଇଁ ଫୁଲ ବଜାରରେ ଦର ଆକାଶ ଛୁଇଁଛି। ମହାଦେବଙ୍କ ପ୍ରିୟ ଫୁଲ ସବୁ ଚଢ଼ା ଦରରେ ବିକ୍ରି ହେଉଛି। କେତକୀ ଫୁଲ ଗୋଟା ୧୫ଶହ ଟଙ୍କାରେ ବିକ୍ରି ହେଉଥିବାବେଳେ କିଆ ଫୁଲ ଗୋଟା ୫ ଶହ ଟଙ୍କା ପଡ଼ୁଛି। ଏହି ଦୁଇ ଫୁଲ ବଜାରକୁ କମ୍ ପରିମାଣରେ ଆସିଥିବାରୁ ଦର ଏମିତି ଆକାଶଛୁଆଁ ହୋଇଥିବା ଫୁଲ ବେପାରୀମାନେ କହିଛନ୍ତି।

ପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ ଫୁଲ ହେଉଛି କେତକୀ ଓ କିଆ। ଶିବଶମ୍ଭୁଙ୍କ ସ୍ବତନ୍ତ୍ର ପୂଜାରେ ଏହି ଦୁଇ ଫୁଲ ଲୋଡ଼ା ପଡ଼େ। ଏହି ଦୁଇ ଫୁଲକୁ ବାଦ୍‌ ଦେଲେ ଚମ୍ପା, ଅରଖ, କନିଅର ଆଦି ଫୁଲ ମଧ୍ୟ ମହାଦେବଙ୍କ ପୂଜାରେ ଲାଗି ହୋଇଥାଏ। ଜାଗର ଯାତ୍ରାରେ ଶିବଙ୍କ ସ୍ବତନ୍ତ୍ର ପୂଜା ହେଉଥିବାରୁ ଶ୍ରଦ୍ଧାଳୁମାନେ କେତକୀ ଓ କିଆ ଫୁଲ ଲାଗି କରିବାକୁ ମନ କରିଥାନ୍ତି। ଆଜି ଫୁଲ ବଜାରରୁ ମିଳିଥିବା ସୂଚନାନୁସାରେ କେତକୀ ଫୁଲ ଗୋଟାକୁ ହଜାରେ ଟଙ୍କାରୁ ଆରମ୍ଭ କରି ୧୫ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି।

ସେହିଭଳି କିଆ ଫୁଲ ଗୋଟିକୁ ୪ ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଛି। ସେହିପରି ଦୁଦୁରା ଫୁଲ ଗୋଟାକୁ ୨୦ରୁ ୨୫ ଟଙ୍କା, ଚମ୍ପା ଫୁଲ ଗୋଟାକୁ ୧୦ ରୁ ୨୦ ଟଙ୍କା, ଅରଖ ଫୁଲ ମାଳ ୨୦ ରୁ ୩୦ ଟଙ୍କା, ୧୦୮ ବେଲପତ୍ର ୫୦ ରୁ ୮୦ ଟଙ୍କା, ଦୁବଘାସ ବିଡ଼ା ୧୦ ଟଙ୍କା, ତୁଳସୀ ବିଡ଼ା ୧୦ ରୁ ୨୦ ଟଙ୍କା ରହିଛି। ଫୁଲ ବ୍ୟବସାୟୀ ଚନ୍ଦନ କୁମାର ସାହୁ ଓ ମୀନା ସାହୁଙ୍କ ସୂଚନାନୁସାରେ ଚଳିତ ବର୍ଷ କିଆ ଓ କେତକୀ ଫୁଲ ଅମଳ କମ୍‌ ରହିଛି। ସେହିଭଳି ରାଜଧାନୀ ବାହାରୁ ଆସୁଥିବା ଫୁଲ ଅଧିକ ଦାମ୍‌‌ରେ କିଣିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର